ବ୍ରହ୍ମପୁର: ସହର ଉପକଣ୍ଠ ଭାବିନିପୁର ପଞ୍ଚାୟତ ବାସୁଦେବ ନଗରର ଅମ୍ରିତ ପ୍ରଧାନ (୨୪) କରୋନା ସକାଶେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ତେବେ କୋଭିଡ୍ରୁ ସୁସ୍ଥ ହୋଇ ଆସୁଥିବା ବେଳେ ଫୁସ୍ଫୁସ୍ ସଂକ୍ରମଣ କାରଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା । ଏହାର ଚିକିତ୍ସା ବେଶ୍ ବ୍ୟୟବହୁଳ । ଏଥିପାଇଁ ପରିବାର ଲୋକ, ସମ୍ପର୍କୀୟ ସୋସିଆଲ୍ ମିଡିଆରେ ସହାୟତା ପାଇଁ ସବୁଆଡେ ଅନୁରୋଧ କରିଥିଲେ । କମ୍ ସମୟ ମଧ୍ୟରେ ବେଶ୍ କିଛି ଅର୍ଥ ସଂଗ୍ରହ କରାଯାଇ ତାଙ୍କୁ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି । ଚେନ୍ନାଇରୁ ୬ ଜଣିଆ ଡାକ୍ତର ଦଳ ଭୁବନେଶ୍ୱର ଆସିବା ପରେ ସେମାନଙ୍କ ତତ୍ତ୍ୱାବଧାନରେ ଅମ୍ରିତଙ୍କୁ ଏୟାର୍ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ଆପୋଲୋ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ଏଥିସକାଶସେ କମିଶନରେଟ୍ ପୁଲିସ ତରଫରୁ ହସ୍ପିଟାଲ୍ରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ୍ କରିଡର୍ କରାଯାଇ ଏସ୍କର୍ଟ ମଧ୍ୟରେ ଆମ୍ବୁଲାନ୍ସ ଶୀଘ୍ର ଏୟାର୍ପୋର୍ଟରେ ପହଞ୍ଚିବା ବ୍ୟବସ୍ଥା ମଧ୍ୟ କରାଯାଇ ଥିଲା । ବର୍ତ୍ତମାନ ଅମ୍ରିତ ଚେନ୍ନାଇରେ ଚିକିତ୍ସାଧୀନ ଥିବା ବେଳେ ଦୈନିକ ଚିକିତ୍ସା (ଏକ୍ମୋ, ଲଙ୍ଗ୍ସ୍ ଟ୍ରାନ୍ସପ୍ଲାଣ୍ଟେସନ୍) ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ତାଙ୍କ ଭଉଣୀ ମନିଷା ପ୍ରଧାନ । ତାଙ୍କ ସ୍କୁଲ କଲେଜ ସହପାଠୀ, ପରିବାର ଲୋକ ସମସ୍ତେ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା ଚଳାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ- କର୍ପୋରେଟ୍ ଚାକିରୀରୁ ଇସ୍ତଫା ଦେଇ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ ଅମ୍ରିତ । ହେଲେ ବାପା ମାଆ କରୋନା ସଂକ୍ରମିତ ହେବା ପରେ ସେମାନଙ୍କ ସେବା ଶୁଶ୍ରୁଷା କରୁଥିବା ବେଳେ ନିଜେ ମଧ୍ୟ ଆକ୍ରାନ୍ତ ହୋଇ ପଡିଥିଲେ । ମେ ୨ ତାରିଖରୁ ଭୁବନେଶ୍ୱର ଏମ୍ସ୍ରେ ଚିକିତ୍ସାଧୀନ ଥିଲେ ସେ । ୧୨ ତାରିଖରୁ ଭେଣ୍ଟିଲେଟର୍ରେ ଥିବା ବେଳେ ନିମୋନିଆ, ସେପ୍ଟିସେମିଆ, ଫଙ୍ଗାଲ୍ ଇନ୍ଫେକ୍ସନ୍ ହେତୁ ତାଙ୍କ ଅବସ୍ଥା ସାଂଘାତିକ ହୋଇ ପଡିଥିଲା । ଏବେ ଚେନ୍ନାଇରେ ଅମ୍ରିତଙ୍କ ଚିକିତ୍ସାରେ ଦୈନିକ ବହୁଳ ଅର୍ଥ ଖର୍ଚ୍ଚ ହେଉଛି ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନାଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ଅମ୍ରିତଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅମ୍ରିତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସାଙ୍ଗକୁ ତାଙ୍କ ପିତା ମଦନ ମୋହନ ପ୍ରଧାନଙ୍କୁ ୫୦,୦୦୦ ଟଙ୍କା ସହାୟତା ରାଶି ଯୋଗାଇ ଦେଇଛନ୍ତି । ସାହସ ଓ ଧୌର୍ଯ୍ୟ ଧରି ରହିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଭାବିନିପୁର ପଞ୍ଚାୟତର ବିଜେପି ନେତା ସୁଶୀଲ ସେନ ମଧ୍ୟ୍ୟ ୩୦୦୦ ଟଙ୍କା ପ୍ରଦାନ କରିଛନ୍ତି । ସମାଜ ଓ ଦେଶର ଭବିଷ୍ୟତ ପାଇଁ ଏହିଭଳି ଯୁବକଙ୍କୁ ସହଯୋଗ ପାଇଁ ସମସ୍ତେ ସାହାଯ୍ୟର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି ବିଜେପି ନେତୃବୃନ୍ଦ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.