କୁଚିଣ୍ଡା : ଥାନା ପରିସରରେ ନିଶାବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ପ୍ରତାରକ ପ୍ରେମିକର ବାହାଘର ଅଟକାଇବାକୁ ପୋଲିସ ଶୁଣିଲାନି । ତେଣୁ ହତାଶାରେ ଯୁବତୀ ଜଣଙ୍କ ଏପରି କରିଥିବାର ଶୁଣାଯାଉଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାରେ ଏହା ଦେଖିବାକୁ ମିଳିଛି । ନିଶାବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, କୁଚିଣ୍ଡା ଥାନା ଅନ୍ତର୍ଗତ ସଇଡା ଗାଁ ବେଦବ୍ୟାସ ଭୀମଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଗତ ୪ବର୍ଷ ହେଲା ବେଦବ୍ୟାସ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ , ପରେ ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଯୁବକ ତାଙ୍କ ମାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି କହି କିଛି ଦିନ ସମୟ ମାଗିଥିଲେ । ମାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ହେବା ପରେ ଯୁବକ ଜଣଙ୍କ ଅନ୍ୟ ସ୍ଥାନାରେ ବିବାହ କରିଥିବା ଖବର ଯୁବତୀ ଜାଣିବାକୁ ପାଇଥିଲେ , ଏନେଇ ସେ କୁଚିଣ୍ଡା ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ପୋଲିସ ତାଙ୍କ ଏତଲା ରଖିବାରେ ବିଳମ୍ବ କରିବାରୁ ଯୁବତୀ ଜଣଙ୍କ ନିଜ ସାଙ୍ଗରେ ଆଣିଥିବା ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
Comments are closed, but trackbacks and pingbacks are open.