
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାମୁଦ୍ରିକ ବାତ୍ୟା “ୟାସ୍’ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ଆକାଶମାର୍ଗରୁ ବାତ୍ୟା ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାର ପାରାଦୀପ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜନଗର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଞ୍ଚଳ ପରିଦର୍ଶନ ସହ କରିବା ସହ ସ୍ଥିତି ଅନୁଧ୍ୟାନ ଏବଂ ବିପନ୍ନଙ୍କ ସହ କଥା ହେବାପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଏସବୁ ଅଞ୍ଚଳକୁ ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ଧାମରା ବନ୍ଦରସ୍ଥିତ ହେଲିପ୍ୟାଡ୍ରେ ଅବତରଣ କରିଥିଲେ । ପରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲା ଦୋସିଙ୍ଗା ପଞ୍ଚାୟତର ସମିପାଟିଆ, ଓରାମାଳ, ଜାଗୁଳା ପଞ୍ଚାୟତର ପାଇକସାହି ଏବଂ ଧାମରା ପଞ୍ଚାୟତର ଝାଡ଼କାଟି ସମେତ ଅନେକ ଗାଁ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିବା ସହ ବାତ୍ୟା ବିପନ୍ନଙ୍କ ପରିସ୍ଥିତି ସମ୍ପର୍କରେ ବୁଝିଥିଲେ । ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସାମୁଦ୍ରିକ ବାତ୍ୟା “ୟାସ୍’ର ସିଧାସଳଖ ପ୍ରଭାବ ଭଦ୍ରକ ଜିଲ୍ଲା ଉପରେ ପଡିଥିଲା । ଦୁଇ ଦିନ ତଳେ ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭଦ୍ରକ ଜିଲ୍ଲା ସମେତ ଅନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲି ।
ସୋମବାର ଦୋସିଙ୍ଗା ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କଲି । ଲୋକମାନଙ୍କ ସହ କଥା ହେବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବୁଝିଲି । ଲୋକମାନେ ଏବେ ବି ପାଣି ଘେରରେ ବନ୍ଦୀ ହୋଇ ଦୁଃଖ କଷ୍ଟରେ ରହିଥିବା ବେଳେ ଅନେକ ଚାଷ ଜମି ନଷ୍ଟ ହୋଇଯାଇଛି । ପ୍ରଭାବିତ ଗ୍ରାମାଞ୍ଚଳରେ ଅଧିକ କଲଭଟର୍୍ ତିଆରି କରାଗଲେ ପାଣି ଶୀଘ୍ର ନିଷ୍କାସନ ହୋଇପାରିବ ଏବଂ ସ୍ଥାୟୀ ଭାବରେ ଲୋକମାନେ ଆଉ ପାଣି ଘେରରେ ରହିବେନି । ଏହି ପ୍ରଭାବିତ ଅଞ୍ଚଳ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷିବା ସହ ପଲିଥିନ୍, ରିଲିଫ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ ।
ସୂଚନାଯୋଗ୍ୟ, ଆସନ୍ତାକାଲି ଶ୍ରୀ ପ୍ରଧାନ ବାତ୍ୟା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ତ୍ରିକୋଣିଆ ଏବଂ ସାରଥା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବିପନ୍ନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି ।
Comments are closed, but trackbacks and pingbacks are open.