ଆଖିବୁଜିଲେ ଶେଷ ଦେବଦାସୀ ପରଶମଣି

Get real time updates directly on you device, subscribe now.

ପୁରୀ: ମହାପ୍ରଭୁଙ୍କ ଦେବଦାସୀ ପରମ୍ପରାର ଶେଷସନ୍ତକ ପରଶମଣିଙ୍କ ଶନିବାର ପରଲୋକ ଘଟିଛି । ମସ୍ତକରେ ସିନ୍ଦୂର ପିନ୍ଧି ସଧବାର ସୌଭାଗ୍ୟ ଘେନି ସେ ନିରବିଗଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପତି ଭାବେ ଗ୍ରହଣ କରି ସମର୍ପି ଦେଲେ ସାରା ଜୀବନ । ଆଜି ପବିତ୍ର ଉଭା ଯାତ୍ରାରେ ତାଙ୍କ ସେବିକାଙ୍କୁ ପାଖକୁ ଡାକିନେଲେ ମହାପ୍ରଭୁ । ୯୦ ବର୍ଷରେ ତାଙ୍କ ଜୀବନର ଅନ୍ତ ଘଟିଲା । ଏଥିସହ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଗୁପ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ପରମ୍ପରାର ପ୍ରତ୍ୟକ୍ଷଦର୍ଶୀଙ୍କ ଅନ୍ତ ଘଟିଛି ।
ମହାପ୍ରଭୁଙ୍କ ୧୧୯ ସେବା ମଧ୍ୟରେ ମହିଳା ସେବିକା ହେଲେ ପରଶମଣି । ତାଙ୍କର ଥିଲା ଭିତରଗାୟଣୀ ସେବା । ମାତ୍ର ୭ ବର୍ଷ ବୟସରେ ଶାଢୀ ବନ୍ଧାଇ ସେ ଠାକୁରଙ୍କ ସେବାରେ ନିୟୋଜିତ ହୋଇଥିଲେ । ପୂର୍ବତନ ଦେବଦାସୀ କୁଳମଣି ଦାସ ତାଙ୍କୁ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ଡାକି ଆଣିଥିଲେ । ଏହାପରଠାରୁ ୪୦ ବର୍ଷରୁ ଉଦ୍ଧ୍ୱର୍ ପରଶମଣି ସେବା କରିଥିଲେ । ବଡ଼ସିଂହାର ସମୟରେ ଠାକୁରଙ୍କ ନିକଟରେ ଗୀତଗୋବିନ୍ଦ ଗାନ କରୁଥିଲେ । ଏହି ସେବା ବନ୍ଦ ହେବା ପରେ ଶ୍ରୀମନ୍ଦିର ଭିତରେ ଥିବା ମାଜଣାମଣ୍ଡପରେ ୩୦ ବର୍ଷ ଧରି ପାରମ୍ପରିକ ସଙ୍ଗୀତ ଗାନ କରୁଥିଲେ ।
ଶ୍ରୀମନ୍ଦିରର ଏହି ଦେବଦାସୀ ପରମ୍ପରାରୁ ସୃଷ୍ଟି ମାହାରୀ ନୃତ୍ୟ । ମାହାରୀ ଅର୍ଥାତ ମହାନ୍ ନାରୀ । ଯିଏ ଠାକୁରଙ୍କୁ ମନର ଦେବତା ଭାବେ ଗ୍ରହଣ କରି ଜୀବନଯାପନ କରନ୍ତି । ଭଗବାନଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପି ଠାକୁରଙ୍କ ମନମୋହି ନିଅନ୍ତି । ଶ୍ରୀକ୍ଷେତ୍ର ପରମ୍ପରା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଭାବେ ସମଗ୍ର ଓଡ଼ିଶାରେ ତାଙ୍କର ଖ୍ୟାତି ଥିଲା । ଶ୍ରୀମନ୍ଦିର ପ୍ରଶାସନ ତଥା ବିଭିନ୍ନ ଅନୁÂାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ପରଶମଣି ଥିଲେ ଶ୍ରୀମନ୍ଦିର ପରମ୍ପରାର ଶେଷ ଦେବଦାସୀ । ଅସୁସ୍ଥ ହେବାରେ ଶେଷ ଜୀବନରେ ଶ୍ରୀମନ୍ଦିରକୁ ଯାଇପାରୁନଥିଲେ । ସହରର ସମୁଦ୍ରକୂଳ ନିକଟ କାମାକ୍ଷା ଲେନ୍ ସ୍ଥିତ ତାଙ୍କ ଧର୍ମପୁଅ ପ୍ରସନ୍ନ କୁମାର ଦାସଙ୍କ ଘରେ ଥିଲେ । ବାର୍ଦ୍ଧକ୍ୟର ପୀଡ଼ା ଭୋଗୁ ଥିଲେ । ଆଜି ସକାଳେ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦାହ ପାଇଁ ଶ୍ରୀମନ୍ଦିର ରୋଷରୁ ନିଆଁ ଆସିଥିଲା । ସ୍ୱତନ୍ତ୍ର ତଥା ଗୁପ୍ତ ବିଧିବିଧାନରେ ଦାହ କରାଯିବାର ପରମ୍ପରା ରହିଛି । ତାଙ୍କ ଧର୍ମ ପୁତ୍ର ପ୍ରସନ୍ନ ମୁଖାଗ୍ନି ଦେଇଛନ୍ତି । ବିଶ୍ୱ ପ୍ରସିଦ୍ଧ ମାହାରୀ ନୃତ୍ୟ ଗୁରୁ ରୂପଶ୍ରୀ ମହାପାତ୍ର ତାଙ୍କ ଠାରୁ ନୃତ୍ୟ ଶିକ୍ଷା କରିଥିଲେ । ତାଙ୍କ ମୃତୁ୍ୟରେ ଶ୍ରୀମନ୍ଦିର ସେବାୟତ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ଭକ୍ତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ସଂସ୍କୃତିପ୍ରେମୀ ଶ୍ୟାମପ୍ରକାଶ ସେନାପତିଙ୍କ ସମେତ ବହୁ ଜଗନ୍ନାଥପ୍ରେମୀ ଶୋକ ପ୍ରକଟ କରିଛନ୍ତି । ‘ଘୋଷଯାତ୍ରା ପୂର୍ବରୁ ପରଶମଣିଙ୍କ ପରଲୋକ ହୋଇଛି । ସେ ଅତ୍ୟନ୍ତ ଭାଗ୍ୟବତୀ ଥିଲେ । ସେଥିପାଇଁ ମହାପ୍ରଭୁଙ୍କ ସେବା କରିବାର ପରମ ସୌଭାଗ୍ୟ ପାଇଥିଲେ’ ବୋଲି ପୁରୀବାସୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ୧୦୦ ବର୍ଷ ପୂର୍ବେ ପୁରୀରେ ୨୫ ଜଣ ଦେବଦାସୀ ଥିଲେ । ୧୯୫୬ ମସିହାର ଓଡ଼ିଶା ଗେଜେଟ୍ରେ ଶ୍ରୀମନ୍ଦିରରେ ୯ ଜଣ ଦେବଦାସୀ ଥିଲେ ବୋଲି ଉଲ୍ଲେଖ ରହିଛି । ତେବେ ୧୯୮୦ ବେଳକୁ ବଡ଼ଦେଉଳରେ ମାତ୍ର ୪ ଜଣ ଦେବଦାସୀ ହରପ୍ରିୟା, କୋକିଳପ୍ରଭା, ଶଶିମଣି ଓ ପରଶମଣି ସେବା କରୁଥିଲେ । ୨୦୧୫ରେ ଶଶିମଣିଙ୍କ ପରଲୋକ ଘଟିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons