ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ସଂପ୍ରସାରଣ କରିବା ପରେ ଏବେ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଛନ୍ତି। ସୋମବାର ବିଳମ୍ୱିତ ରାତିରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ୮ଟି କ୍ୟାବିନେଟ କମିଟି ରହିଛି। ଏହି ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ରହିଛନ୍ତି। ନୂଆ କରି କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ ବିଭିନ୍ନ କ୍ୟାବିନେଟ କମିଟିରେ ମଧ୍ୟ ସ୍ଥାନ ଦିଆଯାଇଛି।
ଯେଉଁଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋୱାଲ ଏବଂ ମନସୁଖ ମାଣ୍ଡଭିୟଙ୍କୁ ସ୍ଥାନ ଦିଆଯାଇଛି। ରାଜନୀତିକ ବ୍ୟାପାର କମିଟିରେ ଭୁପେନ୍ଦ୍ର ଯାଦବ, ସର୍ବାନନ୍ଦ ଏବଂ ମନସୁଖଙ୍କୁ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଗିରିରାଜ ସିଂ ଏବଂ ସ୍ମୃତି ଇରାନୀ ମଧ୍ୟ ଏହି କମିଟିରେ ସାମିଲ ହୋଇଛନ୍ତି। ମୋଦି ମନ୍ତ୍ରିମଣ୍ଡଳରେ ପୂର୍ବରୁ ମନ୍ତ୍ରୀ ଥିବା ଏହି ଦୁଇ ନେତା ପ୍ରଥମ ଥର ପାଇଁ ରାଜନୀତିକ କମିଟିରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଏହି ସ୍ଥାନରେ ରାମ ବିଳାସ ପାଶୱାନ, ରବି ଶଙ୍କର ପ୍ରସାଦ ଏବଂ ହର୍ଷବର୍ଦ୍ଧନ ଥିଲେ। ଏହି କମିଟି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରଖିବା ସହିତ ଅର୍ଥନୀତିକ ଏବଂ ରାଜନୀତିକ ପ୍ରସଙ୍ଗରେ ନିଷ୍ପତ୍ତି ନିଏ। ତେଣୁ ଏହି କମିଟି ବହୁ ଗୁରୁତ୍ୱପୂର୍ଣ୍ଣ। ଏହାପୂର୍ବରୁ ଭୁପେନ୍ଦ୍ର ଯାଦବ ଏବଂ ସର୍ବାନନ୍ଦ ଯେଉଁ ମନ୍ତ୍ରୀ ପଦରେ ରହିଛନ୍ତି ସେହି ପଦରେ ଥିବା ମନ୍ତ୍ରୀ ରାଜନୀତିକ ବ୍ୟାପାର କମିଟିରେ ସାମିଲ ନଥିଲେ।
ଏହା ବ୍ୟତୀତ ପୁଞ୍ଜିନିବେଶ ଏବଂ ଅଭିବୃଦ୍ଧି କମିଟିରେ ସିନ୍ଧିଆ, ନାରାୟଣ ରାଣେ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ସାମିଲ୍ କରାଯାଇଛି। ଏହି କମିଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ କାର୍ୟ୍ୟଗୁଡ଼ିକର ଠିକ୍ ସମୟରେ କିଭଳି ସମାପ୍ତି ହେବ ସେନେଇ ତଦାରଖ କରିବ। ଏହି କମିଟି ୧୦୦୦ କୋଟି କିମ୍ବା ତା’ଠାରୁ ଅଧିକ ପୁଞ୍ଜି ବିନିଯୋଗ ମାମଲାରେ ନିଷ୍ପତ୍ତି ନେଇଥାଏ। ଏହି କମିଟି ଭିତ୍ତିଭୂମି, ଉତ୍ପାଦନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ନିଷ୍ପତ୍ତି ନିଏ।
୨୦୧୯ରେ ମୋଦି ସରକାର ଆସିବା ପରେ ଦୁଇଟି ନୂଆ କମିଟି ଗଠନ କରାଯାଇଥିଲା। ଏହି କମିଟି ହେଲା ପୁଞ୍ଜିନିବେଶ ଏବଂ ଅଭିବୃଦ୍ଧି ଓ ନିଯୁକ୍ତି ଏବଂ ଦକ୍ଷତା ବିକାଶ । ରୋଜଗାର ଏବଂ ଦକ୍ଷତା ବିକାଶ କମିଟିରେ ଅଶ୍ୱିନୀ ବୈଷ୍ଣବ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ସାମିଲ୍ କରାଯାଇଛି।
Comments are closed, but trackbacks and pingbacks are open.