ଅଶ୍ୱିନୀଙ୍କୁ କ୍ୟାବିନେଟ୍, ବିଶେଶ୍ୱର ରାଷ୍ଟ୍ରମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ଦୁଇ ଜଣ ସାଂସଦ ସ୍ଥାନ ପାଇଛନ୍ତି । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । ମୟୂରଭଞ୍ଜର ବିଜେପି ସାଂସଦ ବିଶେଶ୍ୱର ଟୁଡୁଙ୍କୁ ମୋଦି ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ବିଶେଶ୍ୱର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉଭୟ ରାଜନୀତିରେ ନୂଆ ହୋଇଥିବାବେଳେ ପ୍ରଥମ ଥର ସାଂସଦ । ତଥାପି ଉଭୟଙ୍କ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୋଦି ।
ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ଏମଏସଏମଇ ଓ ପଶୁପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ଷଡ଼ଙ୍ଗୀ । ମୋଦିଙ୍କ ଦ୍ୱିତୀୟ ପାଳି ଶାସନରେ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ଷଡଙ୍ଗୀ ମନ୍ତ୍ରୀ ହୋଇଥିଲେ । ଆଜି ଶପଥ ନେଇଥିବା ଦୁଇ ଜଣ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଶାଇଲେ ଓଡ଼ିଶାରୁ ୩ ଜଣ କେନ୍ଦ୍ର ମନ୍ତ୍ରୀ ହେଲେ ।
୧୯୯୪ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଚାକିରି ଛାଡ଼ିବା ପରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ରେ ସେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ରାଜସ୍ଥାନର ଯୋଧପୁରରେ ୧୯୭୦ରେ ଜନ୍ମ ନେଇଥିବା ଅଶ୍ୱିନୀ ଆଇଆଇଟି କାନପୁରରୁ ଏମଟେକ୍ ଶିକ୍ଷାଲାଭ କରିଥିଲେ । ୧୯୯୪ରେ ସେ ସର୍ବଭାରତୀୟ ସ୍ତରରେ ୨୭ ର୍ୟାଙ୍କ ରଖି ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଇଏଏସ୍ ଚାକିରି କାଳ ଭିତରେ ଅଶ୍ୱିନୀ କଟକ ଓ ବାଲେଶ୍ୱର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୩ ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହି କାମ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଉପସଚିବ ଥିଲେ । ପ୍ରଶାସନିକ ସ୍ତରରେ ନିଜ ଦକ୍ଷତା ପ୍ରମାଣିତ କରିବା ପରେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅଶ୍ୱିନୀ ସ୍ଥାନ ପାଇବେ ବୋଲି ବେଶ୍ କିଛି ଦିନ ହେବ ଆଲୋଚନା ହେଉଥିଲା । ପ୍ରଥମ ଥର ସାଂସଦ ହୋଇ ମଧ୍ୟ ସିଧା କ୍ୟାବିନେଟ ମନ୍ତ୍ରୀ ପଦ ମିଳିବା ପରେ ଅଶ୍ୱିନୀ ଜାତୀୟସ୍ତରରେ ବି ଚର୍ଚ୍ଚାକୁ ଆସିଛନ୍ତି ।
ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡ଼ୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନେଇ ପୂର୍ବରୁ କୌଣସି କଳ୍ପନାଜଳ୍ପନା କିମ୍ବା ଚର୍ଚ୍ଚା ନଥିଲା । ମାତ୍ର ଏହି ୫୬ ବର୍ଷୀୟ ଉଚ୍ଚଶିକ୍ଷିତ ଆଦିବାସୀ ନେତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ମୋଦି । ଆଜି ସକାଳୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଶେଶ୍ୱରଙ୍କୁ ଆସିଥିଲା ଫୋନ୍ । ଫୋନ ପାଇବା ପରେ ସେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ । ସେଠାରେ ହିଁ ଜାଣିବାକୁ ପାଇଥିଲେ ଯେ ସେ କେନ୍ଦ୍ର ମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ପରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲେ ।
ବିଶେଶ୍ୱର ୧୯୬୫ ମସିହା ମାର୍ଚ୍ଚ ୨୮ରେ ମୟୂରଭଞ୍ଜର କୁଣ୍ଟାପାଳ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ଶିକ୍ଷା ହାସଲ କରିଥିବା ବିଶେଶ୍ୱର ଜଳସମ୍ପଦ ବିଭାଗରେ ଚାକିରି କରିଥିଲେ । ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ସେ ଚାକିରି ଛାଡ଼ି ୨୦୧୯ରେ ବିଜେପି ଟିକେଟରୁ ପ୍ରଥମ କରି ସାଂସଦ ପ୍ରାର୍ଥୀ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ପ୍ରଥମ ଥର ନିର୍ବାଚନ ଲଢ଼ି ବିଜୟୀ ମଧ୍ୟ ହୋଇଥିଲେ । ଏହି ଉଚ୍ଚଶିକ୍ଷିତ ଆଦିବାସୀ ନେତାଙ୍କୁ ମୋଦି ତାଙ୍କ ଟିମ୍ରେ ସାମିଲ କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons