ଆଜି ଆସିବ ରାଫେଲ, ସବରିମାଳା ମାମଲାର ରାୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସବରିମାଳା ମନ୍ଦିର ଏବଂ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ପ୍ରଦାନ କରିବେ । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରିଭୁ୍ୟ ପିଟିସନ୍ ଦାଖଲ ହୋଇଥିଲା । ଏହାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇବେ । ଆସନ୍ତା ୧୭ ତାରିଖରେ ଅବସର ନେବାକୁ ଯାଉଥିବାରୁ ଜଷ୍ଟିସ୍ ଗୋଗୋଇ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଦେବେ ବୋଲି ଆଶା କରାଯାଉଛି ।
କେରଳର ସବରିମାଳା ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇଥିଲେ । ଏ ନେଇ ଲାଗୁ କରାଯାଉଥିବା ସବୁ ପ୍ରତିବନ୍ଧକକୁ ଅଦାଲତ ହଟାଇ ଦେଇଥିଲେ । ଅଦାଲତଙ୍କ ଏହି ରାୟକୁ କିଛି ଧାର୍ମିକ ସଂଗଠନ ବିରୋଧ କରିବା ସହ ଏହା ପରମ୍ପରାକୁ ଉଲ୍ଲଂଘନ କରୁଛି ବୋଲି କହିଥିଲେ । ତେଣୁ ରାୟ ଉପରେ ପୁନର୍ବିଚାର ପାଇଁ ସେମାନେ ସୁପ୍ରିମକୋର୍ଟରେ ରିଭୁ୍ୟ ପିଟିସନ ଦାଖଲ କରିଥିଲେ । ଏହିଭଳି ଭାବେ ୧୯ଟି ପିଟିସନ୍ ହୋଇଥିଲା । ଏ ନେଇ ଗୁରୁବାର ରାୟ ଆସିବ ।
ଅନ୍ୟପକ୍ଷରେ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିର ଯାଞ୍ଚ ଏସ୍ଆଇଟି ଦ୍ୱାରା କରିବା ନେଇ ହୋଇଥିବା ପିଟିସନ୍କୁ ସୁପ୍ରିମକୋର୍ଟ ପ୍ରଥମେ ଖାରଜ କରିଦେଇଥିଲେ । କିନ୍ତୁ ଚୁକ୍ତି ବାବଦରେ କିଛି ନୂଆ ତଥ୍ୟ ହାସଲ କରାଯାଇଥିବା ନେଇ ଆବେଦନକାରୀ କହିବା ପରେ ସୁପ୍ରିମକୋର୍ଟ ଏ ବାବଦ ରିଭୁ୍ୟ ପିଟିସନ୍କୁ ଗ୍ରହଣ କରିଥିଲେ । ଗୁରୁବାର ଏହା ଉପରେ ମଧ୍ୟ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବାକୁ ଯାଉଛି ।
ବିଜେପି ସାଂସଦ ମୀନାକ୍ଷୀ ଲେଖିଙ୍କ ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାର ବି ରାୟ ଆସିବ ବୋଲି ଆଶା କରାଯାଉଛି । ‘ଚୌକିଦାର ଚୋର୍ ହୈ’ ସ୍ଲୋଗାନ୍କୁ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ରାୟ ସହ ଯୋଡ଼ିଥିଲେ । ଏହାକୁ ଲେଖି ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ଏହି ସ୍ଲୋଗାନ୍ ଦେଇଆସୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons