ଭୁବନେଶ୍ୱର: ରାଜ୍ୟ ପୁଲିସ୍ର ଅନ୍ତରୀଣ ଡିଜି ଭାବେ ସତ୍ୟଜିତ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।କଟକ ପୁଲିସ୍ ମୁଖ୍ୟାଳୟରେ ଆଜି ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱକୁ ସୁଚାରୁରୂପେ ପରିଚାଳନା କରିବା ସହ ସମସ୍ତ ଅଧିକାରୀଙ୍କୁ ନେଇ କାମ କରିବେ ବୋଲି ଏହି ଅବସରରେ ସତ୍ୟଜିତ ମହାନ୍ତି କହିଛନ୍ତି।
ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ବିଜୟ କୁମାର ଶର୍ମାଙ୍କୁ ହଟାଇ ଅଭୟଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ତେବେ ସେ ଦାୟିତ୍ୱ ନେବା ପର୍ୟ୍ୟନ୍ତ ସତ୍ୟଜିତ୍ ମହାନ୍ତି ଚାର୍ଜରେ ରହିବେ।
୧୯୮୮ ବ୍ୟାଚ୍ର୍ ଆଇପିଏସ୍ ଅଫିସର ହେଉଛନ୍ତି ସତ୍ୟଜିତ ମହାନ୍ତି। ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି, ଜେଲ୍ ଡିଜି ଏବଂ ଟ୍ୱିନ୍ସିଟି ପୁଲିସ୍ କମିଶନର୍ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ସତ୍ୟଜିତ। ଗତକାଲି ରାତିରେ କାଗଜପତ୍ରରେ ସେ ଦାୟିତ୍ୱ ନେଇଥିଲେ।
ବିଜୟ କୁମାର ଶର୍ମାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଡିଜିପି ଦାୟିତ୍ୱ ଓ ଅଗ୍ନିଶମ ଡିଜି ପଦରୁ ହଟା ଯାଇଥିଲା। ତାଙ୍କ ନାଁରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଅଛି। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଅଛନ୍ତି ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଉନ୍ନୟନ କମିଶନର।
ଆହୁରି ପଢ଼ନ୍ତୁ
Comments are closed, but trackbacks and pingbacks are open.