‘ଅପରେସନ ଶୁଭ ଯାତ୍ରା’କୁ ସଫଳ ମଡେଲ କହିଲେ ଆଇଟି ସଚିବ ମନୋଜ ମିଶ୍ର

Get real time updates directly on you device, subscribe now.

ଭୁବନେଶ୍ୱର : କେରଳରୁ ୧୨ଶହ ପ୍ରବାସୀ ଓଡିଆ ଶ୍ରମିକ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥି ଲାଗି ରାଜ୍ୟ ସରକାର ହାତକୁ ନେଇଥିବା ‘ଅପରେସନ ଶୁଭଯାତ୍ରା’ ସମ୍ପର୍କରେ ରାଜ୍ୟ ସୂଚନା ଓ ପ୍ରାଦ୍ୟୋଗିକୀ ସଚିବ ମନୋଜ ମିଶ୍ର ବିବରଣୀ ପ୍ରଦାନ କରି ଏହାକୁ ସ୍ଥାନାନ୍ତରଣର ସଫଳ ମଡେଲ ବୋଲି କହିଛନ୍ତି। ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମିଶ୍ର ଏଥିଲାଗି କେରଳ ସରକାରଙ୍କ ସହ ମିଶି ରାଜ୍ୟ ସରକାର ପୂର୍ବରୁ ଯୋଜନାର ରୂପରେଖ ଚୂଡାନ୍ତ କରିଥିଲେ ବୋଲି କହିଛନ୍ତି।
କରୋନା ଲକଡାଉନ୍‌ ଯୋଗୁ କେରଳରେ ଅଟକି ରହିଥିବା ଓଡିଆଙ୍କୁ ସେମାନଙ୍କ ରାଜ୍ୟକୁ ସମ୍ମାନ ଓ ସୁବିଧାରେ ଆଣିବା ଲାଗି ଏହି ପଦକ୍ଷେପ ନିଆଯାଇଥିଲା। ପ୍ରଥମ ଟ୍ରେନରେ ୧ହଜାର ୧୫୦ ଯାତ୍ରୀଙ୍କୁ ନେଇ ଏର୍ଣ୍ଣାକୁଲମ ଷ୍ଟେସନରୁ ଛାଡିଥିବା ସ୍ୱତନ୍ତ୍ର ଟ୍ରେନ ମେ ୩ ତାରିଖ ଦିନ ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚିଥିଲା। ଓଡିଆଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଲାଗି ଯୋଜନା ପ୍ରସ୍ତୁତିରେ କେରଳ ସରକାରଙ୍କ ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୋଲିସ ସମେତ ଅନେକ ବିଭାଗ କର୍ମଚାରୀଙ୍କୁ ନେଇ ୧୨ଟି ଟିମ୍ ଗଠନ କରାଯାଇଥିଲା।
ଏହି ଟିମ୍‌ ମାନେ ପ୍ରାଥମିକତା ଭିତ୍ତିରେ ଅଟକି ରହିଥିବା ଓଡିଆଙ୍କ ଜରୁରି ସୂଚୀ ପ୍ରସ୍ତୁତିଠାରୁ ଆରମ୍ଭ କରି ସେମାନଙ୍କୁ ଷ୍ଟେସନ ପର୍ୟ୍ୟନ୍ତ ପହଞ୍ଚାଇବାରେ ବେଶ୍ ସହଯୋଗ କରିଥିଲେ। ଯେଉଁଠାରେ ଜଣ ଜଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ଟ୍ରେନକୁ ଉଠାଯାଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେଠାରୁ ଆସିଥିବା ୧ହଜାର ୧୫୦ ଜଣ ରାଜ୍ୟର ୩୦ରୁ ୨୩ ଜିଲ୍ଲାର ବାସିନ୍ଦା। ଏମାନଙ୍କ ମଧ୍ୟରୁ ସର୍ବାଧିକ ୩୮୨ ଜଣ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ କେନ୍ଦ୍ରାପଡାର ୨୮୩, ଗଞ୍ଜାମ ଜିଲ୍ଲାରୁ ୧୩୦, ଭଦ୍ରକରୁ ୯୮ ଓ କେନ୍ଦୁଝର ଜିଲ୍ଲାରୁ ୮୮ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି।
