ନବରଙ୍ଗପୁର: ଅମଲାଭଟ୍ଟା ମୁଖ୍ୟରାସ୍ତା କଡ଼ରେ ଡ୍ରେନ୍ ବ୍ୟବସ୍ଥା ହୋଇ ନାହିଁ । ବର୍ଷାଜଳ ରାସ୍ତାରୁ ନିଷ୍କାସନ ହୋଇପାରୁନି । ସେହିପରି ମୁଖ୍ୟରାସ୍ତା କଡ଼ରେ ଥିବା ନାଳ ପାଣି ମୁଖ୍ୟରାସ୍ତା ଉପରେ ମାଡ଼ି ଯାଉଛି । ଜଳ ନିଷ୍କାସନର କୌଣସି ସୁବିଧା ନ ଥିବା ଯୋଗୁଁ ରାସ୍ତା ଉପରେ ପାଣି ବୋହୁଛି । ଆବର୍ଜନା ପରିପୂର୍ଣ୍ଣ ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହେତୁ ରାସ୍ତା ଉପରେ କାଦୁଅ ଓ ଆବର୍ଜନା ଅଟକିଯାଉଛି । ସେହି ରାସ୍ତା ଦେଇ ଯା’ଆସ କରିବାରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅମଲାଭଟା ପଞ୍ଚାୟତର ଅମଲାଭଟା ମୁଖ୍ୟରାସ୍ତା ଅଗମ୍ୟ ହୋଇପଡ଼ିଛି ।
ଖାଲି ସେତିକି ନୁହେଁ, ଏହି ରାସ୍ତାରେ ଖାଲଖମା ପରିପୂର୍ଣ୍ଣ ହୋଇ ରହିଛି । ଖାଲରେ ପାଣି ଜମା ହୋଇ ରହୁଥିବାରୁ ଏହା ଜଣାପଡ଼ୁନି । ଏଥିରେ ପଡ଼ି ଲୋକେ ଖଣ୍ଡିଆଖାବରା ହେଉଛନ୍ତି । ପ୍ରଦୂଷିତ ପାଣି ଓ କାଦୁଅ ଯୋଗୁଁ ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି । ପରିମଳ ବ୍ୟବସ୍ଥା ହେଉ କି ସ୍ୱଚ୍ଛ ଭାରତ ଅଭିଯାନ, ଏଠାରେ ଫେଲ୍ ମାରିଛି । ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରଶାସନ ଏହି ଅବ୍ୟବସ୍ଥା ପ୍ରତି ନଜର ନ ଦେବା ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକ୍ରେ ବଡ଼ବଡ଼ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ଅତି ଆବଶ୍ୟକ କାର୍ଯ୍ୟଗୁଡ଼ିକ ଉପରେ କିପରି ନଜର ପଡ଼ୁନି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ସରକାର ବର୍ଷକୁ ବର୍ଷ ଏହି ବ୍ଲକ୍ ଓ ପଞ୍ଚାୟତକୁ ଉନ୍ନୟନ ପାଣ୍ଠି ଯୋଗାଇ ଦେଉଛନ୍ତି, ମାତ୍ର ଏହି ରାସ୍ତା ମରାମତି ଓ ଜଳ ନିଷ୍କାସନ ସମସ୍ୟା ପ୍ରତି ପ୍ରଶାସନ ଆଖି ବୁଜି ଦେଇଛି । ଏ ସମ୍ପର୍କରେ ଗ୍ରାମବାସୀ ବହୁବାର ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଜଣାଇଲେ ମଧ୍ୟ ସେମାନେ ଶୁଣୁନାହାନ୍ତି । ଏନେଇ ପିିଇଓ ହରେକୃଷ୍ଣ ବିଶୋଇଙ୍କୁ ପଚାରିବାରୁ ତୁରନ୍ତ ସଫେଇ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.