ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୋଟ ଜିତିବାକୁ ସରକାର ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଭୋଟ ପରେ ଏବେ ସରକାର ଉପରେ ଲୋକଙ୍କର ନାହିଁ ନଥିବା ଅସନ୍ତୋଷ । ଲୋୟର ପିଏମ୍ଜିରେ ଧାରଣାକାରୀଙ୍କୁ ଦେଖିଲେ ସରକାର ଉପରେ ଲୋକ କେତେ ଖୁସି ତାହା ଜଣାପଡୁଛି । ବିଧାନସଭାର କାର୍ଯ୍ୟ ଅଧା ସରିନି କିନ୍ତୁ ୨୭ରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିବାକୁ ଚାପ ପଡୁଛି । ସରକାର ସମ୍ବିଧାନର ନୀତି ନିୟମକୁ ମାନୁନାହାନ୍ତି । ଆଜି ବିଧାନସଭାରେ ଏ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ।
ଶୂନ୍ୟକାଳରେ ସେ ଅଭିଯୋଗ କରିଛନ୍ତି, ସରକାର ଭୋଟକୁ ଆଖିରେ ରଖି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ । ମାତ୍ର ଭୋଟ ସରିବା ପରେ ହିତାଧିକାରୀଙ୍କ ଆଧାର କାର୍ଡ ସଂଯୋଗ ଆଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ୧୨ ଲକ୍ଷ ହିତାଧିକାରୀଙ୍କୁ ବାଦ୍ ଦେଇ ତାଙ୍କ ସ୍ଥାନରେ ରାଜ୍ୟ ଯୋଜନାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି । ଚିଟଫଣ୍ଡ ଜମାକାରୀଙ୍କୁ ଏଯାଏ କ୍ଷତିପୂରଣ ମିଳିଲାନି । ଭୋଟ ଭିଡ଼ିବାକୁ ‘କାଳିଆ’ ଯୋଜନା ଆସିଲା । ମାତ୍ର ବହୁ ଯୋଗ୍ୟ ଚାଷୀ ଏ ସହାୟତା ପାଇନାହାନ୍ତି । ଧାନ କିଣାରେ ଟୋକନ ବ୍ୟବସ୍ଥା ନେଇ ଆଲୋଚନା ପରେ ବି ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ ରହିଛି । ଗତ ବିଧାନସଭା ଅଧିବେଶନକୁ ଅଧାରୁ ବନ୍ଦ କରି ଦିଆଗଲା । ଚଳିତ ଅଧିବେଶନକୁ ମଧ୍ୟ ଆଗୁଆ ସାରିବାକୁ ମନ୍ତଣା ଚାଲିଛି । ଗୃହରେ ବହୁ କାର୍ଯ୍ୟକ୍ରମ ଥିଲେ ମଧ୍ୟ କେଉଁ କାରଣ ପାଇଁ ସରକାର ଗୃହକୁ ଆଗୁଆ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ନାଏକ ପାଲଟା ପ୍ରଶ୍ନ କରିଥିଲେ ।
ଶ୍ରୀ ନାଏକ ଆହୁରି ଅଭିଯୋଗ କଲେ, ବିଧାନସଭାରେ ବିଜେପିର ୨୩ ଜଣ ସଦସ୍ୟ ଥାଇ ମଧ୍ୟ କାର୍ଯ୍ୟବିଧି ପରାମର୍ଶଦାତା କମିଟିକୁ ମାତ୍ର ଜଣେ ବିଜେପି ସଦସ୍ୟଙ୍କୁ ନିଆଯାଇଛି । ଗତ ବିଧାନସଭାରେ କଂଗ୍ରେସରୁ ୩ ଜଣ ଏବଂ ବିଜେପିରୁ ୨ ଜଣଙ୍କୁ ନିଆଯାଇଥିଲା । ପ୍ରଶ୍ନକାଳରେ ସରକାରଙ୍କୁ ସୁହାଇଲା ଭଳି ତାରକା ପ୍ରଶ୍ନ ଅଣାଯାଉଛି । ପ୍ରଶ୍ନକାଳ ଆଲୋଚନା ମଧ୍ୟ ଯଥେଷ୍ଟ ହୋଇପାରୁନି । ତେଣୁ ଏହାକୁ ଘଣ୍ଟାଏ ବଦଳରେ ଦେଢ଼ ଘଣ୍ଟା କରାଯାଉ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରି ସୁଯୋଗ ଦେବାକୁ ଜିଲ୍ଲା କ୍ୟାଡର କରିବାକୁ ସେ ଦାବି କରିଥିଲେ । ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ନାଏକ ଦାବି କରିଥିଲେ ।
Comments are closed, but trackbacks and pingbacks are open.