ଅଟୋ-ବାଇକ୍ ମୁହାଁମୁହିଁ: ଜଣେ ମୃତ, ୨ ଗୁରୁତର

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ଲକ୍ଷ୍ମୀପୁର ଥାନା ମୀନାପାଇ ବାଳିକା ବିଦ୍ୟାଳୟ ବୁଲାଣି ନିକଟରେ ଆଜି ଅପରାହ୍ନରେ ଏକ ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଓ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳର ପୀତାମ୍ବର ଗୌଡ(୨୫) । ଆହତମାନେ ହେଲେ କିଟୁ ଗୌଡ, ବନ୍ଧୁଗାଁ ବ୍ଲକର ନକୁଳ ଖର୍ସେଲ, ରଥ ନିଆଲି ଓ କୈଳାସ ନିଆଲି । ରଥ ଓ କୈଳାସଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଛି । କିଟୁ ଓ ନକୁଳଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଏନେଇ ତଦନ୍ତ ଚଳାଇଛି । ଆଜି ଦିଗପହଣ୍ଡିରୁ ଏକ ବାଇକ(ଓଡି ୦୭ ଏଏ ୦୮୪୬)ରେ କୌଣସି କାମରେ କିଟୁ ଓ ପୀତାମ୍ବର ଲକ୍ଷ୍ମୀପୁର ଦେଇ ଜୟପୁରକୁ ଯାଉଥିଲେ । ସେହି ସମୟରେ ଅପରପଟୁ ଆସୁଥିବା ଏକ ଅଟୋ ସହ ମୀନାପାଇ ଘାଟି ବୁଲାଣିରେ ଧକ୍କା ହୋଇଥିଲା । ଫଳରେ ବାଇକ୍ରେ ଥିବା ଦୁଇଜଣଙ୍କ ସମେତ ଅଟୋରେ ଥିବା ବନ୍ଧୁଗାଁ ର ନକୁଳ, ରଥ ଓ କୈଳାସ ଆହତ ହୋଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଅଟୋ ଧରି ଚାଳକ ଫେରାର୍ ହୋଇଯାଇଥିବା ଯାତ୍ରୀମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons