ଆଜି ବି ବର୍ଷିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ରଚିଛି ତାଣ୍ଡବ । ହଠାତ ଝଡ଼ ତୋଫାନ ଆସିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଓ ଗଛ ଉପୁଡି ପଡିବା ସହିତ କଚା ଘର ଭୁଷୁଡି ପଡିଛି । ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ବଜ୍ରପାତରେ ୭ଜଣଙ୍କ ପ୍ରାଣହାନୀ ହୋଇଛି । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟି ହେବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ପଡିବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୂଦ୍ର ଅଶାନ୍ତ ରହିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେଣୁ ଧୀବରଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ବାବଦରେ ସତର୍କ ସୂଚନା ଜାରି କରାଯାଇଛି । ଶୁକ୍ରବାର ଭଳି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଯାଜପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି । ଉପରୋକ୍ତ ଜିଲ୍ଲାଗୁଡିକରେ ଏହି ସମୟରେ ସତର୍କ ରହିବା ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅବଶିଷ୍ଟ ସ୍ଥାନରେ ମଧ୍ୟ କାଳବୈଶାଖୀ ବର୍ଷା ହେବା ସହିତ ସତର୍କ ରହିବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିଦେ୍ର୍ଧଶକ ଏଚ୍ ଆର୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ । ଶୁକ୍ରବାର ଭଳି ଆଜି ମଧ୍ୟ କିଛି ସ୍ଥାନରେ କୁଆପଥର ପଡିବ ବୋଲି ଶ୍ରୀ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ତତ୍ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରିଭାଗରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ସେହି ଅଞ୍ଚଳରେ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ତା’ର ପ୍ରଭାବ ଓଡ଼ିଶା ଉପରେ କେତେ ଦୂର ପଡିବ ଏବେଠୁ କହିବା ଠିକ ହେବନି ବୋଲି ପାଣିପାଗବିତ୍ କହିଛନ୍ତି । ୨୭ ବେଳକୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳ ୮ଟା୩୦ରୁ ଅପରାହ୍ନ ୫ଟା୩୦ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୬୯ ମିଲିମିଟର ବର୍ଷା ହୋଇଛି । ସେହିପରି ବାରିପଦାରେ ୪୨ ମିଲିମିଟର, ଅନୁଗୁଳରେ ୩୬ ମିଲିମିଟର, ଚାନ୍ଦବାଲିରେ ୨୮ ମିଲିମିଟର, ବଲାଙ୍ଗୀରରେ ୨୧ ମିଲିମିଟର, ତାଳଚେରରେ ୨୦ ମିଲିମିଟର, କେନ୍ଦୁଝରରେ ୧୮ ମିଲିମିଟର ଓ ପାରାଦୀପରେ ୧୬ ମିଲିମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ଏବଂ ଟିଟିଲାଗଡ଼ରେ ୪୦ ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକଡର଼୍ କରିଛି । ସେହିପରି ସନ୍ଧ୍ୟା ସମୟରେ ରାଜଧାନୀ ଭୁବନେଶ୍ୱର ସହିତ ଉପକଣ୍ଠରେ ପାଖାପାଖି ୧ ଘଣ୍ଟା ଧରି କାଳବୈଶାଖୀ ବର୍ଷା ହୋଇଥିଲା । ପବନ ବୋହିବା ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବା ଯୋଗୁଁ ରାଜଧାନୀବାସୀ ଆତଙ୍କିତ ହୋଇ ପଡିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons