ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତା ଅରୁଣ ଜେଟଲୀ ଶୁକ୍ରବାର ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏ ସମ୍ପର୍କରେ ସନ୍ଧ୍ୟାରେ ଜଣାପଡିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏବଂ ଲୋକସଭା ବାଚସ୍ପତି ଓମ ବିରଲା ପ୍ରମୁଖ ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।
ସନ୍ଧ୍ୟାରେ ମଧ୍ୟ ଏମ୍ସ ପକ୍ଷରୁ ଏକ ମେଡିକାଲ ବୁଲେଟିନ୍ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି କି ତାଙ୍କୁ ଆଇସିୟୁରେ ରଖାଯାଇଛି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଡାକ୍ତରମାନଙ୍କ ଏକ ଦଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତର ନଜର ରଖୁଛି ।
ସୂଚନାଯୋଗ୍ୟ ଯେ, ମୋଦିଙ୍କ ଡାହାଣ ହାତ ବୋଲି କୁହାଯାଉଥିବା ଜେଟଲୀ ଗତ କିଛି ବର୍ଷ ହେଲା କିଡ୍ନୀ ଜନିତ ରୋଗରେ ପୀଡ଼ିତ ହୋଇଛନ୍ତି । ଏହାଯୋଗୁ ସେ ଶାରୀରିକ ଭାବେ ଦୁର୍ବଳ ହୋଇପଡିଛନ୍ତି । ଏହି କାରଣରୁ ସେ ଚଳିତ ବର୍ଷ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ କୌଣସି ପ୍ରକାର ଦାୟିତ୍ୱ ଗ୍ରହଣ କରିବାକୁ ମନା କରିଥିଲେ ।
Comments are closed, but trackbacks and pingbacks are open.