ଅର୍ଣ୍ଣବଙ୍କ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲାରେ ଅଭିଯୁକ୍ତ ଥିବା ରିପବ୍ଲିକ୍ ଟିଭି ଚ୍ୟାନେଲର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ବ୍ୟକ୍ତିମାନଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ସୁପ୍ରିମକୋର୍ଟ ଶୁକ୍ରବାର ବୃଦ୍ଧି କରିଛନ୍ତି । ସୁପ୍ରିମକୋର୍ଟ ଚଳିତ ମାସ ୧୧ ତାରିଖରେ ଅର୍ଣ୍ଣବ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ଆଜି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ବିସ୍ତୃତ ରାୟ ପ୍ରକାଶ ପାଇଛି । ଏଥିରେ ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି ଯେ ଉକ୍ତ ମାମଲାରେ ଅଭିଯୁକ୍ତମାନଙ୍କ ଦ୍ୱାରା ବମ୍ବେ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ଶେଷ ହେବା ଯାଏଁ ସେମାନଙ୍କର ଜାମିନ ଅବଧି ବଜାୟ ରହିବ । ରାଜ୍ୟ ସରକାରମାନେ ଅପରାଧିକ ମାମଲାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିବାରୁ ସୁପ୍ରିମକୋର୍ଟ ମଧ୍ୟ ଏହାର ସମାଲୋଚନା କରିଛନ୍ତି ।
ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ନିମ୍ନ ଅଦାଲତ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ସମସ୍ତେ ଅପରାଧିକ ମାମଲାକୁ ଅସ୍ତ୍ର ଭାବେ ବ୍ୟବହାର କରାଯିବା ପ୍ରତି ସଚେତନ ରହିବା ଦରକାର । ରାଜ୍ୟ ସରକାରମାନେ ଯେପରି ଅପରାଧିକ ମାମଲାକୁ ନାଗରିକମାନଙ୍କୁ ନିର୍ଯାତନା ଦେବା ପାଇଁ ବ୍ୟବହାର ନକରିବେ, ତାହା ସମସ୍ତ ଅଦାଲତ ସୁନିଶ୍ଚିତ କରିବା ଆବଶ୍ୟକ । ସରକାରଙ୍କ ଦ୍ୱାରା କ୍ଷମତାର ଅପବ୍ୟବହାର କରାଯାଉଥିବା ବିରୋଧରେ ନାଗରିକମାନେ ସବୁବେଳେ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରିବେ । ଗୋଟିଏ ଦିନ ପାଇଁ କାହାର ବ୍ୟକ୍ତିଗତ ସ୍ୱାଧୀନତା କ୍ଷୁର୍ଣ୍ଣ କରାଯିବାକୁ ଗ୍ରହଣ କରାଯାଇପାରିବ ନାହିଁ । ସେହିପରି ଏଭଳି ମାମଲାରେ ଜାମିନ ଆବେଦନର ଶୁଣାଣିରେ ଯେଉଁ ସବୁ କାରଣରୁ ବିଳମ୍ବ ହେଉଛି ତାହାର ବି ସମୀକ୍ଷା କରାଯିବା ଦରକାର । ଅର୍ଣ୍ଣବଙ୍କୁ ଜାମିନ ଦିଆଯିବାର କାରଣ ବ୍ୟାଖ୍ୟା କରି ଅଦାଲତ କହିଛନ୍ତି ଯେ ତାଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆରରୁ ସେ ପୀଡ଼ିତ ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ପ୍ରମାଣ କିମ୍ବା ଆଭାସ ମିଳୁନାହିଁ । ତେଣୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons