ଆଜି ବିଜୁ ଜୟନ୍ତୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତାକାଲି ମାର୍ଚ୍ଚ ୫ ତାରିଖ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ । ବିଜୁ ଜୟନ୍ତୀ ଅବସରରେ ଆସନ୍ତାକାଲି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ମଧ୍ୟ ପାଳନ ହେବ । ଗୁରୁବାର କଟକରେ ଏସ୍ସିବି ମେଡିକାଲ କଲେଜର ନବକଳେବର ପ୍ରକଳ୍ପର ଶିଳାନ୍ୟାସ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍ସିବିକୁ ବିଶ୍ୱସ୍ତରୀୟ ହସ୍ପିଟାଲର ରୂପ ଦେବା ପାଇଁ ଆସନ୍ତାକାଲି ଶୁଭ ପଡ଼ିବ । ଏହାସହ ବାଲିଯାତ୍ରା ପଡ଼ିଆରେ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମେଗା ସମାବେଶ ହେବ । ଏଥିରେ ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ନବୀନ । ସେହିପରି ଆସନ୍ତାକାଲି ସକାଳେ ବିଜୁ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱରରେ ମିନି ମାରାଥନ ଆୟୋଜିତ ହେବ ।
ଆସନ୍ତାକାଲି ସକାଳ ୭ଟାବେଳେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ମିନି ମାରାଥନ ବାହାରିବ । ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ ଦେଇ ଏହି ମିନି ମାରାଥନ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବ । ଗୁରୁବାର ସକାଳ ସାଢେ଼ ୧୦ଟାବେଳେ ମୁଖ୍ୟମନ୍ତ୍ରୀ ବିଜେଡି କାର୍ଯ୍ୟାଳୟ ଯାଇ ବିଜୁ ବାବୁଙ୍କୁ ୧୦୪ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଧାନସଭା ପରିସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ବିମାନବନ୍ଦର ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହା ପରେ ହେଲିକପ୍ଟର ଯୋଗେ କଟକ ଗସ୍ତ କରିବେ ନବୀନ । କଟକରେ ଏସ୍ସିବି ନବୀକରଣ ପ୍ରକଳ୍ପର ଶିଳାନ୍ୟାସ ଦେବା ପରେ ମଧ୍ୟାହ୍ନ ୧୨ଟାରେ ବାଲିଯାତ୍ରା ପଡ଼ିଆରେ ପଞ୍ଚାୟତିରାଜ ବିଭାଗର ସମାବେଶରେ ଯୋଗ ଦେବେ । ବିଜୁ ପକ୍କା ଘର ହିତାଧିକାରୀଙ୍କୁ ଯୋଗ୍ୟତା କାର୍ଡ ବଣ୍ଟାଯିବ । ଆସନ୍ତାକାଲି ଏହାର ଶୁଭାରମ୍ଭ ହେବ । ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ୨୦ ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କା ଘର କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି । ୫୦ଟି ନିର୍ବାଚନମଣ୍ଡଳୀେରେ ବ୍ଲକ ସ୍ତରରେ ମନ୍ତ୍ରୀମାନେ ଯାଇ ହିତାଧିକାରୀଙ୍କୁ ଏହି କାର୍ଡ ବାଣ୍ଟିବେ । ଅପରାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ । ଏହାପରେ ସନ୍ଧ୍ୟାରେ ଜୟଦେବ ଭବନରେ ଅନୁÂିତ ହେବାକୁ ଥିବା ବିଜୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲିଠାରୁ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ୧୫ ଦିନ ଧରି ବିଜୁ ଜୟନ୍ତୀ ପାଳନ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons