ମୁମ୍ବାଇ: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଥିବା ସିରିଡି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଦେଖାଦେଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପାଥ୍ରିକୁ ସାଇବାବାଙ୍କ ଜନ୍ମସ୍ଥାନ ବୋଲି ବର୍ଣ୍ଣନା କରିବା ପରେ ସିରିଡି ଲୋକମାନେ କ୍ଷୁବ୍ଧ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନର ପ୍ରତିବାଦରେ ସିରିଡିର ସ୍ଥାନୀୟ ଲୋକମାନେ ଆସନ୍ତାକାଲି (ରବିବାର) ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି । ଦୋକାନ ବଜାର, ବ୍ୟବସାୟିକ ପ୍ରତିÂାନ, ହୋଟେଲ ଓ ଆଶ୍ରମ ବନ୍ଦ ରହିବ । ଫଳରେ ପ୍ରତିଦିନ ଦର୍ଶନରେ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଘୋର ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ମନ୍ଦିର ଖୋଲା ରହିବ ବୋଲି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ (ଏସ୍ଏସ୍ଏସ୍ଟି) ପକ୍ଷରୁ ଶନିବାର କୁହାଯାଇଛି । ଟ୍ରଷ୍ଟର ଟ୍ରଷ୍ଟି ବି. ୱାକଚୌର କହିଛନ୍ତି ଯେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କର କୌଣସି ସମସ୍ୟା ହେବ ନାହିଁ । ଟ୍ରଷ୍ଟର ସିଇଓ ଦୀପକ ମୁଗଲିକରଙ୍କ କହିବାନୁଯାୟୀ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ ଏବଂ ସବୁଦିନ ଭଳି ଶ୍ରଦ୍ଧାଳୁମାନେ ସୁବିଧାରେ ସାଇବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ । ମନ୍ଦିର ସହ ଜଡିତ ସବୁ ଅନୁÂାନ ଯେପରିକି ସାଇ ପ୍ରସାଦାଳାୟ, ସାଇ ହସ୍ପିଟାଲ, ସାଇ ଭକ୍ତ ନିବାସ ଖୋଲା ରହିବ ଏବଂ ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । କିଛି ବ୍ୟକ୍ତି ବିଶେଷ ଏହି ବନ୍ଦ ଡାକରା ଦେଇଛନ୍ତି । ମନ୍ଦିର ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେହିଭଳି ରାଜ୍ୟ ପରିବହନ ନିଗମର ସବୁ ବସ୍ ଚଳାଚଳ କରିବ ଏବଂ ହୋଟେଲ ମଧ୍ୟ ପୂର୍ବଭଳି ଖୋଲା ରହିବ । କିନ୍ତୁ ଘରୋଇ ବସ୍ ଓ ଅନ୍ୟ ଘରୋଇ ଯାନବାହନ ଚଳାଚଳ ବନ୍ଦ ରହିବ । ମେଡିକାଲ ଓ ଅନ୍ୟ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି ।
ଉଲ୍ଳେଖଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପରଭଣୀ ଜିଲ୍ଲାର ପାଥ୍ରି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ କହିଥିଲେ ଏହି ସହର ହେଉଛି ସାଇବାବାଙ୍କ ଜନ୍ମସ୍ଥାନ । ଏଠାରେ ରହିଥିବା ମନ୍ଦିର ପରିଦର୍ଶନ ଲାଗି ବହୁସଂଖ୍ୟକ ଶ୍ରଦ୍ଧାଳୁ ଆସୁଛନ୍ତି । ତେଣୁ ଏହି ସହରକୁ ପର୍ଯ୍ୟଟନ ସହର ଭାବେ ବିକଶିତ କରାଯିବ । ଏଥିପାଇଁ ଉଦ୍ଧବ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଅପରପକ୍ଷରେ ଅହମ୍ମଦନଗର ଜିଲ୍ଲାରେ ଥିବା ସିରିଡିର ଲୋକମାନେ କହିଛନ୍ତି ଯେ ପାଥ୍ରିର ବିକାଶ ହେବାରେ ସେମାନଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ପାଥ୍ରିକୁ ସାଇବାବାଙ୍କ ଜନ୍ମସ୍ଥାନ ଭାବେ ଘୋଷଣା କରାଯିବାକୁ ସେମାନେ ଗ୍ରହଣ କରିବେ ନାହିଁ । ପ୍ରକୃତ କଥା ହେଉଛି ସେମାନେ ଆଶଙ୍କା କରୁଛନ୍ତି ଯେ ପାଥ୍ରିର ବିକାଶ ହେବା ଦ୍ୱାରା ସିରିଡିର ଗୁରୁତ୍ୱ କମିଯିବ । ତେଣୁ ସେମାନେ ବନ୍ଦ ଡାକରା ଦେଇଛନ୍ତି । ତା’ଛଡ଼ା ସେମାନେ ଅଭିଯୋଗ କରିଛନ୍ତି ଯେ ପାଥ୍ରି ସାଇବାବାଙ୍କ ଜନ୍ମସ୍ଥାନ ବୋଲି କୌଣସି ପ୍ରମାଣ ନାହିଁ ।
ସିରିଡି ସହର ନିକଟ ପ୍ରାୟ ୨୫ରୁ ଅଧିକ ଗାଁର ଲୋକମାନେ ଏହି ବନ୍ଦରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବନ୍ଦକୁ କିଭଳି ଆହୁରି ବ୍ୟାପକ କରାଯିବ ତାହା ଉପରେ ଶନିବାର ସନ୍ଧ୍ୟାର ଗ୍ରାମସଭା ବୈଠକ ବସି ବ୍ୟାପକ ବିଚାର ବିମର୍ଶ କରାଯାଇଛି । ବନ୍ଦର ନେତୃତ୍ୱ ନେଇଥିବା ସ୍ଥାନୀୟ ଅଞ୍ଚଳର ନୀତିନ କୋଟେଙ୍କ କହିବାନୁଯାୟୀ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିବେ । ମୁଖ୍ୟମନ୍ତ୍ରୀ ସାଇବାବାଙ୍କ ଜନ୍ମସ୍ଥାନ ସମ୍ପର୍କରେ ଭୁଲ ତଥ୍ୟ ଉପସ୍ଥାପନ କରିଛନ୍ତି । ସେ ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ ନ କରିବା ପର୍ଯ୍ୟନ୍ତ ଏହି ବନ୍ଦ ଚାଲିବ । ସମ୍ଭବତଃ ମୁଖ୍ୟମନ୍ତ୍ରୀଙ୍କୁ କିଛି ଲୋକ ଭୁଲ ତଥ୍ୟ ଦେଇଛନ୍ତି । ଅନ୍ୟପକ୍ଷରେ ଏନ୍ସିପି ବିଧାୟକ ଦୁରାଣୀ ଅବଦୁଲା ଖାନ୍ କହିଛନ୍ତି ଯେ ପାଥ୍ରି ହେଉଛି ସାଇବାବାଙ୍କ ଜନ୍ମସ୍ଥାନ । ଏହାର ଯଥେଷ୍ଟ ପ୍ରମାଣ ଅଛି । ପାଥ୍ରି ହେଉଛି ସାଇବାବାଙ୍କ ଜନ୍ମଭୂମି ଓ ସିରିଡି କର୍ମଭୂମି । ଉଭୟ ସ୍ଥାନର ସମାନ ଗୁରୁତ୍ୱ ରହିଛି । ସେହିଭଳି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ତଥା ବରିÂ କଂଗ୍ରେସ ନେତା ଅଶୋକ ଚୌହାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି । ସେ କହିଛନ୍ତି ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି ହେବା ଠିକ୍ ନୁହେଁ । ଶ୍ରଦ୍ଧାଳୁମାନଙ୍କ କଲ୍ୟାଣକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା ହେଉଛନ୍ତି ।


Comments are closed, but trackbacks and pingbacks are open.