ସେହିପରି ଓଡିଶାରେ ଅଣାଯାଉଥିବା ପ୍ରବାସୀ ଶ୍ରମିକଙ୍କ ଲାଗି ରେଳ ପରିଚାଳନା ନୋଡାଲ ଅଫିସର ଭାବେ ଗୃହ ସଚିବ ସଞ୍ଜୀବ ଚୋପ୍ରା ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କ ଅଧିନରେ ସ୍ୱାସ୍ଥ୍ୟ, ବିପର୍ୟ୍ୟୟ ପରିଚାଳନା, ପରିବହନ, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ମିଳିତ ଭାବେ ଦାୟିତ୍ୱ ତୁଲାଇଛନ୍ତି। ପ୍ରାରମ୍ଭିକ ପର୍ୟ୍ୟାୟରେ ଟ୍ରେନର ଗନ୍ତବ୍ୟ ଭୁବନେଶ୍ୱର ପର୍ୟ୍ୟନ୍ତ ସ୍ଥିରିକୃତ ଥିଲା। ତେବେ ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କ ଦୃଷ୍ଟିରୁ ଟ୍ରେନକୁ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଓ ଖୋର୍ଦ୍ଧା ରୋଡରେ ଛିଡା କରାଇବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଆଇଟି ସଚିବ କହିଛନ୍ତି।
ଦକ୍ଷିଣ ଓଡିଶା( ଗଞ୍ଜାମ, ଗଜପତି,କନ୍ଧମାଲ ଓ ମାଲକାନଗିରି) ଜିଲ୍ଲାର ଲୋକଙ୍କୁ ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଯାଇଥିବା ବେଳେ ବାକି ଲୋକଙ୍କୁ ଖୋର୍ଦ୍ଧାରୋଡରେ ଟ୍ରେନରୁ ଖାଲି କରାଯାଇଥିଲା ବୋଲି ସେ କହିଥିଲେ। ଟ୍ରେନରେ ଆସିଥିବା ଲୋକଙ୍କୁ ସେମାନଙ୍କ ପଞ୍ଚାୟତ ଜିମା ଦିଆଯାଇଥିବା ବେଳେ ସେମାନେ ନିଜନିଜ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ନିର୍ଦ୍ଧିଷ୍ଟ ଅବଧି ପର୍ୟ୍ୟନ୍ତ ଅବସ୍ଥାନ କରିବେ। ଓଡିଆ ଶ୍ରମିକଙ୍କ ଉଦ୍ଧାରର ଏହି ମଡେଲ ଏବେ ଦେଶର ଅନ୍ୟ ରାଜ୍ୟମାନଙ୍କୁ ପ୍ରଦାନ କରାଯିବ ବୋଲି ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଶ୍ରମିକଙ୍କୁ ସମ୍ମାନ ଜଣାଇ ରେଳବାଇ ସାରା ଦେଶରେ ୬ଟି ଟ୍ରେନ ଚଳାଇଥିଲେ। ଏଥିରୁ ନିଜ ରାଜ୍ୟର ଶ୍ରମିକଙ୍କ ଲାଗି ଗୋଟିଏ ଟ୍ରେନ ସୁନିଶ୍ଚିତ କରିବାରେ ସଫଳ ହୋଇଥିବା ବେଳେ ସଫଳତାର ସହ କେରଳରୁ ୧ହଜାର ୧୫୦ ଜଣଙ୍କ ଉଦ୍ଧାର କରାଯାଇପାରିଥିବା ମିଶ୍ର କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons