ଆଜି ଆସୁଛନ୍ତି ଟ୍ରମ୍ପ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ସୋମବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହିତ ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜାରେଡ କୁଶନରଙ୍କ ସମେତ ୧୨ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିବେ । ସେମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ଲାଗି ଅହମ୍ମଦାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟ୍ରମ୍ପଙ୍କ ଏହି ଗସ୍ତ କାଳରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ସାମରିକ ଓ ବାଣିଜି୍ୟକ ସହଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥିସହିତ ଟ୍ରମ୍ପ ମୋଟେରା ଷ୍ଟାଡିୟମ୍ରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ ।
ଟ୍ରମ୍ପଙ୍କ ବିମାନ ଏୟାରଫୋର୍ସ ୱାନ ପୂର୍ବାହ୍ନ ୧୧ଟା ୪୦ରେ ଗୁଜରାଟ ଅହମ୍ମଦାବାଦର ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବ । ସେଠାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିବା ସହ ପାଛୋଟି ନେବେ । ଏହା ପରେ ଉଭୟେ ନେତା ୨୨ କି.ମି. ରୋଡ୍ ଶୋ’ କରିବେ । ବାଟରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ବାଟରେ ମଧ୍ୟାହ୍ନ ୧୨ଟା ୧୫ରେ ସେମାନେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ । ସେଠାରୁ ମୋଟେରା ଷ୍ଟାଡିୟମକୁ ଯିବେ । ଅପରାହ୍ନ ୧ଟା ୫ରେ ସେଠାରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପତ୍ନୀ ମେଲାନିଆ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଉଦ୍ବୋଧନ ଦେବେ । ଏଥିରେ ପ୍ରାୟ ୧ଲକ୍ଷ ୨୫ ହଜାର ଲୋକ ସାମିଲ ହେବାର ସମ୍ଭାବନା ରହିଛି । ସେଠାରେ ଟ୍ରମ୍ପ ଓ ମେଲାନିଆଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଟ୍ରମ୍ପ ଦମ୍ପତିଙ୍କୁ ଗୁଜରାଟୀ ଖାଦ୍ୟ ବିଶେଷକରି ଖମନ ଓ ମଲ୍ଟିଗ୍ରେନ ରୁଟିରେ ଆପ୍ୟାୟିତ କରାଯିବ । ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅହମ୍ମଦାବାଦରୁ କାର୍ଯ୍ୟକ୍ରମ ସାରି ଅପରାହ୍ନ ୩ଟା ୩୦ରେ ପତ୍ନୀଙ୍କ ସହ ଟ୍ରମ୍ପ ଆଗ୍ରା ଯିବେ । ୫ଟା ୧୫ରେ ତାଜମହଲ ପରିଦର୍ଶନ କରିବେ । ଆଗ୍ରାରେ ସେମାନେ ୩୦ ମିନିଟ୍ ବିତାଇବା ପରେ ଦିଲ୍ଲୀ ଯିବେ । ୭ଟା ୩୦ରେ ଟ୍ରମ୍ପ ଦିଲ୍ଲୀର ପାଲାମ ବିମାନଘାଟିରେ ଅବତରଣ କରିବେ । ସେଠାରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ଲାଗି ଭବ୍ୟ ପ୍ରସ୍ତୁତି କରାଯାଇଛି । ବିମାନବନ୍ଦରରୁ ଟ୍ରମ୍ପ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲ ଯିବେ । ହୋଟେଲ ପକ୍ଷରୁ ଟ୍ରମ୍ପଙ୍କୁ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେଠାରେ ରାତ୍ରୀ ଯାପନ କରିବେ । ମଙ୍ଗଳବାର (୨୫ ତାରିଖ) ପୂର୍ବାହ୍ନ ୧୦ଟାରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯିବ । ସେଠାରୁ ୧୦ଟା ୩୦ରେ ଟ୍ରମ୍ପ ରାଜଘାଟ ଯିବେ ଓ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇବେ । ରାଜଘାଟରୁ ଫେରି ପୂର୍ବାହ୍ନ ୧୧ଟାରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାଇଦ୍ରାବାଦ ହାଉସ୍ରେ ଆଲୋଚନା କରିବେ । ଉଭୟ ନେତା ପ୍ରତିରକ୍ଷା, ସାମରିକ ସହଯୋଗ, ଆତଙ୍କବାଦ ମୁକାବିଲା, ବାଣିଜ୍ୟ ଓ ଶକ୍ତି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ୧୨ଟା ୪୦ରେ ଉଭୟ ନେତାଙ୍କ ପକ୍ଷରୁ ମିଳିତ ଘୋଷଣାନାମା ପ୍ରକାଶ କରାଯିବ । ଏହି ସମୟରେ ମେଲାନିଆ ଦିଲ୍ଲୀର ଏକ ସ୍କୁଲ ପରିଦର୍ଶନ କରିବେ । ଅପରାହ୍ନରେ ଟ୍ରମ୍ପ ଆମେରିକା ଦୂତାବାସରେ ଭାରତର ବିଭିନ୍ନ କମ୍ପାନିର ସିଇଓଙ୍କୁ ଭେଟିବେ । ରାତି ୭ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଟ୍ରମ୍ପ । ସେଠାରେ ରାଷ୍ଟ୍ରପତିଙ୍କ ପକ୍ଷରୁ ଟ୍ରମ୍ପ ଦମ୍ପତିଙ୍କ ପାଇଁ ପ୍ରୀତି ଭୋଜନର ଆୟୋଜନ କରାଯାଇଛି । ଏହା ପରେ ରାତି ପ୍ରାୟ ୧୦ଟାରେ ଟ୍ରମ୍ପ ଦମ୍ପତି ଆମେରିକା ଫେରିଯିବେ ବୋଲି ଜଣାପଡିଛି ।
ଇତିମଧ୍ୟରେ ଟ୍ରମ୍ପ ଭାରତ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ହ୍ୱାଇଟ୍ ହାଉସରୁ ସେ ମେରାଇନ ୱାନରେ ଜଏଣ୍ଟ ବେସ୍ ଆଣ୍ଡ୍ରୁ୍ୟସ୍କୁ ଯାଇଥିଲେ । ସେଠାରୁ ଏୟାରଫୋସ୍ ୱାନ୍ରେ ଭାରତ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି । ତେବେ ହ୍ୱାଇଟ୍ ହାଉସ୍ ଛାଡିବା ପୂର୍ବରୁ ଟ୍ରମ୍ପ କହିଛନ୍ତି ଯେ ସେ ମୋଦି ତାଙ୍କର ଭଲ ବନ୍ଧୁ ଓ ସେ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଭାରତ ଗସ୍ତରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଏହି ଗସ୍ତ ତାଙ୍କର ସ୍ମରଣୀୟ ହୋଇରହିବ ବୋଲି ମୋଦି ତାଙ୍କୁ କହିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ସେହିଭଳି ଇଭାଙ୍କା ତାଙ୍କର ଭାରତ ଗସ୍ତ ବିଷୟରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ହାଇଦ୍ରାବାଦରେ ଆୟୋଜିତ ବିଶ୍ୱ ଉଦ୍ୟୋଗ ସମ୍ମିଳନୀରେ ମୋଦିଙ୍କ ସହ ଯୋଗଦେବାର ଦୁଇବର୍ଷ ପରେ ପୁଣିଥରେ ସେ ଆମେରିକା ରାଷ୍ଟ୍ରପତି ଓ ଫାଷ୍ଟଲେଡିଙ୍କ ସହ ଭାରତ ଆସୁଛନ୍ତି । ବିଶ୍ୱର ଦୁଇ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଦୃଢ଼ ବନ୍ଧୁତା ବଜାୟ ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons