ଅର୍ଥନୀତି ପାଇଁ ବରଦାନ ‘ଅଯୋଧ୍ୟା ରାୟ’

Get real time updates directly on you device, subscribe now.

ନୂଆଦିଲ୍ଲୀ:ଶତାବ୍ଦୀ ପୁରୁଣା ବିବାଦର ଅବସାନ ଘଟିଛି । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ୨.୭୭ ଏକର ବିବାଦୀୟ ଜମିରେ ରାମ ମନ୍ଦିର ହେବ । ମୁସଲିମ୍ମାନଙ୍କୁ ୫ ଏକର ବିକଳ୍ପ ଜମି ଅଯୋଧ୍ୟାରେ ହିଁ ଯୋଗାଇ ଦିଆଯିବ । ସୁପ୍ରିମ୍କୋର୍ଟଙ୍କ ଏହି ରାୟ ଭାରତୀୟ ପୁଞ୍ଜି ବଜାର ତଥା ଅର୍ଥନୀତି ପାଇଁ ବରଦାନ ସାଜିବ । ଏହି ରାୟ ସହିତ ଶତାବ୍ଦୀ ପୁରୁଣା ଅନିଶ୍ଚିତତା ଦୂର ହୋଇଛି । ଏହା ଅର୍ଥନୀତି ବିଶେଷ କରି ପୁଞ୍ଜି ବଜାର ପାଇଁ ଉତ୍ତମ ଫଳ ଆଣିବ ବୋଲି ଦଲାଲ ଷ୍ଟ୍ରିଟ୍ ଭେଟେରାନ୍ମାନେ ଆଶାବ୍ୟକ୍ତ କରିଛି ।
ବଜାର ଭେଟେରାନ୍ ତଥା କେଆର୍ ଚୋକ୍ସି ଇନ୍ଭେଷ୍ଟମେଣ୍ଟ ମ୍ୟାନେଜର୍ସର ଏମ୍ଡି ଦେବେନ ଚୋକ୍ସି କହିଛନ୍ତି ଯେ, ଯେ କୌଣସି ନିଷ୍ପତ୍ତି ଯାହାକି ଦେଶରେ କୌଣସି ପ୍ରକାର ଅନିଶ୍ଚିତତା ଦୂର କରିଥାଏ ତାହା ବଜାର ପାଇଁ ଭଲ । ଏହା ଯୋଗୁ ବଜାରକୁ ନେଇ ନିବେଶକଙ୍କ ଆସ୍ଥା ମଜଭୂତ ହୋଇଥାଏ ।
ମୁମ୍ବାଇର ଜଣେ ନିବେଶକ ବିଜୟ କେଦିଆ କହିଛନ୍ତି ଯେ, ଭାରତୀୟ ଅର୍ଥନୀତିରେ ଉତ୍ତର ପ୍ରଦେଶ ଆଗକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଭାରତ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଥିବାବେଳେ ଉତ୍ତର ପ୍ରଦେଶରୁ ୧ ଟ୍ରିଲିୟନ୍ ଡଲାର ଆସିବ ବୋଲି କେଦିଆ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ରାୟ ପରେ ଏବେ ଅଯୋଧ୍ୟାରେ ରାମ ମନ୍ଦିର ତୋଳାଯିବ । ଏହା ପରେ ଦେଶ ତଥା ଦେଶ ବାହାରୁ ଦୈନିକ ୫୦,୦୦୦ରୁ ୧ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିବେ । ବୈଷ୍ଣୋଦେବୀ ଏବଂ ତିରୁପତି ଭଳି ଅଯୋଧ୍ୟା ରାମ ମନ୍ଦିରକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ପ୍ରକାଶଯୋଗ୍ୟ, ବୈଷ୍ଣୋଦେବୀ ଏବଂ ତିରୁପତି ଯୋଗୁ ସଂପୃକ୍ତ ଅଞ୍ଚଳର ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ ଆସିଛି । ଅଯୋଧ୍ୟା ରାମ ମନ୍ଦିର ସବୁକୁ ବଳିଯିବ ବୋଲି କେଦିଆ କହିଛନ୍ତି । ତା’ସହିତ ବିକଳ୍ପ ଜମିରେ ପ୍ରତିÂା ହେବାକୁ ଥିବା ମସ୍ଜିଦ୍ ମଧ୍ୟ ବୃହତ୍ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ତ୍ୱରାନ୍ୱିତ ହେବ । ଉତ୍ତର ପ୍ରଦେଶ ଅର୍ଥନୀତି କ୍ଷୀପ୍ର ବେଗରେ ବଢ଼ିବ । ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାରେ ଏହା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ୫ ଟ୍ରିଲିୟନ ମଧ୍ୟରୁ ୧ ଟ୍ରିଲିୟନ ଡଲାର ଉତ୍ତର ପ୍ରଦେଶ ଯୋଡିପାରେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ପରିବେଶ ଶାନ୍ତିମୟ ହେବା ପରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ଦ୍ରୁତ ବେଗରେ ବଢ଼ିବ । ଏହା ଦେଶର ମୋଟ ଜିଡିପିରେ ବଡ଼ ଅବଦାନ ଦେବ ବୋଲି କେଦିଆ କହିଛନ୍ତି ।
ଆଇଆଇଏଫ୍ଏଲ୍ ସିକୁ୍ୟରିଟିଜ୍ର ଇଭିପି(ମାର୍କେଟ୍ସ) ସଞ୍ଜୀବ ଭାସିନ୍ କହିଛନ୍ତି, ଗତ ୭୦ ବର୍ଷରେ ଯାହା ହୋଇ ନ ଥିଲା ବର୍ତ୍ତମାନ ସରକାର ତାହା କରୁଛନ୍ତି । ରାୟରୁ ଏହା ସ୍ପଷ୍ଟ ହୋଇଯାଇଛି । ପ୍ରଥମେ କାଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ କରାଗଲା । ବର୍ତ୍ତମାନ ଐତିହାସିକ ଅଯୋଧ୍ୟା ରାୟ । ଆଗକୁ ଆହୁରି ଅନେକ ସଂସ୍କାର ଆସିବ । ଏଲ୍ଟିସିଜି ଏବଂ ବ୍ୟକ୍ତିଗତ ଟିକସ ରିହାତି ସଂସ୍କାର ଆଣିପାରନ୍ତି ନରେନ୍ଦ୍ର ମୋଦି ସରକାର । ଏସବୁ ବଜାରକୁ କ୍ଷୀପ୍ର ବେଗରେ ଆଗକୁ ନେବ ବୋଲି ଭାସିନ କହିଛନ୍ତି ।
ସେ କହିଛନ୍ତି, ଶୁକ୍ରବାର ଇକ୍ୱିଟି ବଜାରରେ ହ୍ରାସ ଦେଖାଦେଇଥିବାବେଳେ ହୁଏତ ଲୋକେ କମ୍ ମୂଲ୍ୟରେ ଷ୍ଟକ୍ କିଣିପାରନ୍ତି । ସେୟାର କିଣାବିକା ବଢ଼ିବା ସହ ବଜାରରେ ଉଛାଳ ଆସିପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons