ଆଜିଠୁ ୩ଦିନିଆ ଆର୍ବିଆଇ ମୁଦ୍ରାନୀତି କମିଟି ବୈଠକ:ରେପୋ ହାର ପୁଣି ୦.୨୫% କମିବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତର ଚତୁର୍ଥ ଥର ପାଇଁ ଅଗଷ୍ଟ ୭ ବା ବୁଧବାର ରେପୋ ହାର (ମୂଳ ସୁଧହାର) ୨୫ ବେସିସ୍ ପଏଣ୍ଟ ବା ୦.୨୫ଧ କମାଇବ ବୋଲି ଆଶା କରାଯାଉଛି । ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥାକୁ ମୁହାଁଉଥିବା ବେଳେ ଏଥିରେ ସୁଧାର ଆଣିବା ଲକ୍ଷ୍ୟରେ ଆର୍ବିଆଇ ରେପୋ ହାର କମାଇବ ବୋଲି ଏକ ସର୍ଭେ ବେଳେ ଅର୍ଥ ବିଶାରଦମାନେ ମତ ଦେଇଛନ୍ତି ।
ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧୀନ ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି (ଏମ୍ପିସି) ଏହି ବୈଠକରେ ନଗଦ ସ୍ଥିତିରେ ସୁଧାର ଆଣିବାକୁ ମଧ୍ୟ ପଦକ୍ଷେପ ନେବ ବୋଲି ଶିଳ୍ପଜଗତ ଆଶା ରଖିଛି । ଏହାଛଡ଼ା ରେପୋ ହ୍ରାସର ଫାଇଦା ଯେଭଳି ଋଣକର୍ତ୍ତାଙ୍କ ନିକଟକୁ ପହଞ୍ଚିବ, ଆର୍ବିଆଇ ସୁନିଶ୍ଚିତ କରିବ ବୋଲି ମଧ୍ୟ ବିଶେଷଜ୍ଞମାନେ ଆଶାପ୍ରକାଶ କରିଥିବା ସର୍ଭେରେ କୁହାଯାଇଛି ।
ଅଗଷ୍ଟ ୫ରୁ ୭ ତାରିଖ ଯାଏଁ ଆର୍ବିଆଇର ଏମ୍ପିସି ବୈଠକ ଅନୁଷ୍ଠିତ ହେବ । ଚଳିତ ଆର୍ଥିକ ବର୍ଷ ଏହା ରିଜର୍ଭ ବ୍ୟାଙ୍କର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି କମିଟି ବୈଠକ ।
ସର୍ଭେରେ ୧୫ ଜଣ ଅର୍ଥନୀତିଜ୍ଞ ଓ ବଜାର ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ । ଆସନ୍ତା ଏମ୍ପିସି ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୫୦ ବେସିସ ପଏଣ୍ଟ ବା ୦.୫୦% ରେପୋ ହାର କମାଇବ ବୋଲି ସେମାନଙ୍କ ମଧ୍ୟରୁ ୨ ଜଣ ମତ ଦେଇଛନ୍ତି । କିନ୍ତୁ ଅନ୍ୟ ସମସ୍ତ ବିଶେଷଜ୍ଞ କହିଛନ୍ତି, ଏହି ବୈଠକରେ ଆର୍ବିଆଇ ୦.୨୫% ରେପୋ କମାଇବ ।
କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ କହିଛନ୍ତି, ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି । ଏଣୁ ଆଗାମୀ ଦିନରେ ଆର୍ବିଆଇ ୫୦ ବେସିସ୍ ପଏଣ୍ଟ ରେପୋ କମାଇବ ବୋଲି ଆଶା କରାଯାଉଛି । କିନ୍ତୁ ଆସନ୍ତା ଏମ୍ପିସି ବୈଠକରେ ଏହା ନିଶ୍ଚିତ ରେପୋ ହାର ୨୫ ବେସିସ୍ ପଏଣ୍ଟ କମାଇବ ।
ଏଚ୍ଡିଏଫ୍ସି ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଅଭିକ ବରୁଆ କହିଛନ୍ତି, ବର୍ତ୍ତମାନ ସମୟରେ ୨୫ ବେସିସ୍ ପଏଣ୍ଟ ସୁଧହାର ହ୍ରାସ ଆଶା କରାଯାଉଛି । କିନ୍ତୁ ଏବେ ନଗଦ ଫ୍ରେମୱର୍କ ସବୁଠାରୁ ଚିନ୍ତାର ବିଷୟ ରହିଛି । ଏନେଇ ଆର୍ବିଆଇ କିଛି ପଦକ୍ଷେପ ଘୋଷଣା କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons