ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜାରି ରହିଥିବା ଅବରୋଧ ହଟାଇବାକୁ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ଦାବି କରିଛି । ଏଥିସହିତ ଦଳର ସଭାପତି ଫାରୁକ ଅବଦୁଲା ଓ ଉପସଭାପତି ଓମାର ଅବଦୁଲାଙ୍କ ସମେତ ଗିରଫ ସବୁ ନେତାଙ୍କୁ ଖଲାସ କରିବାକୁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି । ଆଜି ଜମ୍ମୁର ସେର୍-ଇ-କାଶ୍ମୀର ଭବନରେ ଏନ୍ସିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ବହୁ ନେତା ଯୋଗ ଦେଇଥିଲେ । ବୈଠକ ପରେ ଏକ ଘୋଷଣାନାମା ଜାରି କରାଯାଇଛି । ଯେଉଁଥିରେ ଦଳ ଦର୍ଶାଇଛି ଯେ ଦେଶର ଏହି ଭାଗରେ ଧର୍ମନିରପେକ୍ଷତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ଇତିହାସର ସବୁଠାରୁ ଘଡିସନ୍ଧି ସମୟ ଦେଇ ଜମ୍ମୁ-କାଶ୍ମୀରବାସୀ ଜୀବନ ଧାରଣ କରୁଛନ୍ତି । ବିଭିନ୍ନ ଦଳର ଶତାଧିକ ନେତାଙ୍କୁ ଗିରଫ କରାଯାଇଛି । ରାଜ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ଯେଉଁ ପରିସ୍ଥିତି ଘଟିଛି ତାହା ୧୯୭୫ ଜରୁରୀ ପରିସ୍ଥିତି ଠାରୁ ଆହୁରି ଭୟଙ୍କର । ଜମ୍ମୁ-କାଶ୍ମୀରର ପରିଚୟକୁ ହଜାଇ ଦିଆଯାଇଛି । ଏଭଳି ଘଟଣା ପାଇଁ ବିଜେପି ଦାୟୀ ବୋଲି ଏନ୍ସି ନେତାମାନେ ଅଭିଯୋଗ କରିଛନ୍ତି । ଦଳର ବରିଷ୍ଠ ନେତାଙ୍କ ଗତିବିଧି ଉପରେ କଟକଣା ଲଗାଯାଇଥିବାରୁ ରାଜ୍ୟ ସମ୍ପାଦକ ରତନ ଲାଲ ଗୁପ୍ତା ଓ ଅନ୍ୟ ୨୦ ଜଣ ନେତା ଏହି ବୈଠକରେ ଯୋଗଦେଇଥିଲେ ।
Comments are closed, but trackbacks and pingbacks are open.