ପୁରୁଣାକଟକ,(ବି.ବି.ନୁ୍ୟଜ୍): ଅପନ୍ତରା ପଡ଼ିଥିବା ଜଣେ ଅସହାୟ ବିଧବାଙ୍କ ଶବକୁ କାନ୍ଧରେ ବୋହି ନେଇ ଜଣେ ଗୋରୁ ଚରାଳି ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି । ଆଜକୁ ୩ ଦିନ ହେଲା ଶ୍ୱାନ-ଶୃଗାଳଙ୍କ କବଳରେ ଖଣ୍ଡବିଖଣ୍ଡିତ ହୋଇ ନାଳଖଣ୍ଡିରେ ପଡ଼ିରହିଛି ଦେହାବଶେଷ । ଏହାର ପ୍ରତିକାର କାହାରି ଚିନ୍ତା ନାହିଁ । ଅନ୍ୟ ପକ୍ଷରେ ତାଙ୍କ ଭିଟାମାଟି ଟିକକ ହାତେଇବାକୁ ଲାଗିପଡ଼ିଛନ୍ତି । ଆହୁରି ମଧ୍ୟ ଶବକୁ କାନ୍ଧ ଦେଇଥିବା ବିଚରା ଗୋରୁଚରାଳି ଜଣକୁ ସାମାଜିକ ବାସନ୍ଦ ବି କରିଛନ୍ତି । ଏଭଳି ଅମାନବୀୟ ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ହରଭଙ୍ଗା ଗାଁରେ ।
ସୂଚନାନୁସାରେ ସ୍ୱାମୀ ୬ ବର୍ଷ ତଳେ ଆରପାରିକୁ ଚାଲିଯାଇଥିଲେ । ଗତ ସୋମବାର ସ୍ତ୍ରୀ ରତନା ନାଏକ ଓରଫ ମୁକ୍ତା (୭୫) ଆଖିବୁଜିଲେ । ଦମ୍ପତିଙ୍କ ସନ୍ତାନସନ୍ତତି ନଥିବା ବେଳେ କେହି ସମ୍ପର୍କୀୟ ମଧ୍ୟ ଶବକୁ କାନ୍ଧ ଦେବାକୁ ଆସିନଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଶବ ପଡ଼ିରହିବାରୁ ଗାଁର ଗୋପାଳକ ଗଜେନ୍ଦ୍ର ବେହେରା ଶବକୁ ବୋହି ନେଇ ନାଳ ଖଣ୍ଡିରେ ଫିଙ୍ଗିଦେଲେ । କିନ୍ତୁ ଗଜେନ୍ଦ୍ରଙ୍କୁ ସମାଜରେ ସମ୍ମାନ ପରିବର୍ତ୍ତେ ଓଲଟି ମିଳିଛି ତିରସ୍କାର । ମହିଳାଙ୍କ ଶବ ଛୁଇଁଥିବାରୁ ତାଙ୍କ ସମାଜ ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଥିବା ଅଭିଯୋଗ ହେଉଛି । କେବଳ ଏତିକି ନୁହେଁ ଅନ୍ୟପଟେ ମୃତ ବୃଦ୍ଧାଙ୍କ କେହି ଉତ୍ତରାଧିକାରୀ ନଥିବା ହେତୁ ସ୍ଥାନୀୟ ଏକ କ୍ଲବ ସଦସ୍ୟମାନେ ତାଙ୍କ ଭିଟା ମାଟିକୁ ନିଲାମ କରି ଜଣଙ୍କୁ ଘର ଡିହ ଜାଗା ଦେଇଛନ୍ତି । ଏଭଳି ଏହ ସ୍ପର୍ଶକାତର ଘଟଣା ପଦାକୁ ଆସିବା ପରେ ହରଭଙ୍ଗା ସମେତ ଆଖପାଖ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଆଜିକୁ ୩ ଦିନ ହେଲା ନାଳ ଖଣ୍ଡିରେ ଗଡୁଛି ବୃଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ପ୍ରଶାସନ ପକ୍ଷରୁ ତୁରନ୍ତ ନାଳ ଖଣ୍ଡିରେ ପଡ଼ିରହିଥିବା ବୃଦ୍ଧାଙ୍କ ମୃତ ଦେହର ସକ୍ରାର କରିବାକୁ ଦାବି ହେଉଛି । ଏନେଇ ହରଭଙ୍ଗା ଆଇଆଇସି ସୁବାସ ରାୟଗୁରୁଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜାଣି ଦୁଃଖ ପ୍ରକାଶ କରିବା ସହ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.