ଅଭାବରୁ ଶିଶୁପୁତ୍ରକୁ ଅନାଥାଶ୍ରମରେ ଛାଡ଼ିବାକୁ ଉଦ୍ୟମ!

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଏ ଘଟଣା କେବିକେ ଭଳି ଉପାନ୍ତ ଅଞ୍ଚଳର ନୁହେଁ, ରାଜଧାନୀଠାରୁ ମାତ୍ର ୧୦୦ କିଲୋମିଟର ଦୂର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନର । ଯେଉଁଠି ଦାରିଦ୍ର୍ୟ ତାଡ଼ନାରେ ପରିବାର ଘାଣ୍ଟିସନ୍ତୁଳି ହେଉଥିବା ବେଳେ, ଅଭାବରେ ପଡ଼ି ନିଜ ପିଲାକୁ ଅନାଥାଶ୍ରମରେ ଛାଡ଼ିବାକୁ ବାହାରିଛନ୍ତି ମା’ । ଖବରଟି ଲୋକଲୋଚନକୁ ଆସିବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳିଛି । ସମସ୍ତ ସରକାରୀ ଯୋଜନା ବି ଯେମିତି ଅପହଞ୍ଚ ହୋଇପଡ଼ିଛି ଏହି ପରିବାର ପାଖରେ । କୌଣସିମତେ କେନ୍ଦ୍ରାପଡ଼ା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଏ ବାବଦରେ ଅବଗତ ହେବା ପରେ ଘଟଣାସ୍ଥଳରେ ପହଞ୍ଚô ପରିବାରକୁ ସୟାୟତା ଦେବା ଦେବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ନିମପୁର ଶାସନରେ ରହନ୍ତି ଜୟନ୍ତୀ ମଲିକ । ସ୍ୱାମୀ ପବିତ୍ର ମୋହନ ମଲିକ ପ୍ରାୟ ଦେଢ଼ବର୍ଷ ଆଗରୁ ରୋଗାକ୍ରାନ୍ତ ହୋଇ ପ୍ରାଣ ହରାଇ ସାରିଛନ୍ତି । ଶଶୂରଙ୍କର ବି ଦେହାନ୍ତ ହୋଇସାରିଛି । ଦେଢ଼ଶୂର ବି କେବେଠାରୁ ଆଖି ବୁଜିସାରିଲେଣି । ଘର ପୁରୁଷ ଶୂନ୍ୟ । ଘରେ କେବଳ ଜୟନ୍ତୀ, ତାଙ୍କର ବୃଦ୍ଧା ଶାଶୂ ଓ ୩ ପିଲା । ସ୍ୱାମୀ ପବିତ୍ର ଜୀବିତ ଥିବାବେଳେ ମୂଲପାତି କାମ କରି ଦୁଃଖ କଷ୍ଟରେ ଘର ଚଳାଇ ନେଉଥିଲେ । ଜମିବାଡ଼ି ବୋଇଲେ କିଛି ବି ନାହିଁ । ସରକାରୀ ଅନାବାଦି ଜାଗାରେ ପଲା ମାରି ମୁଣ୍ଡ ଗୁଞ୍ଜିଛନ୍ତି ପରିବାର । ଏମିତିରେ ମାଗିଯାଚି, ପର ଘରେ କାମ କରି ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ଜୟନ୍ତୀଙ୍କ ପକ୍ଷେ । ୫ ପ୍ରାଣୀ କୁଟୁମ୍ୱକୁ ଆଜିର ମହଙ୍ଗା ବଜାରରେ ଦୈନିକ ଦୁଇ ଓଳି ଆହାର ଯୋଗାଇବା ବି ସହଜ ନୁହେଁ । ଓଳିଏ ଖାଇଲେ ଆର ଓଳିକି ଉପବାସ । ଭୋକରେ ଆଉଟୁପାଉଟୁ ପିଲାଏ । ଏମିତିକି ଖାଦ୍ୟ ନପାଇ ଭୋକରେ ଏଣୁତେଣୁ ଅଖାଦ୍ୟ ଖାଇବାକୁ ବି ବାଧ୍ୟ ହେଉଛନ୍ତି । ଦୁଇ ଓଳି ଖାଦ୍ୟ ସଂଗ୍ରହ କରିବା କାଠିକର ପାଠ ହୋଇଥିବାବେଳେ ପାଠପଢ଼ା କଥା ପଚାରେ କିଏ? ଗାଁ ସ୍କୁଲରେ ବଡ଼ପୁଅ ଚନ୍ଦନ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ ବି ଅଭାବ, ଅନଟନ ଏଥିରେ ବାଧକ ସୃଷ୍ଟି କରିଛି । ୪ ବର୍ଷର ମଝିଅାଁ ଝିଅ ବିଜୟଲକ୍ଷ୍ମୀ, ସାନପୁଅ ଚୈତନ୍ୟ ମା’ ପାଖରେ ଅଛନ୍ତି । ସରକାରୀ ସହାୟତା କହିଲେ କେବଳ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରାସନ କାର୍ଡ ବାବଦକୁ ଯାହା କିଛି ସାମଗ୍ରୀ ପ୍ରତି ମାସରେ ମିଳୁଛି । ତା’ ବାଦ୍ ଅନ୍ୟ କିଛି ସରକାରୀ ବିକଳ୍ପ ଉପଲବ୍ଧ ନାହିଁ ସ୍ୱାମୀହରା ଜୟନ୍ତୀଙ୍କ ପାଖରେ । ତେବେ ତାଙ୍କ ସ୍ୱାମୀ ଦେଢ଼ବର୍ଷ ଆଗରୁ କଟକ ବଡ଼ ମେଡିକାଲରେ କର୍କଟ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ବି ଅଦ୍ୟାବଧି ତାଙ୍କ ମୃତୁ୍ୟ ପ୍ରମାଣପତ୍ର ସେ ସଂଗ୍ରହ କରି ପାରିନାହାନ୍ତି । ଯେଉଁଥିଲାଗି ସରକାରୀ ଯୋଜନା ବାବଦକୁ ସହାୟତା ଅଟକି ରହିଛି । ଅଭାବ, ଅନଟନ ବାବଦରେ ସେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସରକାରୀ ବାବୁମାନଙ୍କୁ ଜଣାଇଥିଲେ ବି ତାଙ୍କ ଗୁହାରି କେହି ଶୁଣିନଥିବା କୋହଭରା କଣ୍ଠରେ କହିଛନ୍ତି ଜୟନ୍ତୀ ।
କ୍ରମବର୍ଦ୍ଧିତ ମହଙ୍ଗା ବଜାରରେ ୩ ପିଲାଙ୍କୁ ନେଇ ଚଳିବା ସମ୍ଭବପର ହେଉ ନଥିବା ବେଳେ ନିଜର ବଡ଼ପୁଅ ଚନ୍ଦନଙ୍କୁ ଅନାଥାଶ୍ରମରେ ଛାଡ଼ିବାକୁ ବାହାରିଥିଲେ ଜୟନ୍ତୀ । ଏ ଖବର ପାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲୁ୍ୟସି) ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର । ଶ୍ରୀମତୀ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଜୟନ୍ତୀଙ୍କ ଘରେ ପହଞ୍ଚô ତାଙ୍କୁ ଏପରି ଉଦ୍ୟମରୁ ନିବୃତ୍ତ କରାଇବା ସହ ପରିବାରକୁ ଧାର୍ଯ୍ୟ ସରକାରୀ ଗାଇଡ୍ଲାଇନ୍ ଆଧାରରେ କେମିତି ସୁବିଧା ଯୋଗାଇ ଦିଆଯାଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏ ବାବଦରେ ସେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କେମିତି ପୀଡ଼ିତ ପରିବାରକୁ ତକ୍ରାଳ ସହାୟତା ମିଳିପାରିବ ସେଥିଲାଗି ଉଦ୍ୟମରତ ଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons