ଆକ୍ରମଣକାରୀକୁ ଜାମିନ୍ ଦେବା ବେଳେ ସର୍ତ୍ତ ରଖିଲେ ହାଇକୋର୍ଟ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଏକ ପ୍ରେମ ମାମଲାରେ ଝିଅ ତଥା ଝିଅର ପରିବାରକୁ ଆକ୍ରମଣ କରିଥିବା ଅଭିଯୋଗରେ ଗିରଫ ଯୁବକକୁ ଜାମିନ୍ ମଂଜୁର କରିବା ଅବସରରେ ହାଇକୋର୍ଟ ଏକ ଅଭିନବ ସର୍ତ୍ତ ରଖିଛନ୍ତି । ଆକ୍ରମଣକାରୀ ଜାମିନ୍ରେ ଛାଡ ପାଇଲେ ମଧ୍ୟ ଗାଁରେ ୧୦୦ ଚାରା ରୋପଣ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଅଭିଯୁକ୍ତ ନିଜ ଗାଁରେ ଏହି ୧୦୦ ଗଛ ଲଗାଇବ । ଏଥିପାଇଁ ଅଭିଯୁକ୍ତକୁ ହାଇକୋର୍ଟ ୩ ମାସ ସମୟ ଦେଇଛନ୍ତି । ଅଭିଯୁକ୍ତ ଗଛ ଲଗାଇଲା କି’ ନାହିଁ ତାହାର ପ୍ରମାଣ ସ୍ୱରୂପ ଫଟୋ ଉଠାଇ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଦେବ । ଏହି ଫଟୋକୁ ଥାନା ଅଧିକାରୀ ବୌଦ୍ଧ ଏସ୍ଡିଜେଏମ୍ଙ୍କ ଅଦାଲତରେ ଦାଖଲ କରିବେ । ଏଥିସହ ନିମ୍ନ ଅଦାଲତ ଅଭିଯୁକ୍ତକୁ ଜାମିନ୍ରେ ଛାଡିଲା ବେଳେ ଅନ୍ୟ ସର୍ତ୍ତାରୋପ କରିବେ ବୋଲି ମାନ୍ୟବର ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ବୌଦ୍ଧ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ଶୁଭ୍ରାଂଶୁ ପ୍ରଧାନଙ୍କୁ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହିଭଳି ସର୍ତ୍ତମୂଳକ ଜାମିନ୍ ମଂଜୁର କରିଛନ୍ତି । ଏଭଳି ସର୍ତ୍ତାରୋପ ଉଦାହରଣୀୟ ଓ ଅଭିଯୁକ୍ତକୁ ଭଲ ରାସ୍ତାକୁ ଫେରାଇ ଆଣିବା ପାଇଁ ଉଚିତ୍ ଦଣ୍ଡ ତଥା ମାର୍ଗ ବୋଲି ଆଇନ ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଇଛି ।
ମାମଲାରୁ ଜଣାଯାଇଛି ଯେ, ଅଭିଯୁକ୍ତ ଶୁଭ୍ରାଂଶୁ ପ୍ରଧାନ ସେହି ଗ୍ରାମର ଜଣେ ଝିଅଙ୍କୁ ଭଲ ପାଉଥିଲା । ଗତ ଜାନୁଆରୀ ୧ ତାରିଖ ରାତିରେ ଅଭିଯୁକ୍ତ ତା’ର କିଛି ସାଙ୍ଗଙ୍କ ସହ ଝିଅ ଘରକୁ ଯାଇ ସେମାନଙ୍କ ପରିବାରକୁ ଧମକଚମକ ଦେଇଥିଲା । ଝିଅ ବେକରେ ଛୁରୀ ଲଗାଇ ତା’ ସହ ଯିବାକୁ ବାଧ୍ୟ ବି କରିଥିଲା । ଏପରିକି ପରିବାର ଲୋକଙ୍କୁ ଧମକ ଦେଇ ଝିଅକୁ ବିବାହ କରିବା ପାଇଁ କହିଥିଲା । ଏହି ଘଟଣାକୁ ନେଇ ଝିଅର ବାପା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ୍ ଅଭିଯୁକ୍ତ ଶୁଭ୍ରାଂଶୁକୁ ଗିରଫ କରିଥିଲା । ନିମ୍ନ ଅଦାଲତରେ ଜାମିନ୍ ଖାରଜ ହେବା ପରେ ଶୁଭ୍ରାଂଶୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆବେଦନକାରୀ ପକ୍ଷରୁ ଅଦାଲତରେ ଯୁକ୍ତି ଦର୍ଶାଯାଇଥିଲା ଯେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । ପରିବାର ଲୋକଙ୍କୁ ଆକ୍ରମଣ କଥା ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ୍ । ଅଭିଯୁକ୍ତ ଆକ୍ରମଣ କରିଥିବାର ବା କାହାଠାରେ କୌଣସି ଆଘାତର ପ୍ରମାଣ ନାହିଁ । ତେଣୁ ଅଭିଯୁକ୍ତକୁ ଜାମିନ୍ରେ ଛାଡିବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀ ପକ୍ଷରୁ ଆଇନଜୀବୀ ଅମୂଲ୍ୟ ରତ୍ନ ପଣ୍ଡା ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons