ଭୁବନେଶ୍ୱର, (ବି.ବି.ବୁ୍ୟରୋ): ମହାତ୍ମା ଗାନ୍ଧିଙ୍କ ଉପଦେଶ ଓ ଆଦର୍ଶ ସାରା ବିଶ୍ୱ ପାଇଁ ଶିକ୍ଷଣୀୟ । ବାପୁଙ୍କ ସ୍ୱପ୍ନକୁ ସାକାର କରିବାକୁ ମୋଦି ସରକାର ଅଙ୍ଗୀକାରବଦ୍ଧ । ଶନିବାର ଅନୁଗୁଳ ଜିଲ୍ଲା ଧକୁଟାରୁ ଶଙ୍କରପୁର ଛକ ପର୍ଯ୍ୟନ୍ତ ଆୟୋଜିତ ବିଜେପିର ଗାନ୍ଧି ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଗାନ୍ଧିଙ୍କ ସର୍ବୋଦୟ ହିଁ ଏବେ ମୋଦି ସରକାରଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ । ଗରିବ ମା’ ଘରେ ଉଜ୍ଜ୍ୱଳାରେ ସ୍ୱଚ୍ଛ ଇନ୍ଧନ ହେଉ କି ତା ଆଖିରେ ଲୁହ ପୋଛିବା, ସ୍ୱଚ୍ଛ ଭାରତ ଅଭିଯାନରେ ଗରିବ ଘରେ ପାଇଖାନା, ଗରିବଙ୍କ ମୁଣ୍ଡରେ ପକ୍କା ଘର ପାଇଁ ଆବାସ, ଆୟୁଷ୍ମାନ ଯୋଜନା, ବଞ୍ଚିତ, ନିଷ୍ପେସିତ ଓ ଅବହେଳିତଙ୍କ ସ୍ୱାସ୍ଥ୍ୟସେବା, ସବୁଠି ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବାକୁ ମୋଦି ସରକାର ଅଙ୍ଗୀକାରବଦ୍ଧ ।
ବାପୁ ଦେଖିଥିବା ସ୍ୱରାଜ୍ୟ ସ୍ୱପ୍ନକୁ ପୂରା କରିବାକୁ ମୋଦି ଲାଗି ପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ, ପ୍ଲାଷ୍ଟିକ ପ୍ରଭାବରୁ ଦେଶକୁ ମୁକ୍ତ କରିବା, ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବଦଳରେ କାଗଜ ଓ କପଡ଼ା ବ୍ୟାଗ ବ୍ୟବହାର, ଗଛ ଲଗାଇବା, ନିଶା ନିବାର ଓ ଜଳ ସଂରକ୍ଷଣ ଏକ ଜନ ଆନେ୍ଦାଳନରେ ପରିଣତ ହୋଇଛି ।
ସ୍ୱଚ୍ଛ ଭାରତ, ସ୍ୱଦେଶୀ ଅର୍ଥନୀତି, ସୂତା କାଟିବା ଓ ଅସ୍ପୃଶ୍ୟତା ବିରୋଧରେ ଜନଜାଗରଣ ସୃଷ୍ଟି କରିବା ମହାତ୍ମାଗାନ୍ଧୀଙ୍କ ଦୂରଦୃଷ୍ଟି ଥିଲା । ଦେଶକୁ ସ୍ୱାଧୀନତା ଦେବାରେ ଗାନ୍ଧୀଙ୍କ ନେତୃତ୍ୱରେ ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ, ସାରଙ୍ଗଧର ପଟ୍ଟନାୟକ, ସହିଦ ବାଜି ରାଉତ, ସର୍ଦ୍ଧାର ପଟେଲ, ମୌଲାନା ଆଜାଦ, ରାଜେନ୍ଦ୍ର ପ୍ରସାଦ, ହରେକୃଷ୍ଣ ମହତାବ, ପଣ୍ଡିତ ଗୋପବନ୍ଧୁ ଦାସ ପ୍ରମୁଖ ଭୂମିକା ନେଇଥିଲେ ।
୧୯୩୪ରେ ଗାନ୍ଧିଜୀ ଝାରସୁଗୁଡ଼ାରୁ ପୁରୀ ଗସ୍ତ କରିଥିଲେ । ପୁରୀରୁ କଟକ ତେଲେଙ୍ଗାପେଣ୍ଠ ଦେଇ ସ୍ୱରାଜ ଆଶ୍ରମକୁ ଆସିଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୨୧ରୁ ୧୯୪୭ ମଧ୍ୟରେ ଅନୁଗୁଳ ସମେତ ୮ଥର ଓଡିଶା ଗସ୍ତରେ ଆସି ସ୍ୱାଧୀନତା ସଂଗ୍ରାମ ସହ ସାମାଜିକ ଓ ଆର୍ଥିକ ଉତ୍ଥାନ ବାର୍ତ୍ତା ପ୍ରଚାର କରିଥିଲେ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.