ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ସହରର ଏଫସିଆଇ ଛକ ନିକଟରେ ଚାରିଦିନ ତଳେ ହୋଇଥିବା ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ । ଖୋଦ ଅଭିଯୋଗକାରୀ ନିଜେ ଲୁଟେରା ବୋଲି ଜଣାପଡ଼ିଛି । ଅର୍ଥ ହଡପ କରିବା ଯୋଜନା କରି ଲୁଟର ଚିତ୍ର ଆଙ୍କି ପୁଲିସରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ତାଙ୍କୁ ସହାୟତା କରିଥିବା ତାଙ୍କ ୩ଜଣ ସମ୍ପର୍କୀୟଙ୍କୁ ଗିରଫ କରାଯିବା ସହ ସମସ୍ତ ଟଙ୍କା ଉଦ୍ଧାର କରାଯାଇଥିବା ପୁଲିସ କହିଛି । ଗିରଫ ୪ଜଣ ହେଲେ ଅଭିଯୋଗକାରୀ ଅନିଲ କୁମାର ଗରଡିଆ, ବିବେକ ଗରଡିଆ, ବାପି ମିଶାଲ ଓ ସୁଧାଂଶୁ ମିଶାଲ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ଡ.ଶର୍ବଣା ବିବେକ. ଏମ୍ ସୂଚନା ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଗତ ୧୦ ତାରିଖରେ ସିଏମଏସ ନାମକ ଘରୋଇ ସଂସ୍ଥା କର୍ମଚାରୀ ଅନିଲ କୁମାର ଗରଡ଼ିଆ ୩ଟି ବ୍ୟବସାୟିକ ସଂସ୍ଥା ଓ ଗୋଟିଏ ବ୍ୟାଙ୍କରୁ ଅର୍ଥ ସଂଗ୍ରହ କରି ଡିପୋଜିଟ କରିବା ପାଇଁ ଆସୁଥିଲେ । ସେ ତାଙ୍କ ବାଇକ ଯୋଗେ ଆସିବାବେଳେ ସ୍ଥାନୀୟ ୩୨୬ ନଂ ଜାତୀୟ ରାଜପଥ ପାଶ୍ୱର୍ ଏଫସିଆଇ ଛକ ନିକଟରେ ତାଙ୍କ ପାଖରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ କରିଥିଲେ । ତାଙ୍କ ସଂସ୍ଥାରେ ସେ ଅଭିଯୋଗ କରିବା ପରେ ସଂସ୍ଥା ଅଫିସର ଜେ. ଈଶ୍ୱର ରାଓ ରାୟଗଡା ଥାନାରେ ଲିଖିତ ଏତଲା ଦେଇଥିଲେ । ଈଶ୍ୱରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଥିଲା । ତେବେ ଅନିଲ ଉପରେ ହିଁ ପୁଲିସର ଅଧିକ ସନେ୍ଦହ ହୋଇଥିଲା । କାରଣ ମଧ୍ୟାହ୍ନ ସମୟରେ ଜନଗହଳିପୂର୍ଣ୍ଣ ରାସ୍ତାରେ କିଭଳି ଏତେ ଟଙ୍କା ଲୁଟହେଲା ଓ କେହି ଜାଣିପାରିଲେ ନାହିଁ । ଏହାପରେ ପ୍ରାୟ ୧୧ଜଣଙ୍କୁ ପଚରାଉଚୁରା କରିଥିଲା ପୁଲିସ । ହେଲେ ଅଧିକ ଖୋଳତାଡ଼ ବେଳେ ଅନିଲ ହିଁ ଏହା ରଚିଥିବା ଜଣାପଡିଥିଲା । ତଦନ୍ତକୁ ବଢାଇ ଜେରା କରିବା ସମୟରେ ଅର୍ଥ ହଡପ କରିବା ଉଦେ୍ଧଶ୍ୟ ରଖି ଖୋଦ ନିଜେ ଲୁଟର ନାଟକ ରଚିଥିବା ଅନିଲ ସ୍ୱୀକାର କରିଥିଲା ବୋଲି ପୁଲିସ କହିଛି । ଏହି ଘଟଣାରେ ଅନିଲର ଭାଇ ବିବେକଙ୍କ ସମେତ ସମ୍ପର୍କୀୟ ବାପି ଓ ସୁଧାଂଶୁ ସହାୟତା କରିଥିଲେ । ଘଟଣାର ପର୍ଦ୍ଧାଫାସ ହେବା ପରେ ସମସ୍ତ ୨୩ ଲକ୍ଷ ୯୯ହଜାର ୭୯୭ ଟଙ୍କାକୁ ପୁଲିସ ଉଦ୍ଧାର କରିଛି । ରାୟଗଡା ଥାନା କେସ୍ ନଂ ୨୫୫/୨୦ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି କହିଛନ୍ତି । ଏଥିସହ ଏହି ଘଟଣାରେ ଜଡିତ ଥିବା ବାଇକ ଜବତ କରାଯାଇଛି ।
Comments are closed, but trackbacks and pingbacks are open.