ଆଇଟିଡିଏ ଅନୁଦାନ ଆବଣ୍ଟନରେ ପାତରଅନ୍ତର ଅଭିଯୋଗ

Get real time updates directly on you device, subscribe now.

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ମାତ୍ର ୫୮ ହଜାର ଟଙ୍କା ଅନୁଦାନ ଆସିଛି । ଏହି ଅନୁଦାନ ଆଇଟିଡିଏ କର୍ମଚାରୀଙ୍କ ମାସକର ଦରମାକୁ ନିଅଣ୍ଟ ପଡୁଛି । କେଉଁ ଆଧାରରେ ଆଇଟିଡିଏକୁ ଅନୁଦାନ ଆବଣ୍ଟନ କରାଯାଉଛି ବୋଲି ବିଜେପି ରାଜ୍ୟ ଉପସଭାପତି ବଳବଦ୍ର ମାଝୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି, ନବରଙ୍ଗପୁର ଜିଲ୍ଲାରେ ୫୫ ପ୍ରତିଶତ ଅନୁସୂଚିତ ଜନଜାତି ରହିଛନ୍ତି । ୯ଟି ଆଇଟିଡିଏ ଜିଲ୍ଲା ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ବିକାଶ କ୍ଷେତ୍ରରେ ବହୁ ପଛରେ ପଡିଛି । ସମ୍ୱିଧାନର ୨୭୫(୧) ଧାରା ଅନୁସାରେ ୨୦୨୦-୨୧ ବର୍ଷ ପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଦେଇଥିବା ଅନୁଦାନକୁ ରାଜ୍ୟସରକାର ସମାନ ଭାବେ ଆବଣ୍ଟନ କରିନାହାନ୍ତି । ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଇଟିଡିଏ ଅନୁଦାନ ବଣ୍ଟନରେ ପାତରଅନ୍ତର କରାଯାଉଛି । କୋରାପୁଟ ଜିଲ୍ଲାର ୮ ହଜାର ୮୦୭ ବର୍ଗ କିମି.ରେ ୧୩ ଲକ୍ଷ ୮୦ ହଜାର ଲୋକ ବସବାସ କରୁଥିବା ବେଳେ କୋରାପୁଟ ଓ ଜୟପୁର ଆଟିଡିଏକୁ ୨ କୋଟି ୬ ଲକ୍ଷ ୨୦ହଜାର ଟଙ୍କା ଦିଆଯାଇଛି । ସେଭଳି ରାୟଗଡ଼ା ଜିଲ୍ଲାରେ ୭୦୭୩ ବର୍ଗ କିମି.ରେ ୯ ଲକ୍ଷ ୬୭ ହଜାର ଲୋକଙ୍କ ପାଇଁ ରାୟଗଡା ଓ ଗୁଣପୁର ଆଟିଡିଏକୁ ୨ କୋଟି ୯୪ ଲକ୍ଷ ୮୦ ହଜାର ଟଙ୍କାର ଅନୁଦାନ ଦିଆଯାଇଛି । ସେଭଳି ମାଲକାନଗିରି ଜିଲ୍ଲାରେ ୫ ହଜାର ୭୯୧ ବର୍ଗ କିମି.ରେ ୬ ଲକ୍ଷ ୧୩ ହଜାର ଲୋକଙ୍କ ପାଇଁ ୨କୋଟି ୩୯ଲକ୍ଷ ୫୦ହଜାର ଟଙ୍କାର ଅନୁଦାନ ମିଳିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ୫ ହଜାର ୨୯୪ବର୍ଗ କିମି.ରେ ୧୨ ଲକ୍ଷ ୨୦ହଜାର ଲୋକଙ୍କ ପାଇଁ ମାତ୍ର ୫୮ ହଜାର ଟଙ୍କା ଅନୁଦାନ ଦିଆଯାଇଛି । ଆଦିବାସୀ ବହୁଳ ଜିଲ୍ଲାର ବିକାଶ ପାଇଁ ରାଜ୍ୟସରକାର କାହିଁକି ପାତରଅନ୍ତର କରୁଛନ୍ତି । କେଉଁ ଆଧାରରେ ଅନୁଦାନ ବଣ୍ଟନ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାକୁ ନଜରରେ ରଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ନ୍ୟାୟ ପ୍ରଦାନ କରିବାକୁ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons