ଆଜି ଗୁଜରାଟରେ ମାଡ଼ ହେବ ‘ବାୟୁ’

Get real time updates directly on you device, subscribe now.

ନୂଆଦିଲ୍ଲୀ/ଅହମ୍ମଦାବାଦ: ଆରବ ସାଗର ଉପରେ ସୃଷ୍ଟ ଘୂଣ୍ଣ ର୍ିଝଡ ‘ ବାୟୁ’ ଏବେ ଭୟଙ୍କର ରୂପ ଧାରଣ କରିଛି । ଏହି ବାତ୍ୟା ବୁଧବାର ମଧ୍ୟରାତ୍ରି କିମ୍ବା ଗୁରୁବାର ଭୋର ସମୟରେ ଗୁଜରାଟରେ ମାଡ଼ ହେବ । ଏହି ବାତ୍ୟା ଏତେ ଶକ୍ତିଶାଳୀ ଯେ ସ୍ଥଳଭାଗ ଛୁଇଁବାର ୨୪ ଘଣ୍ଟା ଯାଏଁ ବି ଏହାର ପ୍ରଭାବ ବଳବତ୍ତର ରହିବ ବୋଲି କୁହାଯାଉଛି ।
ରିପୋର୍ଟ ଅନୁଯାୟୀ, ଏହି ବାତ୍ୟା ଏବେ ମୁମ୍ବାଇ ଠାରୁ ୨୩୦ କିମି ଦକ୍ଷିଣ-ପଶ୍ଚିମ ଏବଂ ଗୁଜରାଟର ଭେରାଭାଲ ଠାରୁ ୨୯୦ କିମି ଦକ୍ଷିଣରେ ଆରବ ସାଗର ଉପରେ ସ୍ଥିତ ଅଛି । ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଉତ୍ତର ଦିଗ ଆଡକୁ ମାଡି ଚାଲିଛି । ତେବେ ଆଜି ଏହି ବାତ୍ୟାର ଦିଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଏହା ଏବେ ଭେରାଭାଲର ପଶ୍ଚିମ ଦିଗରେ ଥିବା ଅଞ୍ଚଳ ଆଡକୁ ମୁହାଁଇଛି । ତେଣୁ ‘ ବାୟୁ’ ଗୁଜରାଟର ପୋରବନ୍ଦର ଏବଂ ଡିୟୁ ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ସୌରାଷ୍ଟ୍ର ଏବଂ ମହୁବା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଥିଲା ।
‘ବାୟୁ’ ବାତ୍ୟା ଇତିମଧ୍ୟରେ ଏତେ ଶକ୍ତିଶାଳୀ ହୋଇଗଲାଣି ଯେ ଏହା କାଟେଗୋରୀ-୨ ଶ୍ରେଣୀର ହରିକେନ ସମକକ୍ଷ ବୋଲି କୁହାଯାଉଛି । ଏହାଯୋଗୁ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସାଙ୍ଗକୁ ଘଣ୍ଟା ପ୍ରତି ୧୫୦ରୁ ୧୭୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଉତ୍ତର ଏବଂ ପଶ୍ଚିମ ଭାଗାରେ ସୃଷ୍ଟି ହୋଇଥିବା ବାତ୍ୟାଗୁଡିକ ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ଅଟେ । ତା’ ଛଡା ଫୋନି ପରେ ଚଳିତ ବର୍ଷ ଭାରତରେ ମାଡ଼ ହୋଇଥିବା ବାତ୍ୟାଗୁଡିକ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଅଟେ । ଏତେ ଶକ୍ତିଶାଳୀ ବାତ୍ୟା ପ୍ରଭାବରେ ଗୁଜରାଟର ତଟବର୍ତ୍ତୀ ଅଞ୍ଚଳଗୁଡିକରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ଡିୟୁ, ଭେରାଭାଲ, ଆମରେଲି, ଜୁନାଗଡ, ଗିର, ସୋମନାଥ, ଜାମନଗର ପରି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ବିଶେଷକରି ପୋରବନ୍ଦର ଓ ମହୁବାରେ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି କାରଣ ଏହି ଅଞ୍ଚଳ ପାଖରେ ଉକ୍ତ ବାତ୍ୟା ସ୍ଥଳଭାଗ ଛୁଇଁବ । ତେଣୁ ସେଠାରେ ଅଧିକ କ୍ଷତି ହୋଇପାରେ । ଏତଦ୍ବ୍ୟତୀତ, କଚ୍ଛ, ଓଖା, ନାଲିୟା, ମାଫବୀ ଏବଂ ଦ୍ୱାରକାରେ ବି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି । କେତେକ ଅଞ୍ଚଳରେ ମଙ୍ଗଳବାର ରାତି ଠାରୁ ବର୍ଷା ଆରମ୍ଭ ହୋଇଯାଇଥିବାର ସୂଚନା ମିଳିଛି ।
ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବାକୁ ୨୪ ଘଣ୍ଟାରୁ କମ୍ ସମୟ ଥିଲାବେଳେ ଗୁଜରାଟ ସରକାର ଏହାର ମୁକାବିଲା କରିବା ପାଇଁ ଆଜି ବ୍ୟାପକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରୁ ୨.୧୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ।ତଳିଆ ଅଞ୍ଚଳରେ ଥିବା ପ୍ରାୟ ୫୦୦ ଗ୍ରାମକୁ ଖାଲି କରାଯାଇଛି । ସରକାର ସମୁଦାୟ ୩ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟର ୧୦ଟି ଜିଲାରେ ପ୍ରଶାସନ ସହିତ ସାଧାରଣ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଚାଲିଥିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ତଳିଆ ଅଞ୍ଚଳର ଲୋକଙ୍କୁ ନିବେଦନ କରିଛନ୍ତି । ବିପଦଜନକ ଅଞ୍ଚଳ ବୋଲି ମନେ କରାଯାଉଥିବା କେତେକ ସ୍ଥାନରେ ପୁଲିସ ଆଜି ମଧ୍ୟରାତ୍ରିରୁ ପାଟ୍ରେଲିଂ କରିବ ।
ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ପର୍ଯ୍ୟଟନ ସ୍ଥଳୀଗୁଡିକୁ ବନ୍ଦ ରଖାଯାଇଛି । ପ୍ରାୟ ୧୦,୦୦୦ ପର୍ଯ୍ୟଟକଙ୍କୁ ସେଠାରୁ ଅନ୍ୟତ୍ର ନିଆଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ବନ୍ଦର ଓ ବିମାନବନ୍ଦରରେ ସାମୟିକ ଭାବେ ସମସ୍ତ ପ୍ରକାର ଅପରେସନ ବନ୍ଦ ରଖାଯାଇଛି । ବୁଧବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ଯାଏଁ ଗୁଜରାଟର ଗାନ୍ଧୀଧାମ, ଭୁଜ, ଭାବନଗର, ପୋରବନ୍ଦର, ଓଖା ଏବଂ ଭେରାଭାଲ ଅଞ୍ଚଳକୁ ଚଳାଚଳ କରୁଥିବା ଟ୍ରେନଗୁଡିକୁ ରଦ୍ଦ କରାଯାଇଛି ।
ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ଦ୍ୱାରା ୩୬ଟି ଏନଡିଆରଏଫ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲାବେଳେ ଆଉ ୧୧ଟି ଟିମକୁ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରଖାଯାଇଛି । ଏହାଛଡା ୯ଟି ଏସଡିଆରଏଫ ଟିମ୍, ୧୪ କଂପାନି ଏସଆରପି ଏବଂ ୩୦୦ ମେରାଇନ କମାଣ୍ଡୋଙ୍କୁ ବି ମୁତୟନ କରାଯାଇଛି । କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୯ଟି ହେଲିକପ୍ଟରକୁ ବି ମୁତୟନ କରାଯାଇଛି । ଗୁଜରାଟ ଉପକୂଳର ବିଭିନ୍ନ ସ୍ଥାନରେ ନୌସେନା ଓ ତଟରକ୍ଷୀ ବାହିନୀର ଜାହାଜଗୁଡିକୁ ବି ସଜାଗ ରଖାଯାଇଛି । ରାଜ୍ୟ ସରକାର ବାତ୍ୟା ପରିଚାଳନା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲାଗୁଡିକରେ ସ୍କୁଲ ଓ କଲେଜ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି । ସେହିପରି ୧୩ରୁ ୧୫ ଯାଏଁ ସ୍କୁଲଗୁଡିକରେ ଚାଲିବାକୁ ଥିବା ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ଗୁଜରାଟ ସରକାର କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ରାଜ୍ୟ ସରକାରଙ୍କୁ ସବୁପ୍ରକାର ସହଯୋଗ କରୁଛନ୍ତି । ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକ କରି ପ୍ରଶାସନ ଦ୍ୱାରା କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons