କଟକ: ଓଡ଼ିଶାର ପୂର୍ବତନ ଆଡଭୋକେଟ୍ ଜେନେରାଲ, ହାଇକୋର୍ଟ ବାର୍ ଆସୋସିଏସନ୍ର ପୂର୍ବତନ ସଭାପତି ତଥା ଆଇନଜୀବୀ ଜୟନ୍ତ ଦାସଙ୍କର ଆଜି ଦେହାନ୍ତ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଆଜି ଦିନ ପ୍ରାୟ ସାଢେ ୧ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ତାଙ୍କ ବିୟୋଗରେ ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ଜେନେରାଲ ଆଇନଜୀବୀ ଅଶୋକ ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ ଜଗବନ୍ଧୁ ସାହୁ, ସମ୍ପାଦକ ଡ. ଜିତେନ୍ଦ୍ର କୁମାର ଲେଙ୍କା, ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ବିଜୟ କୁମାର ରଗଡ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଜଷ୍ଟିସ୍ ନବ କୁମାର ଦାସ ଏବଂ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ନାତୁଣୀ ପ୍ରଭାମୟୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ଜୟନ୍ତ ଦାସ । ରେଭେନ୍ସା କଲେଜିଏଟ୍ ସ୍କୁଲ୍ରେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀର ଷ୍ଟିଫେନ୍ କଲେଜ୍ରେ ଅଧ୍ୟୟନ କରିଥିଲେ । ପରେ ସେ ଇଣ୍ଡିଆନ୍ ଅଡିଟ୍ ଆଣ୍ଡ ଆକାଉଟାଣ୍ଟ ସର୍ଭିସ୍ରେ ଯୋଗଦେବାର ପ୍ରାୟ ୧୦ ବର୍ଷ ପରେ ଏହି ଚାକିରିକୁ ଛାଡି ଆଇନ ବୃତ୍ତିରେ ୧୯୮୧ ମସିହାରେ ଯୋଗ ଦେଇଥିଲେ । ଏହାର ମାତ୍ର ୮ ବର୍ଷ ପରେ ଅର୍ଥାତ ୧୯୮୯ ମସିହାରେ ସେ ଆଇନଜୀବୀର ମାନ୍ୟତା ପାଇଥିଲେ । ସେ ରାଜ୍ୟର ଆଡଭୋକେଟ୍ ଜେନେରାଲ ପଦବି ମଧ୍ୟ ମଣ୍ଡନ କରିଥିଲେ । ତେବେ ଏହି ପଦବିକୁ ତ୍ୟାଗ କରି ୧୯୯୯ ମସିହାରେ ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ସୁପ୍ରିମ୍କୋର୍ଟରେ ମଧ୍ୟ ଆଇନଜୀବୀର ମାନ୍ୟତା ପାଇଥିଲେ । ସାମ୍ବିଧାନିକ ଏବଂ ସର୍ଭିସ ମାମଲା ପରିଚାଳନାରେ ତାଙ୍କ ବେଶ୍ ଦକ୍ଷତା ରହିଥିଲା । ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.