ଅଟୋ ମାନ୍ଦାବସ୍ଥାର ମୁକାବିଲା:ଆସିବ ‘କ୍ୟାସ୍ ଫର୍ କ୍ଲଙ୍କର୍ସ’ ନୀତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଟୋମୋବାଇଲ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦାବସ୍ଥାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ଏହି କ୍ଷେତ୍ର ଲାଗି ଏକ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଯୋଜନା କରାଯାଉଛି । ଆମେରିକାରେ ଏକଦା ଲାଗୁ ହେଉଥିବା ‘କ୍ୟାସ୍ ଫର୍ କ୍ଲଙ୍କର୍ସ’ ସ୍କିମ୍ର ଏକ ଦେଶୀ ଭର୍ସନ୍ ଘରୋଇ ଶିଳ୍ପରେ ଲାଗୁ ନିମନ୍ତେ ଯୋଜନା କରାଯାଉଥିବା ଜଣାପଡ଼ିଛି ।
ଏବେ ଏହି ସ୍କିମ୍ର ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି । ଅଟୋମୋବାଇଲ କ୍ଷେତ୍ର ସହ ଜଡ଼ିତ ସମସ୍ତ ମନ୍ତ୍ରାଳୟ ନିଜ ନିଜ ସ୍ତରରେ ପରାମର୍ଶ ପ୍ରସ୍ତୁତ କରୁଛନ୍ତି । ବିଶେଷକରି ପୁରୁଣା ଯାନ ପରିତ୍ୟାଗ କରି ନୂଆ ଗାଡ଼ି କିଣିଲେ କେତେ ପରିମାଣର ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ, ତାହା ଉପରେ ବିଚାର କରାଯାଉଛି । କେତେ ପ୍ରୋତ୍ସାହନ ଦେଲେ ଜଣେ ଗ୍ରାହକ ନିଜ ପୁରୁଣା ଗାଡ଼ି ଛାଡ଼ିଦେବାକୁ କୁଣ୍ଠାବୋଧ କରିବ ନାହିଁ, ତାହା ବି ତର୍ଜମା କରାଯାଉଛି ।
କେନ୍ଦ୍ରୀୟ ମନ୍ତ୍ରାଳୟ ବ୍ୟତୀତ ରାଜ୍ୟଗୁଡ଼ିକୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି । ଦେଶବ୍ୟାପୀ ଏହି ଯୋଜନା ଲାଗୁ କରିବାକୁ ସରକାର ଚାହୁଁଥିବାରୁ ରାଜ୍ୟ ସରକାରମାନଙ୍କ ସହମତି ମଧ୍ୟ ଏକାନ୍ତ ଜରୁରି । ଭେଇକିଲ ସ୍କ୍ରାପ୍ ୟାର୍ଡ ସ୍ଥାପନ ନିମନ୍ତେ ଜମି ବ୍ୟବହାର ପ୍ରୋତ୍ସାହନ ବାବଦରେ ମତାମତ ଦେବା ପାଇଁ ରାଜ୍ୟଗୁଡ଼ିକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ‘ଏଣ୍ଡ୍ ଅଫ୍ ଲାଇଫ୍’ ନୀତି ଲାଗୁ କରିବା ଆବଶ୍ୟକ ବୋଲି ଅଟୋମୋବାଇଲ ଶିଳ୍ପ ସଂସ୍ଥାଗୁଡ଼ିକ ବାରମ୍ବାର ଦାବି କରିଆସୁଛନ୍ତି । ଏହାଦ୍ୱାରା ଗାଡ଼ି ବିକି୍ର ବଢ଼ିବ ବୋଲି ସେମାନେ କହୁଛନ୍ତି । ଏହି ନୀତି କାର୍ଯ୍ୟକାରୀ ହେଲେ, ଗ୍ରାହକମାନେ ସେମାନଙ୍କ ପୁରୁଣା ଗାଡ଼ି ଛାଡ଼ି ନୂଆ କିଣିବା ପାଇଁ ଆଗ୍ରହ ଦେଖାଇବେ । ସରକାରଙ୍କ ପକ୍ଷରୁ ଯେଉଁ ପ୍ରୋତ୍ସାହନ ଦିଆଯିବ, ତାହାକୁ ସେମାନେ ବ୍ୟବହାର କରି ନୂଆ ଗାଡ଼ି କିଣିପାରିବେ । ଏଥିପାଇଁ ସରକାରଙ୍କୁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଆଣିବାକୁ ପଡ଼ିପାରେ ।
ଚଳିତବର୍ଷ ଜୁଲାଇରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମର ଚିଠା ସଂଶୋଧନ ନିୟମ ଜାରି କରିଥିଲା । ଏ ନେଇ ପରାମର୍ଶ ଆହ୍ୱାନ କରାଯାଇଥିଲା । ପୁରୁଣା ଗାଡ଼ି ଛାଡ଼ି ନୂଆ ଗାଡ଼ି କିଣିଲେ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବା ନେଇ ଏଥିରେ ପ୍ରସ୍ତାବ ରହିଥିଲା । ଏମିତି କି ଏହି ସ୍କିମ୍ରେ ନୂଆ ଗାଡ଼ି କ୍ରୟ କରାଗଲେ ଏହାର ପଞ୍ଜୀକରଣ ଦେୟ ଛାଡ଼ କରାଯିବ ବୋଲି ପ୍ରସ୍ତାବ ରହିଥିଲା । ଗ୍ରାହକମାନେ ସ୍କ୍ରାପେଜ୍ ପ୍ରମାଣପତ୍ର (ଗାଡ଼ି ପରିତ୍ୟାଗ ପ୍ରମାଣପତ୍ର) ଦାଖଲ କଲେ ଏହି ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଥିଲା । ଦୁଇଚକିଆରୁ ଟ୍ରକ୍ ପର୍ଯ୍ୟନ୍ତ ବର୍ଗର ଗାଡ଼ିରେ ଏହାକୁ ଲାଗୁ କରିବାକୁ ପ୍ରସ୍ତାବ ରହିଥିଲା ।
ଶିଳ୍ପ ପ୍ରତିନିଧିଙ୍କ କହିବାନୁଯାୟୀ ଭାରତର ପ୍ରସ୍ତାବିତ ସ୍କ୍ରାପେଜ୍ ନୀତିରେ ଉଭୟ ବାଣିଜି୍ୟକ ଓ ଯାତ୍ରୀବାହୀ ଏବଂ ଦୁଇଚକିଆ ଗାଡ଼ିକୁ ସାମିଲ କରାଯାଇପାରେ । ଆମେରିକାର ‘କ୍ୟାସ୍ ଫର୍ କ୍ଲଙ୍କର୍ସ’ ସ୍କିମ୍ର ଏକ ଅନୁରୂପ ବ୍ୟବସ୍ଥା ଅଣାଯିବା ଉପରେ ବିଚାର କରାଯାଉଛି । ପୁରୁଣା ଗାଡ଼ି ବଦଳରେ ଇନ୍ଧନ-ଦକ୍ଷ ଯାନ କିଣିବା ଉପରେ ପ୍ରୋତ୍ସାହନ ଦେବାକୁ ଏଥିରେ ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons