ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶାର ଅର୍ଥନୀତି ଏକ ଟ୍ରିଲିୟନ ଡଲାର ଅର୍ଥାତ୍ ୭୦ ଲକ୍ଷ କୋଟି ଟଙ୍କା ଛୁଇଁବ । ଆଜି ଏହି ସୁଦୂରପ୍ରସାରୀ ଅର୍ଥନୀତି ସମ୍ବନ୍ଧୀୟ ରିପୋର୍ଟକୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଜେଏସ୍ଡବ୍ଲୁ ଗ୍ରୁପ୍ ଓ ପିଡବ୍ଲୁସି ଇଣ୍ଡିଆ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ ଓଡ଼ିଶାର ବିପୁଳ ପ୍ରାକୃତିକ ସମ୍ପଦ ଏହି ଅର୍ଥନୀତିକୁ ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ନିବେଶ କ୍ଷେତ୍ରରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ, ଇନଫ୍ରା କନେକ୍ଟିଭିଟି ଓ ଦକ୍ଷ ମାନବସମ୍ବଳ ଏହି ଅର୍ଥନୀତିକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ । ଜାତୀୟ ଅର୍ଥନୀତି ବୃଦ୍ଧି ଦିଗରେ ଓଡ଼ିଶା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବିଗତ ୩ ଦଶନ୍ଧି ମଧ୍ୟରେ ବିଶ୍ୱ ଅର୍ଥନୀତି ୩ ଗୁଣ ବୃଦ୍ଧି ପାଇଛି । ୨୦୫୦ ସୁଦ୍ଧା ଏହା ଦ୍ୱିଗୁଣିତ ହେବ । ଖଣିଜ ଶିଳ୍ପ ସହିତ କୃଷି, ଖାଦ୍ୟଦ୍ରବ୍ୟ ଉତ୍ପାଦନ, ଗୁଣାତ୍ମକ ଦ୍ରବ୍ୟ କାରଖାନା, ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ, ମହିଳାଙ୍କ ଦ୍ୱାରା ଉଦ୍ୟୋଗର ଏଥିରେ ମୁଖ୍ୟ ଭୂମିକା ରହିବ । ଯାହାକୁ ନେଇ ଓଡ଼ିଶା ଏକ ଟ୍ରିିଲିୟନ ଡଲାର ଅର୍ଥନୀତି ହାସଲ କରିପାରିବ ବୋଲି ସେ କହିଛନ୍ତି ।
ଜେଏସ୍ଡବ୍ଲୁର ଅଧ୍ୟକ୍ଷ ସାଜନ ଜିନ୍ଦଲ କହିଥିଲେ, ମେକ ଇନ୍ ଇଣ୍ଡିଆ କ୍ଷେତ୍ରରେ ଆଞ୍ଚଳିକ ଅର୍ଥନୀତି ଭାରତର ଅର୍ଥନୀତିକୁ ୧୦ ଟ୍ରିଲିୟନ ଡଲାରରେ ପହଞ୍ଚାଇବାର ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କ୍ଷେତ୍ରରେ ଓଡ଼ିଶାକୁ ଏକ ରତ୍ନ ଭାବେ ସେ ଅଭିହିତ କରିଥିଲେ । ରିପୋର୍ଟର ଦୂରଦୃଷ୍ଟି ଅନୁସାରେ ଅର୍ଥନୀତି ହାର ବୃଦ୍ଧି ପ୍ରତିଯୋଗିତା କ୍ଷେତ୍ରରେ ଅନ୍ୟ ରାଜ୍ୟଗୁଡ଼ିକଠାରୁ ଓଡ଼ିଶା ବେଶ୍ ଆଗରେ ରହିବ । ଖଣିଜ ପଦାର୍ଥ ରପ୍ତାନୀ କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ସବୁଠାରୁ କ୍ଷମତାସମ୍ପନ୍ନ ଅଞ୍ଚଳ ହେବ ।
କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବରିଷ୍ଠ ପ୍ରଶାସନିକ ପଦାଧିକାରୀଙ୍କ ସମେତ ଜେଏସ୍ଡବ୍ଲୁ ଗ୍ରୁପ ଏବଂ ପିଡବ୍ଲୁସି ଇଣ୍ଡିଆର ପଦସ୍ଥ ଅଫିସରମାନେ ଉପସ୍ଥିତ ଥିଲେ । ପିଡବ୍ଲୁସି ଇଣ୍ଡିଆର ପାର୍ଟନର ରନେନ୍ ବାନାର୍ଜୀ ରିପୋର୍ଟ ସମ୍ପର୍କିତ ମୁଖ୍ୟ ସୂଚନାଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥିଲେ ।
Comments are closed, but trackbacks and pingbacks are open.