ନୂଆଦିଲ୍ଲୀ: ସୋମବାର ହେଉଛି ଜମ୍ମୁ-କାଶ୍ମୀରରେ ପ୍ରଶାସନ ପାଇଁ ପରୀକ୍ଷାର ସମୟ । ସୋମବାର ଇଦ ପାଳନ କରାଯିବାକୁ ଥିଲାବେଳେ ଏଥିପାଇଁ ସାଧାରଣ ଲୋକେ ଯେପରି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହୁଅନ୍ତି ଏବଂ କୌଣସି ସ୍ଥାନରେ ହିଂସାକାଣ୍ଡ ନଘଟେ, ତାହା ସରକାର ସୁନିଶ୍ଚିତ କରିବେ । ଏଥିପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି ।
ରାଜ୍ୟରେ ଧାରା ୩୭୦ ହଟାଯିବା ପରେ ବ୍ୟାପକ କଟକଣା ଲାଗିଥିବାରୁ ଏହାଯୋଗୁ ଯେପରି ଇଦ୍ ପାଳନରେ ବାଧା ସୃଷ୍ଟି ନହୁଏ ତାହା ସରକାର ସୁନିଶ୍ଚିତ କରୁଛନ୍ତି । ଏଥିପାଇଁ ସବୁ ସରକାରୀ କର୍ମଚାରୀ ଓ ଠିକା କର୍ମଚାରୀମାନଙ୍କୁ ଅଗଷ୍ଟ ମାସର ଦରମା ଆଗୁଆ ଦିଆଯାଇଛି । ସରକାରୀ ଟ୍ରେଜେରୀ, ଏଟିଏମ ଓ ବ୍ୟାଙ୍କଗୁଡିକୁ ଛୁଟି ଦିନରେ ବି ଖୋଲା ରଖାଯାଇଛି । କେବଳ ଶ୍ରୀନଗରରେ ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ପାଇଁ ୬ଟି ମଣ୍ଡି ସ୍ଥାପନ କରାଯାଇଛି । କାଶ୍ମୀର ଡିଭିଜନରେ ତେଜରାତି ସାମଗ୍ରୀ ବିକ୍ରି ପାଇଁ ୩୬୯୭ଟି ରାସନ ‘ ଘାଟ’ ଖୋଲାଯାଇଛି । ଏହାଛଡା ମୋବାଇଲ ଭ୍ୟାନ୍ ଯୋଗେ ଲୋକଙ୍କୁ ଘରେ ଘରେ ପରିବା, କୁକୁଡା ଓ ଅଣ୍ଡା ଆଦି ଯୋଗାଇ ଦିଆଯାଉଛି । ଇଦରେ ବଳି ଦେବା ପାଇଁ ଶ୍ରୀନଗରକୁ ୨.୫ ଲକ୍ଷ ମେଣ୍ଢା ଅଣାଯାଇଛି । ସାଧାରଣ ଲୋକେ ଯେପରି ଅନ୍ୟତ୍ର ରହୁଥିବା ନିଜ ସମ୍ପର୍କୀୟଙ୍କ ସହିତ କଥା ହୋଇପାରିବେ, ସେଥିପାଇଁ ୩୦୦ଟି ସ୍ୱତନ୍ତ୍ର ଫୋନ ବୁଥ୍ ସ୍ଥାପନ କରାଯାଇଛି । ବିମାନ ଯୋଗେ ଶ୍ରୀନଗରରେ ପହଞ୍ଚୁଥିବା ଲୋକେ ଯେପରି ନିଜ ଘରକୁ ସହଜରେ ଯାଇପାରିବେ, ତା’ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
Comments are closed, but trackbacks and pingbacks are open.