ଆଜି ପ୍ରବଳ ବର୍ଷିବ:ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପ୍ରବଳ ବର୍ଷା ଲାଗି ରହିଛି ଲଘୁଚାପ ପ୍ରଭାବରେ । ବଲାଙ୍ଗିର, କନ୍ଧମାଳରେ ନାହିଁ ନଥିବା ପରିସ୍ଥିତି । ଅନ୍ୟପଟେ ବ୍ରାହ୍ମଣୀ, ବୈତରଣୀ, ବଂଶଧାରା ଫୁଲିବାରେ ଲାଗିଛି । ପାଣିପାଗ ପୂର୍ବାନୁମାନ ହେଲା, ଆହୁରି ୨୪ ଘଣ୍ଟା ନିର୍ଧୁମ ବର୍ଷା କରାଇବ ଲଘୁଚାପ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ଆସନ୍ତାକାଲି । ଏସବୁ ଜିଲ୍ଲାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବାଦ୍ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଲଗାଣ ବର୍ଷାଜନିତ ବନ୍ୟା ଆଶଙ୍କାରେ ସରକାର ପୂରା ସଜାଗ ହୋଇପଡ଼ିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସଜାଗ ରହିବା ସହ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣି ଜମୁଥିବା ଓ ବନ୍ୟା ଆଶଙ୍କା ଥିବା ସ୍ଥାନରେ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ନେବା ପାଇଁ କୁହାଯାଇଛି । ଖାଦ୍ୟ, ବିଶୁଦ୍ଧ ପିଇବା ପାଣି, ଲାଇଟ୍ ମହଜୁଦ ରଖିବା ସହ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ଟିମ୍କୁ ସଜାଗ ରହିବା ଲାଗି କୁହାଯାଇଛି । ବିପଦପୂର୍ଣ୍ଣ ପୋଲ ଓ ରାସ୍ତାରେ ଗାଡ଼ିମୋଟର ଚଳାଚଳ ନ କରିବା ପାଇଁ ଲୋକଙ୍କୁ ସତର୍କ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
ପାଣିପାଗ ବିଭାଗ କହିଛି, ଲଘୁଚାପ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଉପରେ ଅଛି । ଏହା ପ୍ରଭାବରେ ରବିବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି ଉତ୍ତର ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ । ଏଯାବତ୍ ବଡ଼ ବନ୍ୟା ଆସିନି ସତ, ହେଲେ ବଲାଙ୍ଗିରରେ ସାଂଘାତିକ ସ୍ଥିତି ଉପୁଜିଛି । ଝରଣା ପ୍ରଖର ସ୍ରୋତରେ ପାଣି ବହିବାରୁ ପାହାଡ଼ ଉପରେ ଥିବା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ପୀଠରେ ଅତଡ଼ା ଖସିଛି । ଅପରାହ୍ନରୁ ହରିଶଙ୍କର ଝରଣାରେ ଅତଡ଼ା ଖସିବା ସହ ଝରଣାରେ ଭୟାନକ ପାଣି ତୋଡ଼ ଚାଲିଛି । ଶ୍ରଦ୍ଧାଳୁମାନେ ସେଇ ସ୍ଥାନ ଛାଡ଼ି ପଳାଇ ଯାଇଛନ୍ତି । ଲଗାଣ ବର୍ଷା ଯୋଗୁ ଜିଲ୍ଲାର ରାହୁଲ ନଦୀରେ ବନ୍ୟା ଆସିଛି । ଗୁଡ଼ଭେଲା ବ୍ଲକର ଜାମୁଟ ଓ ଗମ୍ଭାରୀଗୁଡ଼ା ପଞ୍ଚାୟତରେ ବନ୍ୟା ଜଳ ପଶିବାରୁ ୧୦ଟି ଗାଁ ପାଣି ଘେରରେ ରହିଛି । ଆଜି ଅପରାହ୍ନରୁ ପ୍ରଶାସନ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ନିଜେ ଜିଲ୍ଲାପାଳ ସେଠାରେ ପହଞ୍ଚିଛନ୍ତି ।
ଲଗାଣ ବର୍ଷାଜନିତ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିକଟସ୍ଥ ବାଟାଗୁଡ଼ାଠାରେ ପାହାଡ଼ିଆ ନାଳରୁ ପାଣି ଆସି ଏକ କଲଭର୍ଟ ଧୋଇ ଯାଇଥିଲା । ଅପରାହ୍ନ ସୁଦ୍ଧା ଏହାର ମରାମତି କରାଯିବା ସହ ପୁନଃ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି । ବାଲିଗୁଡ଼ା ବ୍ଲକର ଲଣ୍ଡା ଗାଁର ୭ଟି ଘରେ ପାଣି ପଶିଯାଇଛି ।
ଲଗାଣ ବର୍ଷାରେ ବଂଶଧାରାରେ ଜଳପତ୍ତନ ବଢ଼ିଛି । ସନ୍ଧ୍ୟା ୬ଟା ସୁଦ୍ଧା ବଂଶଧାରା ଗୁଣୁପୁରଠାରେ ୮୧.୦୧ ମିଟରରେ ପ୍ରବାହିତ ହେଉଥିଲା । ଏଠାରେ ସତର୍କ ସଙ୍କେତ ସ୍ତର ୮୩ ମିଟର । କାଶୀନଗରରେ ସତର୍କ ସଙ୍କେତ ସ୍ତର ୫୩.୬୦ ମିଟର । ଏଠି ଜଳସ୍ତର ୫୩.୩୬ ମିଟର ଛୁଇଁଛି । ନଦୀର ଜଳସ୍ତର ସ୍ଥିର ଥିଲେ ବି ସତର୍କ ସଙ୍କେତ ପାଖାପାଖି ବହୁଛି । ସେହିପରି ବ୍ରାହ୍ମଣୀ ନଦୀ ମଧ୍ୟ ଆଜି ଅପରାହ୍ନରୁ ବଢ଼ିବାରେ ଲାଗିଛି । ସନ୍ଧ୍ୟା ୬ଟା ସୁଦ୍ଧା ଜେନାପୁରରେ ଏହାର ଜଳସ୍ତର ୧୮.୩୩ ମିଟର ଥିଲା । ଏଠି ସତର୍କ ସଙ୍କେତ ସ୍ତର ୨୨ ମିଟର । ପାନପୋଷରେ ଜଳସ୍ତର ବଢ଼ି ୧୭୨.୪୪ ମିଟରରେ ପହଞ୍ଚିଛି । ଏଠାରେ ବିପଦ ସଙ୍କେତ ସ୍ତର ୧୭୮.୪୨ ମିଟର । ବୈତରଣୀ ନଦୀ ମଧ୍ୟ ଆନନ୍ଦପୁରରେ ବଢ଼ିଛି । ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୩୪ ମିଟର ଥିଲା । ଏଠାରେ ସତର୍କ ସଙ୍କେତ ହେଉଛି ୩୭.୪୫ ମିଟର ।
ପାଣିପାଗ ବିଭାଗ କହିଛି, ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳରେ ପ୍ରବଳ ବର୍ଷା ଆଶଙ୍କା ଅଛି । ବୁଧବାରଠାରୁ ବର୍ଷା ପ୍ରକୋପ କମିବ । ତଥାପି ରାଜ୍ୟର ଅନେକ ଜାଗାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ତେବେ ସୋମବାର ରାତି ଭିତରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ସୋନପୁର, ପୁରୀ, ନୟାଗଡ଼, କେନ୍ଦୁଝର, ବଲାଙ୍ଗିର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାବାଦ୍ ରାଜ୍ୟର ବାକି ଅଞ୍ଚଳରେ ବି ପ୍ରବଳ ବର୍ଷା ହୋଇପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons