ଅନୁସୂଚିତ ଜନଜାତି ସ୍କୁଲରେ ପାସ୍ ହାର ଅଧିକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟଗୁଡିକର ପାସ୍ ହାର ସାଧାରଣ ବିଦ୍ୟାଳୟର ପାସ୍ ହାର ଅପେକ୍ଷା ଅଧିକ ରହୁଛି । ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟଗୁଡିକର ଉତ୍ତୀର୍ଣ୍ଣ ହାର ୭୯.୧୦% ଥିବା ବେଳେ ରାଜ୍ୟସ୍ତରୀୟ ଉତ୍ତୀର୍ଣ୍ଣ ହାର ୭୨.୩୫% ଥିଲା । ସେହିପରି ୨୦୧୮ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟଗୁଡିକର ପାସ୍ ହାର ୮୫.୬୩% ଥିବା ବେଳେ ରାଜ୍ୟସ୍ତରୀୟ ପାସ୍ ହାର ୭୭.୩୫% ଥିଲା । ୨୦୧୯ ମସିହାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ପାସ୍ ହାର ୯୫.୪୯% ଥିଲା ବୋଲି ରାଜ୍ୟ ସରକାର ଗୃହରେ ତଥ୍ୟ ରଖିଛନ୍ତି ।
ରାଜ୍ୟ ସରକାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ୧୬୭୦ଟି ଅବାସିକ ସ୍କୁଲ ଖୋଲି ୫.୯୩ ଲକ୍ଷ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି । ସେହିପରି ଏହି ବିଭାଗ ଅଧୀନରେ ୪୨୨ଟି ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଛି । ପାସ୍ ହାର ବଢାଇବା ପାଇଁ ଛାତ୍ରଛାତ୍ରୀଙ୍କ ଆନୁପାତିକ ହାରରେ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରାଯାଇଛି । କମ୍ପ୍ୟୁଟର୍ଜନିତ ମୌଳିକ ଜ୍ଞାନ ଓ ଶିକ୍ଷାଦାନ ପାଇଁ କମ୍ପ୍ୟୁଟର୍ ଗବେଷଣାଗାର ପ୍ରତିଷ୍ଠା କରାଯାଇଛି । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନିୟମିତ ପ୍ରତିକାରମୂଳକ ଶିକ୍ଷା ବା ରିମେଡିଆଲ୍ କୋଚିଂ ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କୁ ବହି, ଖାତା ସହିତ ଗାଇଡ୍ ବୁକ୍, ରେଫାରେନ୍ସ୍ ବହି ମଧ୍ୟ ମାଗଣା ଯୋଗାଇ ଦିଆଯାଉଛି ବୋଲି ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କ ପ୍ରଶ୍ନର ଉତ୍ତରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons