ବାଲେଶ୍ୱର ,(ବି.ବି.ନୁ୍ୟଜ୍): ବାଲେଶ୍ୱରର ଚାନ୍ଦିପୁର ଆକାଶରୁ ସୋମବାର ଅପରାହ୍ନ ୪ଟାରେ ସଫଳତାର ସହ ଆକାଶରୁ ଆକାଶକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରାଯାଇଛି । ଏଥିନେଇ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପରିଷଦ(ଡ଼ିଆର୍ଡ଼ିଓ) ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ‘ଅସ୍ତ୍ର’ ମିସାଇଲ ‘ସୁଖୋଇ-୩୦’ ଯୁଦ୍ଧ ବିମାନରୁ ନିକ୍ଷେପ କରାଯାଇଥିଲା । ପରୀକ୍ଷଣ ସମୟରେ ସୁଖୋଇ-୩୦ ସମୁଦ୍ର ପତ୍ତନରୁ ସାଢେ ତିନି କିଲୋମିଟର ଦୂରତାରେ ରହି ୪୦କିଲୋମିଟର ଦୂରତାରେ ଥିବା ଲକ୍ଷ୍ୟ(ଛୋଟ ଏୟାର କ୍ରାଫ୍ଟ)କୁ ଭେଦ କରିପାରିଥିଲା । ଏହି ବ୍ୟାବହାରିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିବା ବେଳେ ଦେଶର ପ୍ରତିରକ୍ଷା ବିଭାଗ ପାଇଁ ଏକ ଗୌରବର ବିଷୟ ଯୋଡ଼ିଛି । ଏହା ଏକ ବିରଳ ପରୀକ୍ଷଣ ହୋଇଥିବା ବେଳେ ବିଶେଷ ଭାବେ ଆଇଟିଆର ପାଇଁ ଏକ ବିଶେଷ ସଫଳତା ଆଣିଥିବା ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଆଇଟିଆରର ନିଦେ୍ର୍ଧଶକ ଡ. ବିନୟ କୁମାର ଦାସ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ମିଜାଇଲ ‘ଅସ୍ତ୍ର’ ବାୟୁରେ ସିଧାସଳଖ ସୁନିଶ୍ଚିତ ଲକ୍ଷ୍ୟ ଭେଦ କରୁଥିବା ଭାରତର ପ୍ରଥମ ସ୍ୱଦେଶୀ ଏୟାର-ଟୁ-ଏୟାର ବିୟଣ୍ଡ ଭିଜୁଆଲ ରେଞ୍ଜ ମିସାଇଲ । ଏହା ଘଣ୍ଟା ପ୍ରତି ୫,୫୫୫କିଲୋମିଟର ବେଗରେ ଗତି କରିବା ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ । ଏହାର ସର୍ବନିମ୍ନ ଲକ୍ଷ୍ୟଭେଦ କ୍ଷମତା ୨୦ କିଲୋମିଟର(୧୨ମାଇଲ ) ରହିଥିବା ବେଳେ ସର୍ବାଧିକ କ୍ଷମତା ୮୦କିଲୋମିଟର(୫୦ମାଇଲ) । ସୋମବାର ହୋଇଥିବା ଏହି ପରୀକ୍ଷଣକୁ ବିଭିନ୍ନ ପ୍ରକାର ରାଡାର, ଇଲେକ୍ଟେ୍ରା ଅପ୍ଟିକାଲ ଟ୍ରାକିଙ୍ଗ ସିଷ୍ଟମ(ଇଓଟିଏସ) ଏବଂ ବିଭିନ୍ନ ପ୍ରକାର ସେନ୍ସର ଦ୍ୱାରା ଟ୍ରାକ କରାଯାଇ ଅସ୍ତ୍ର ଲକ୍ଷ୍ୟ ଭେଦ ଉପରେ ନଜର ରଖାଯାଇଥିଲା । ଦେଶର ଏହି ସଫଳତା ନେଇ ଭାରତର ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି ।
Comments are closed, but trackbacks and pingbacks are open.