
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିବର୍ଗର ପ୍ରାୟ ୫୦ ହଜାର ପିଲାଙ୍କୁ ମିଳିଛି ୧୦୧ କୋଟି ଟଙ୍କାର ଛାତ୍ରବୃତ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ୫-ଟି କାର୍ଯ୍ୟକାରୀ ହେବା ସହ ଏ ବୃତ୍ତି ଅର୍ଥ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ୩ ଆକାଂକ୍ଷା ହଷ୍ଟେଲ ସହ ୬୮ଟି ଛାତ୍ରାବାସର ମଧ୍ୟ ଉଦ୍ଘାଟନ କରିଛନ୍ତି । ହଷ୍ଟେଲରେ ରହୁଥିବା ୫.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ‘ମୋ ଛାତ୍ରାବାସ କାର୍ଡ’ ପ୍ରଦାନର ଶୁଭାରମ୍ଭ ମଧ୍ୟ ହୋଇଛି । ମାତୃଭାଷାଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଛି ।
୫-ଟି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ବହୁ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର । ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିପାରିଛନ୍ତି । ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷା ସବୁଠାରୁ ହେଉଛି ଉତ୍ତମ । ମାତୃଭାଷା ଜରିଆରେ ପିଲାମାନେ ସହଜରେ ଶିକ୍ଷା ଗ୍ରହଣ କରିପାରନ୍ତି । ଆଜି ଆରମ୍ଭ ହୋଇଥିବା ସଂହତି କାର୍ଯ୍ୟକ୍ରମ ଦ୍ୱାରା ଦେଢ଼ ଲକ୍ଷ ପିଲା ସୁବିଧାରେ ପଢ଼ି ପାରିବେ । ଓଡ଼ିଶା ଷ୍ଟେଟ ସ୍କଲାରସିପ୍ ପୋର୍ଟାଲରେ ଏଣିକି ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ସିଧାସଳଖ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏସ୍ସି/ଏସ୍ଟି ପିଲାଙ୍କୁ ସହରର ଭଲ ସ୍କୁଲରେ ଶିକ୍ଷା ଦେବାକୁ ଆକାଂକ୍ଷା ଯୋଜନା ଚାଲୁଅଛି । ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ୩ଟି ଆକାଂକ୍ଷା ହଷ୍ଟେଲ ଉଦ୍ଘାଟନ କରିଛନ୍ତି । ଏସବୁ ଯୋଜନାଗୁଡ଼ିକ ବିଭାଗର କାର୍ଯ୍ୟକ୍ରମରେ ଅଧିକ ଦକ୍ଷତା ଓ ସ୍ୱଚ୍ଛତା ଆଣିବାରେ ସହାୟକ ହେବ ବୋଲି ମୁଖମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ୬୮ ଛାତ୍ରାବାସ ଲୋକାର୍ପଣ କରିଥିଲେ । ଏଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପିଲାଙ୍କ ଦକ୍ଷତା ବିକାଶ ପାଇଁ ପ୍ରୟାସ ଯୋଜନାରେ ୭୫୦୦ ରୁ ଅଧିକ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏ କାର୍ଯ୍ୟକ୍ରମ କରାଯାଉଛି ।
ଆପଦଗ୍ରସ୍ତ ଜନଜାତିଙ୍କ ପାଇଁ ପୁଷ୍ଟି କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ଏହା ହେଉଛି ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏ କାର୍ଯ୍ୟକ୍ରମରେ ୩୫୦୦ ଆପଦଗ୍ରସ୍ତ ଜନଜାତି ଚାଷୀ, ୨୩ ହଜାର ଶିଶୁ ଓ ୨୫ ହଜାର ମା ଉପକାର ପାଇବେ । ଅଜୀମ ପ୍ରେମ୍ଜୀ ସଂଗଠନର ସହାୟତାରେ ୧୧୩୮ ଆପଦଗ୍ରସ୍ତ ଜନଜାତି ଗାଁରେ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ଜନଜାତି ପିଲାମାନେ ଆଗକୁ ବଢ଼ିବା ସହ ସେମାନଙ୍କ ସଶକ୍ତିକରଣ ହେବ ।
କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ସାମିଲ ହୋଇ କହିଲେ, ଏହାଦ୍ୱାରା ଏସ୍ସି ଓ ଏସ୍ଟି ପିଲାମାନେ ଆଗକୁ ବଢ଼ିବା ସହ ଓଡ଼ିଶା ବିକାଶରେ ଯୋଗଦାନ ରଖିପାରିବେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ରାଉରକେଲା ବିଧାୟକ ସାରଦା ନାଏକ ଭିଡିଓ କନଫରେନସିଂରେ ଯୋଡ଼ି ହୋଇଥିଲେ । ନବରଙ୍ଗପୁର ଓ କେନ୍ଦୁଝରର ଦୁଇ ଜଣ ବୃତ୍ତି ପାଇଥିବା ପିଲା ନିଜର ମତ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ବିଭାଗୀୟ ସଚିବ ରଂଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.