ନୂଆଦିଲ୍ଲୀ: ଦୀପାବଳି ଅବସରରେ ଉତ୍ତରପ୍ରଦେଶର ପବିତ୍ର ରାମଙ୍କ ନଗରୀ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଛନ୍ତି । ତାଙ୍କ ଉପସ୍ଥିତିରେ ଭଗବାନ ରାମଙ୍କ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଅବସରରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସହରର ରାମ କି ପାଡି ସମେତ ସରଜୁ ନଦୀର ବିଭିନ୍ନ ଘାଟରେ ଶ୍ରଦ୍ଧାଳୁମାନେ ୫ଲକ୍ଷ ୫୧ ହଜାରରୁ ଅଧିକ ମାଟି ଦୀପ ଲଗାଇଛନ୍ତି । ଯାହାକି ବିଶ୍ୱରେକର୍ଡ ସୃଷ୍ଟି କରିଛି ।
ଫିଜିର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ବୀଣା ଭଟନାଗର ଚଳିତବର୍ଷର ଦୀପୋତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ହୋଇଥିଲେ । ସେ ରାମ କି ପାଡି ଠାରେ ପ୍ରଥମ ଦ୍ୱୀପ ପ୍ରଜ୍ୱଳନ କରିଥିଲେ । ତାଙ୍କ ସହିତ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ କ୍ୟାବିନେଟର ବହୁ ମନ୍ତ୍ରୀ ଓ ନେତା ମଧ୍ୟ ଉପସ୍ଥିତ ଥିଲେ । ୨୦୧୭ ମାର୍ଚ୍ଚରେ ଯୋଗୀ ସରକାର କ୍ଷମତାକୁ ଆସିବା ପରେ ସେହିବର୍ଷ ଅକ୍ଟୋବରରେ ପ୍ରଥମ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଗତବର୍ଷ ମଧ୍ୟ ଏହି ଉତ୍ସବ ଅନୁÂିତ ହୋଇଥିଲା । ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ ଜଙ୍ଗ-ସୁକ ସେଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିବର୍ଷ ୩ଲକ୍ଷ ୧୫୨ ମାଟିଦୀପ ଲଗାଯାଇ ରେକର୍ଡ ସୃଷ୍ଟି ହୋଇଥିଲା । କିନ୍ତୁ ଚଳିତବର୍ଷ ସେହି ରେକର୍ଡ ଭାଙ୍ଗିବା ସହ ୫ଲକ୍ଷ ୫୧ ହଜାରରୁ ଅଧିକ ଦୀପ ଲଗାଯାଇ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ସୃଷ୍ଟି କରାଯାଇଛି । କେଳ ରାମ କି ପାଡିରେ ୪ଲକ୍ଷ ଦୀପ ଲଗାଯାଇଛି ଏବଂ ସହରର ଅନ୍ୟ ସ୍ଥାନରେ ଦେଢ଼ଲକ୍ଷରୁ ଅଧିକ ଦୀପ ଜଳାଯାଇଥିବା ଜଣାପଡିଛି । ଦୀପୋତ୍ସବକୁ ରାଜ୍ୟ ମେଳା ଭାବେ ଘୋଷଣା କରାଯାଇଛି ।
ଦୀପୋତ୍ସବ କାର୍ଯ୍ୟକ୍ରମ ପୂର୍ବରୁ ମଧ୍ୟପ୍ରଦେଶ, ଝାଡଖଣ୍ଡ ଓ ରାଜସ୍ଥାନ ସମେତ ଦେଶର ବିଭିନ୍ନ ଭାଗରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶୋଭାଯାତ୍ରାରେ କଳାକାରମାନେ ଭଗବାନ ରାମ, ଶ୍ରୀକୃଷ୍ଣ, ଶିବ ଓ ହନୁମାନ ବେଶରେ ସାମିଲ ହୋଇଥିଲେ । ସହରର ହଜାର ହଜାର ଲୋକ ଏବଂ ବହୁସଂଖ୍ୟକ ପର୍ଯ୍ୟଟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ରାମକଥା ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଦେଶର ଐତିହ୍ୟ ଓ ସଂସ୍କୃତି ବିଶ୍ୱ ଦରବାରରେ ଅଧିକ ପରିଚିତ ହୋଇପାରିଛି । ଅଯୋଧ୍ୟାରେ ଏଭଳି ଦୀପାବଳି ଉତ୍ସବ ମନାଇବାକୁ ୭୦ ବର୍ଷ ସମୟ ଲାଗିଗଲା । ପୂର୍ବର ସରକାର ଅଯୋଧ୍ୟା ଆସିବାକୁ ଡରୁଥିଲେ । କିନ୍ତୁ ସେ ଗତ ଅଢେ଼ଇ ବର୍ଷ ଭିତରେ ୧୮ରୁ ଅଧିକ ଥର ଅଯୋଧ୍ୟା ପରିଦର୍ଶନରେ ଆସିଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସହରର ନୟାଘାଟ ଠାରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରତୀ କରିଥିଲେ ।
Comments are closed, but trackbacks and pingbacks are open.