ଆଜି ଭାଙ୍ଗିବ ଲଙ୍ଗୁଳି ମଠ:ବିପଦସଙ୍କୁଳ ଘୋଷଣା ହୋଇଥିଲା: ଜିଲ୍ଲାପାଳ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ଶ୍ରୀମନ୍ଦିର ଚୌହଦୀ ସୌନ୍ଦର୍ଯ୍ୟକରଣ ଓ ଶ୍ରୀକ୍ଷେତ୍ରର ନବକଳେବର କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପୁରା ଦମ୍ରେ ଲାଗିପଡ଼ିଛି । ଗତ ସପ୍ତାହରେ ମେଘନାଦ ପାଚେରିକୁ ଲାଗି ଅବରୋଧ ମୁକ୍ତ ଓ ସିପସରୁବାଲି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଏହି କ୍ରମରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ମେଘନାଦ ପାଚେରିର ଚାରିପାଖରେ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆସନ୍ତା କାଲି ଲଙ୍ଗୁଳି ମଠ ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମେଘଦାନ ପାଚେରିର ୭୫ ମିଟର ପରିଧି ମଧ୍ୟରେ ସମସ୍ତ ଦୋକାନ ଓ ମଠ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହି ନୋଟିସ ସମସ୍ତ ଦୋକାନୀ ଓ ମଠ ମହନ୍ତଙ୍କୁ ପ୍ରଦାନ କରାଯାଇଛି । ୭୫ ମିଟର ପରିଧି ମଧ୍ୟରେ ରହିଛି ଲଙ୍ଗୁଳି ମଠ ।ମେଘନାଦ ପାଚେରୀ ଠାରୁ ଏହାର ଦୂରତା ମାତ୍ର ୧୫ ମିଟର । ପୂର୍ବରୁ ଜିଲ୍ଲା ପ୍ରଶାସନ ଏହି ପ୍ରାଚୀନ ମଠର କୋଠାକୁ ବିପଦସଙ୍କୁଳ ଘୋଷଣା କରିଥିଲା । ଶ୍ରୀକ୍ଷେତ୍ରର ଅନ୍ୟ ମଠ ପରି ଲଙ୍ଗୁଳି ମଠ ମଧ୍ୟ ଶ୍ରୀମନ୍ଦିର ରୀତିନୀତି ସହ ଜଡ଼ିତ ଥିଲା । ମଠ ଭାଙ୍ଗିବା ପାଇଁ ଏହାର ମହନ୍ତ ସମ୍ମତ୍ତି ପ୍ରକାଶ କରିଛନ୍ତି । ଭଙ୍ଗା ପରେ ମଠର ଅନ୍ତେବାସୀମାନଙ୍କୁ ବିକଳ୍ପ ଆବାସ ଯୋଗାଇ ଦିଆଯିବ ।ଏ ସମ୍ପର୍କରେ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ, ଲଙ୍ଗୁଳି ମଠ ଏକ ବିପଦସଙ୍କୁଳ କୋଠା । ବୈଷୟିକ କମିଟି ଦ୍ୱାରା ଏହା ବିପଦସଙ୍କୁଳ ଘୋଷିତ ହୋଇଛି । ଆମେ ଏ ସମ୍ପର୍କରେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ରିପୋର୍ଟ ପାଇଛୁ । ମ୍ୟୁନିସିପାଲିଟି ଆଇନ ଅନୁଯାୟୀ ସେହି କୋଠାକୁ ଆସନ୍ତା କାଲି ଭଙ୍ଗାଯିବ । ମଠ ଭଙ୍ଗା ପୂର୍ବରୁ ସେଠାରେ ରହୁଥିବା ମହନ୍ତ ଓ ଅନ୍ତେବାସୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ଜମିରେ ମଠ ଥିଲେ ହେଁ ଭାଙ୍ଗିବା ପୂର୍ବରୁ ଆମେ ଏହାର ମହନ୍ତଙ୍କ ସହ ଆଲୋଚନା କରିଛୁ । ସ୍ଥାନାନ୍ତର ନିମନ୍ତେ ମହନ୍ତ ରାଜି ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଲଙ୍ଗୁଳି ମଠ ଭଙ୍ଗାଯାଉଥିଲେ ହେଁ ଏହା ପରିସରରେ ଥିବା ମନ୍ଦିରକୁ ସୁରକ୍ଷିତ ରଖିବାକୁ ଜିଲ୍ଲା ପ୍ରଶାସନ ପ୍ରୟାସ କରୁଛି । ତଦ୍ୱାରା ମହନ୍ତ ଏହି ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।ଲଙ୍ଗୁଳି ମଠରେ ବହୁ ବ୍ୟବସାୟୀ ଦୋକାନ ଭଡ଼ାରେ ନେଇ ବେପାର କରୁଥିଲେ । ସେମାନଙ୍କୁ ପୂର୍ବରୁ ନୋଟିସ ଜାରି କରାଯାଇଥିଲା । ଦୋକାନ ଘର ଖାଲି କରିବା ପାଇଁ ଜିଲ୍ଲା ପ୍ରଶାସନ ମହନ୍ତଙ୍କ ମାଧ୍ୟମରେ ଦୋକାନୀଙ୍କ ସହ ଆଲୋଚନା କରିଥିଲା । ଜିଲ୍ଲା ପ୍ରଶାସନ ବିସ୍ଥାପିତ ଦୋକାନୀଙ୍କ ଥଇଥାନ ପାଇଁ ଯୋଜନା କରୁଛି । ଆମେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିଛୁ । ସେମାନେ ଯେପରି ଉପକୃତ ହେବେ ସେପରି ଯୋଜନା ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ ନୂଆ ଦୋକାନ କିମ୍ବା ଭଡ଼ାରେ ଦୋକାନ ଦିଆଯିବ ସେ ନେଇ ପ୍ରଶାସନ ଚିନ୍ତା କରୁଥିବା ଜିଲ୍ଲାପାଳ ଶ୍ରୀ ସିଂ ପ୍ରକାଶ କରିଛନ୍ତି ।ଆଜି ମଠ ଚାରିପାଖରେ ଛୋଟ ବଡ଼ ୨୬ଟି ଦୋକାନକୁ ଖାଲି କରାଯାଇଛି । ମଠରେ ଦୋକାନ ଦେଇଥିବା ଦୋକାନୀଙ୍କ ସହ ପ୍ରଶାସନ ଆଲୋଚନା କରିବା ପରେ ଦୋକାନ ଖାଲି କରିବାକୁ ପୁଲିସ ଜରିଆରେ କହିଥିଲା । ଦୋକାନ ଖାଲି କରିବାକୁ ପ୍ରଶାସନ ମୌଖିକ ନିର୍ଦ୍ଦେଶ ଦେଇଥିଲା । ତଦନୁସାରେ ଆମେ ଦୋକାନ ଖାଲି ଦେଇଛୁ ବୋଲି ବିସ୍ଥାପିତମାନେ କହିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଲଙ୍ଗୁଳି ମଠର ସମସ୍ତ ଦୋକାନ ଘର ଖାଲି ହୋଇଛି ।ଶ୍ରୀକ୍ଷେତ୍ର ନୂତନ ବିକାଶ ପ୍ରକ୍ରିୟାରେ କୌଣସି ସାଧାରଣ ଲୋକ ଭୟଭୀତ ହେବାର ଆବଶ୍ୟକ ନାହିଁ । ପ୍ରସ୍ତାବିତ ଶ୍ରୀମନ୍ଦିର ବିକାଶ ଯୋଜନାରେ ଯେଉଁ ଜବରଦଖଲ ନିର୍ମାଣ ଆସୁଛି ସେଗୁଡ଼ିକ ଉଚ୍ଛେଦ କରାଯିବ । ବେଆଇନ ନିର୍ମାଣଗୁଡ଼ିକ ଆଇନ ଅନୁଯାୟୀ ଭାଙ୍ଗି ଦିଆଯିବ ବୋଲି ପ୍ରଶାସନ ଘୋଷଣା କରିଛି । ବିସ୍ଥାପିତଙ୍କ ପାଇଁ ଥଇଥାନ ଯୋଜନା, କ୍ଷତିପୂରଣ ନିର୍ଦ୍ଧାରଣ ହେବ । କ୍ଷତିପୂରଣ ନିର୍ଦ୍ଧାରଣର ଦୁଇ ମାସ ପରେ ପ୍ରଶାସନ ଜମି ଦଖଲକୁ ନେବାକୁ ଓଡ଼ିଶା ଜମି ଅଧିଗ୍ରହଣ ଆଇନରେ ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons