ଆଇଏମ୍ଏସ୍ ଏବଂ ସମ୍ ହସ୍ପିଟାଲ ସହାୟତାରେ ଦେଶର ଦ୍ଵିତୀୟ ବୃହତ୍ତମ କୋଭିଡ୍-୧୯ ହସ୍ପିଟାଲ କାର୍ୟ୍ୟକ୍ଷମ: ୫୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୨୫ ଆଇସିୟୁ

Get real time updates directly on you device, subscribe now.

ଭୁବନେଶ୍ଵର : ରାଜ୍ୟର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ ଉଦଘାଟିତ । ଆଇଏମ୍ ଏସ୍ ଓ ସମ୍ ହସ୍ପିଟାଲ ସହାୟତାରେ ନିର୍ମିତ ହୋଇଛି ପୂର୍ବ ଭାରତର ସର୍ବ ବୃହତ କୋଭିଡ ହସ୍ପିଟାଲ । ଏହା ମଧ୍ୟ ଦେଶର ଦ୍ବିତୀୟ ବୃହତ୍ତମ । ସୋଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ-୨ ରେ ଏହି ୪ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ହସ୍ପିଟାଲକୁ ଲୋକାର୍ପଣ କରିଛନ୍ତି। କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭିକେ ପାଣ୍ଡିଆନ, ଏମସିଏଲ ସିଏମଡି ପ୍ରମୁଖ ଉପସ୍ଥିତ ଥିଲେ । ଏତେ କମ୍ ସମୟରେ ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିଥିବାରୁ ମୁଖ୍ୟମନ୍ତ୍ରୀ ସମ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରହଲ୍ଲାଦ ଯୋଶୀ ମଧ୍ୟ ସମ୍ ର ସହଯୋଗକୁ ପ୍ରଶଂସା କରିବା ସହ ସୋଆ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ସ୍ବାଗତ କରିଛନ୍ତି ।
୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏଥିରେ ୫୦୦ଟି ଜେନେରାଲ ବେଡ୍ ଏବଂ ୨୫ଟି ଆଇସିୟୁ ବେଡ୍ ରହିଛି । ସମ୍‌ ହସ୍ପିଟାଲ ସ୍ବତନ୍ତ୍ର ବ୍ୟବସ୍ଥା ସହ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପରୀକ୍ଷାଗାର, ରେଡିଓଲୋଜି, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦେବ । ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ହସ୍ପିଟାଲରେ କରୋନା ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଆବଶ୍ୟକ ସ୍ଥଳେ ଆଇସିୟୁ ଏବଂ କ୍ରିଟିକାଲ୍‌ ବ୍ୟବସ୍ଥା ଯୋଗାଇ ଦିଆଯିବ। ଗୋଟିଏ ଛାତ ତଳେ ଏଠାରେ ଆଇସୋଲେସନ ଓ୍ବାର୍ଡ, ଆଇସିୟୁ, କ୍ବାରେଣ୍ଟାଇନ୍‌ ଓ ଟ୍ରିଟମେଣ୍ଟ ଓ୍ବାର୍ଡର ବ୍ୟବସ୍ଥା ହୋଇଛି । ଡାକ୍ତର ଓ ନର୍ସଙ୍କ ପାଇଁ ମେଡିକାଲରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । କରୋନା ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ରୋଗୀଙ୍କ ଚିକିତ୍ସା, ଖାଇବା ପିଇବା ଓ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଖୁବଶୀଘ୍ର କେନ୍ଦ୍ରାପଡା ଏବଂ ଅନୁଗୁଳରେ ସମ୍ ପକ୍ଷରୁ କୋଭିଡ୍-୧୯ ହସ୍ପିଟାଲ ଖୋଲିବ ବୋଲି 5T ସଚିବ ସୂଚନା ଦେଇଛନ୍ତି ।
ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଆଇଏମଏସ୍ ଓ ସମ୍ ହସ୍ପିଟାଲ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି । ତେଣୁ ସମ୍ ହସ୍ପିଟାଲର ବରିଷ୍ଠ ବିଶେଷଜ୍ଞମାନଙ୍କ ଅଭିଜ୍ଞତାକୁ ଆଧାର କରି ରାଜ୍ୟରେ କରୋନା ମୁକାବିଲା ପାଇଁ ସବୁଠୁ ବଡ଼ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଏହି ସ୍ଵତନ୍ତ୍ର ହସ୍ପିଟାଲ ପାଇଁ ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ୍‌ ଆର୍ଥିକ ସହଯୋଗ ଯେଗାଇ ଦେଇଛି । ରୋଗୀଙ୍କୁ ଚିକତ୍ସା ସୁବିଧା ଯୋଗାଇ ଦେବାକୁ ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଓ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ହୋଇଥିବା ସମ୍ ମେଡିକାଲ ସୁପରିଟେଣ୍ଡଣ୍ଟ କହିଛନ୍ତି।
ରାଜ୍ୟବାସୀଙ୍କ ସେବା କରିବାପାଇଁ ସରକାର ସୁଯୋଗ ଦେଇଥିବାରୁ ସୋଆ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜରଂଜନ ନାୟକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons