ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ରାୟଗଡ଼ ହମିରପୁର ଡବଲ୍ ମର୍ଡର ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ପୁଲିସ ଆଉ ଦିନେ ରିମାଣ୍ଡରେ ନେଇଛି । ଆଜି ରାୟଗଡ଼ ସିଜେଏମ୍ଙ୍କ ଅଦାଲତରେ ଚକ୍ରଧରନଗର ଥାନା ପୁଲିସ ପକ୍ଷରୁ ରିମାଣ୍ଡ ଆବେଦନ ଉପରେ ଶୁଣାଣୀ କରାଯାଇଥିଲା । ତିନି ଦିନ ପରିବର୍ତ୍ତେ ଅନୁପଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଆଦେଶ ଦିଆଯାଇଛି । ପୂର୍ବରୁ ତିନି ଦିନ ରିମାଣ୍ଡରେ ନେଇ ଅନୁପଙ୍କୁ ପୁଲିସ ଜେରା କରିଥିଲା । ଅନୁପ ବାରମ୍ବାର ବୟାନ ବଦଳାଉଥିବା ସହ ଆଉ କିଛି ତଥ୍ୟ ପ୍ରଦାନ ନ କରି ମୁହଁ ବନ୍ଦ ରଖୁଥିବାରୁ ନାର୍କୋ ଟେଷ୍ଟ କରାଯିବାକୁ ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । ଆଜି ନାର୍କୋ ଟେଷ୍ଟ ଶୁଣାଣି ଲାଗି ଦିନ ଧାର୍ଯ୍ୟ ଥିଲା । ମାତ୍ର ଏହାକୁ ଦିନକ ପାଇଁ ଅର୍ଥାତ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।
ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଏବଂ ତାଙ୍କ ଝିଅ ବବ୍ଲି ହତ୍ୟାକାଣ୍ଡ ଘଟଣାରେ ଛତିଶଗଡ଼ ପୁଲିସ ତଦନ୍ତ କରି ତଥ୍ୟ ପ୍ରମାଣ ଆଧାରରେ ଅନୁପଙ୍କୁ ଗତ ୧୨ ତାରିଖ ରାତିରେ ଗିରଫ କରିଥିଲା । ପରେ ଅନୁପଙ୍କ ବୟାନ ଭିତ୍ତିରେ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ (ବର୍ଦ୍ଧନ)କୁ ମଧ୍ୟ ଗିରଫ କରିଥିଲା । ଉଭୟେ ପୁଲିସ ଆଗରେ ନିଜ ଦୋଷ ସ୍ୱୀକାର କରିବା ସହ ଅନୁପ ଲୁହା ରଡ୍ରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିବା ବୟାନ ଦେଇଥିଲେ । ହତ୍ୟାକାଣ୍ଡ ଘଟଣାରେ ଅନୁପଙ୍କ ସହ ତାଙ୍କ ଡ୍ରାଇଭର ବର୍ମନ କେବଳ ସାମିଲ ଥିଲା ନା ଆଉ କେହି ସାମିଲ ଥିଲେ ତାହା ଅସ୍ପଷ୍ଟ ରହିଛି । ଏହି ରହସ୍ୟ ଉପରୁ ପର୍ଦ୍ଧା ଉଠାଇବା ଲାଗି ଛତିଶଗଡ଼ ପୁଲିସ ସମସ୍ତ ପ୍ରକାର କୌଶଳ ଆପଣେଇଛି । ଆଗକୁ ରିମାଣ୍ଡ କାଳରେ ଅନୁପ ଏସବୁ ତଥ୍ୟ ପୁଲିସ ଆଗରେ ଓଗାଳୁଛନ୍ତି ନାଁ ନାହିଁ ତାହାକୁ ଅପେକ୍ଷା ।
