ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ୧ ଟ୍ରିଲିୟନ ଡଲାର (୭୦ ଲକ୍ଷ କୋଟି ଟଙ୍କା) ଅର୍ଥନୀତି ଲକ୍ଷ୍ୟ ହାସଲରେ ଯୁବପିଢ଼ିଙ୍କ ଯୋଗଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଶିଳ୍ପ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।
ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରରେ ଅନୁÂିତ ଏଚ୍ଆର୍ ଲିଡରସିପ୍ ସମିଟ୍ ୨୦୧୯ରେ ଅତିଥି ଭାବେ ଯୋଗଦେଇ ଶିଳ୍ପମନ୍ତ୍ରୀ କହିଛନ୍ତି, ଅଭିବୃଦ୍ଧି ପାଇଁ ରାଜ୍ୟରେ ବିପୁଳ ସମ୍ଭାବନା ରହିଛି । ଯୁବପିଢ଼ିଙ୍କ ଯୋଗଦାନ ହିଁ ଏହି ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ । ସେ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ମାନବ ସମ୍ବଳ ଅଛି । ସେମାନେ ଶିକ୍ଷା ଦୃଷ୍ଟିରୁ ବେଶ୍ ଭଳ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ସେମାନେ ନିଜକୁ କେବଳ ରାଜ୍ୟ ତଥା ଦେଶ ଭିତରେ ସୀମିତ ରଖୁଛନ୍ତି । ସେମାନଙ୍କୁ ନୂଆ ପିଢ଼ିର ପ୍ରଯୁକ୍ତି ସଂକ୍ରାନ୍ତୀୟ କୌଶଳ ଓ ଦକ୍ଷତା ହାସଲ କରିବାକୁ ହେବ । ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରି ରାଜ୍ୟକୁ ବିଦେଶୀ ମୁଦ୍ରାରେ ସମୃଦ୍ଧ କରିପାରିବେ । ତାହାହେଲେ ସରକାରଙ୍କ ଲକ୍ଷ୍ୟ ଟ୍ରିଲିୟନ ଡଲାର ସ୍ୱପ୍ନ ସହଜରେ ପୂରଣ ହୋଇପାରିବ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଦୀର୍ଘ ବର୍ଷ ହେଲା ଏଠାରେ ଏକ ସ୍ଥିର ସରକାର ରହିଛି । ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ପାଇଁ ସାରା ଦେଶରେ ଓଡ଼ିଶା ବେଶ୍ ପରିଚିତ । ନିବେଶକଙ୍କ ପାଇଁ ସବୁ କିଛି ଏଠାରେ ଭରି ରହିଛି । ଏଣୁ ସେମାନେ ଓଡ଼ିଶାରେ ନିବେଶ କରନ୍ତୁ, ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି ।
ଏ ଅବସରରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଏମ୍ ସି ଥୋମାସ କହିଛନ୍ତି, ନୂଆ ପ୍ରଯୁକ୍ତି ଆସିବା ପରେ ସମସ୍ତେ ଭାବୁଛନ୍ତି, ପୁରୁଣା ଚାକିରି ପ୍ରତି ବିପଦ ସୃଷ୍ଟି ହେଲା । ପ୍ରକୃତ ପ୍ରଯୁକ୍ତି କେବେ ବି ବେକାରୀ ସୃଷ୍ଟି କରେ ନାହିଁ । ଏହା କେବଳ ନିଯୁକ୍ତିର ପ୍ରକାରକୁ ବଦଳାଇ ଦିଏ । ଶିଳ୍ପ କ’ଣ ନୂଆ ଦକ୍ଷତା ଓ କୌଶଳ ଆବଶ୍ୟକ କରୁଛି, ତାହାକୁ ଆମ ଯୁବପିଢ଼ି ଜାଣିବା ଦରକାର । ସେହି ଦକ୍ଷତା ହାସଲ କଲେ ସେମାନେ ରାଜ୍ୟର ବିକାଶରେ ଭାଗିଦାରୀ ହୋଇପାରିବେ ବୋଲି ଥୋମାସ କହିଛନ୍ତି । ଏଚ୍ଆର୍ ଲିଡରସିପ୍ ସମିଟ୍ରେ ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ଏଚ୍ଆର୍ କମିଟି ଆବାହକ ସଞ୍ଜୟ କୁମାର ପଟ୍ଟନାୟକ , ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ, ଆଇସିସି କୋର କମିଟି ସଦସ୍ୟ ବିଜୟ ସାହୁ, ଆଇସିସି ଓଡ଼ିଶା ପରିଷଦ ମୁଖ୍ୟ ଜ୍ୟୋତି ପ୍ରକାଶ ପାଲ ଓ ଆଇସିସି ଓଡ଼ିଶା ରାଜ୍ୟ ପରିଷଦ କୋ ଚେୟାରମ୍ୟାନ ଜେ ବି ପାଣି ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.