ଅନୁପଙ୍କ ପୁଅ, ଶ୍ୱଶୁର ଘର ପରିବାରର କିଛି ସଦସ୍ୟଙ୍କ ସମେତ ସମ୍ପର୍କରେ ଥିବା ବ୍ୟବସାୟୀ, ସମ୍ପର୍କୀୟଙ୍କୁ ଛତିଶଗଡ଼ ପୁଲିସ ନୋଟିସ କରି ଡକାଇବା ସହ ଜଣକ ପରେ ଜଣକର ବୟାନ ରେକର୍ଡ କରି ଚାଲିଛି । ମୃତା କଳ୍ପନା ଦାସଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ସହ ହତ୍ୟା ଘଟଣାରେ କେଉଁମାନେ ସମ୍ପୃୃକ୍ତ ତାହାର ସମସ୍ତ ତଥ୍ୟ ପ୍ରମାଣ ହାତେଇବା ଲାଗି ଜୋର୍ ଲଗାଇ ଦେଇଛି । ପ୍ରଥମେ ଅନୁପ ଏକ ବଲରୋ ଗାଡ଼ି ଏହି ହତ୍ୟାକାଣ୍ଡରେ ବ୍ୟବହାର କରିଥିଲେ ବୋଲି ତଦନ୍ତରୁ ପୁଲିସ ଜାଣି ପାରିଥିଲା । ଡ୍ରାଇଭର ଗିରଫ ହେବା ପରେ ଅନୁପଙ୍କ ଇନୋଭା କାର୍ ମଧ୍ୟ ବ୍ୟବହାର କରାଯାଇଥିଲା ବୋଲି ତଥ୍ୟ ସାମନାକୁ ଆସିଥିଲା । ପୁଲିସ ଇନୋଭାକୁ ଜବତ କରି ସାରିଛି ମାତ୍ର ବଲରୋଟି ପ୍ରଥମେ ସ୍ଥାନୀୟ ଜଣେ ସମ୍ପର୍କୀୟଙ୍କ ପାଖରେ ବିକ୍ରି ପରେ ତାହା ଟିଟିଲାଗଡ଼ରେ ବିକ୍ରି ହେବା ସହ ଓଏଲ୍ଏr ବିଜ୍ଞାପନ ଜରିଆରେ ସୁଦୂର ଗୁଜରାତରେ ବିକ୍ରି ହୋଇଛି ବୋଲି ଟିଟିଲାଗଡ଼ର ବ୍ୟବସାୟୀ ଜଣକ ବୟାନ ରଖିଛନ୍ତି । ଯାହାକୁ ଠାବ କରି ଜବତ କରିବା ଲାଗି ଛତିଶଗଡ଼ ପୁଲିସ ଏବେ ବି ଗୁଜରାତରେ ଘୁରି ବୁଲୁଛି । ସ୍ୱାମୀ ପରିତ୍ୟକ୍ତା କଳ୍ପନାଙ୍କ ସହ ଅନୁପଙ୍କ ସମ୍ପର୍କର ପର୍ଦ୍ଧାଫାଶ କରି ସାରିଛି ପୁଲିସ । ଅନୁପ କେଉଁ କେଉଁ ସ୍ଥାନକୁ କଳ୍ପନାଙ୍କ ସହ ଯାତ୍ରା କରି ହୋଟେଲରେ ରାତ୍ରୀ ଯାପନ କରିଛନ୍ତି ତାହାର ମଧ୍ୟ ତଥ୍ୟ ପ୍ରମାଣ ହାତେଇ ସାରିଛି । ବିମାନ ଯୋଗେ ଯାତ୍ରାର ପ୍ରମାଣ ସଂଗ୍ରହ କରିବା ଲାଗି ଛତିଶଗଡ଼ ପୁଲିସ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ତନାଘନା କରିଛି ।
ଅନ୍ୟପଟେ ଅନୁପଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁÂାନକୁ ନେଇ କ୍ଷୁବ୍ଧ ପରିବାରବର୍ଗ ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେବା ସାଙ୍ଗକୁ ପରିବାର ବର୍ଗ ଏବଂ ସମ୍ପର୍କୀୟଙ୍କୁ ପୁଲିସ ନୋଟିସ କରିବାକୁ ବିରୋଧ ଏବଂ ପରିବାର ସୁରକ୍ଷା ଦାବି କରି ଆନେ୍ଦାଳନର ବି ସାହାରା ନେଇ ସାରିଛି । ଏବେ ରିମାଣ୍ଡରେ ନେଇ ଅନୁପଙ୍କ ଠାରୁ କିଭଳି ତଥ୍ୟ ଓଗାଳୁଛି ଏବଂ ନାର୍କୋ ଟେଷ୍ଟ ଆବେଦନ ଉପରେ କୋର୍ଟ କିଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହାରି ଉପରେ ଏହି ମାମଲାର ଭାଗ୍ୟ ନିର୍ଭର କରୁଛି ।
Comments are closed, but trackbacks and pingbacks are open.