ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-ଟ୍ୱେଣ୍ଟି

Get real time updates directly on you device, subscribe now.

ଲାଉଡରହିଲ୍: ଆମେରିକାର ଲାଉଡରହିଲ୍ରେ ଆସନ୍ତାକାଲି ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା ହେବ । ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଖେଳାଳିମାନେ ଜୋରଦାର ପ୍ରସ୍ତୁତି କରିଛନ୍ତି । ସଦ୍ୟ ସମାପ୍ତ ବିଶ୍ୱକପ୍ ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ନିଜ ନିଜର ପ୍ରଥମ ଦ୍ୱିପାକ୍ଷିକ ସିରିଜ୍ ଖେଳିବେ । ବିଶ୍ୱକପ୍ ସେମି ଫାଇନାଲ୍ରେ ନ୍ୟୁଜିଲାଣ୍ଡଠୁ ହାରି ଭାରତ ଅପ୍ରତ୍ୟାଶିତ ବିଦାୟ ନେଇଥିଲା । ଅଧୂରା ଟାଇଟଲ ସ୍ୱପ୍ନକୁ ଭୁଲି ଭାରତ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି । ଟି-ଟ୍ୱେଣ୍ଟି ଫର୍ମାଟରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ହେବା ଆଶା କରାଯାଉଛି । ମ୍ୟାଚ୍ଟି ରାତି ୮ ଘଟିକାରୁ ଆରମ୍ଭ ହେବ ।
ଟି-ଟ୍ୱେଣ୍ଟିରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ପରସ୍ପରକୁ ୧୧ଥର ଭେଟିଛନ୍ତି । ଏଥିରେ ଉଭୟ ଦଳ ୫ଟି ଲେଖାଏଁ ମ୍ୟାଚ୍ ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ଯାଇଥିଲା । ୨୦୧୬ରେ ଲାଉଡରହିଲ୍ର ସେଣ୍ଟ୍ରାଲ ବ୍ରୋୱାର୍ଡ଼ ରିଜିଓନାଲ ପାର୍କ ଗ୍ରାଉଣ୍ଡରେ ଉଭୟ ଦଳ ମଧ୍ୟରେ ୨ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯାଇଥିଲା । ସିରିଜ୍ରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚ୍ (୧ରନ୍ରେ) ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା । ସେହିପରି ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ଦ୍ୱିପାକ୍ଷିକ ସିରିଜ୍ରେ ଭାରତ ବାଜିମାତ୍ କରିଥିଲା ।
ବିଶ୍ୱକପ୍ ବିଫଳତା, ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଏବଂ କୋହଲି-ରୋହିତ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଭାରତ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି । ସିନିୟର ଓ ଯୁବ ଖେଳାଳିଙ୍କୁ ନେଇ ଦଳ ସନ୍ତୁଳିତ ରହିଛି । ଭେଟେରାନ ମହେନ୍ଦ୍ର ସିଂହ ଧୋନି ଓ ପେସ୍ ବୋଲର ଜଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତିରେ ଦଳ ପଡ଼ିଆକୁ ଓହ୍ଲାଇବ । ଧୋନି ସିରିଜ୍ରୁ ଓହରି ଯାଇଥିବାବେଳେ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା । ବିଶ୍ୱକପ୍ରେ ଆହତ ହୋଇଥିବା ଶିଖର ଧାୱନ ଦଳକୁ ଫେରିଛନ୍ତି । ଯୁବ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ, ଶ୍ରେୟାସ ଆୟର, ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଏବଂ ପେସ ବୋଲର ଦୀପକ ଚହର ଓ ଖଲିଲ ଅହମ୍ମଦଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ରହିଛି । ପାଣ୍ଡେ ଓ ଆୟର ଇଣ୍ଡିଜ୍ ଗସ୍ତରେ ଭାରତ ଏ’ ପକ୍ଷରୁ ଖେଳି ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ । ଆସନ୍ତାକାଲି ଭାରତୀୟ ବ୍ୟାଟ୍ସମ୍ୟାନ୍ ଓ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ମଧ୍ୟରେ ଜୋରଦାର ଟକ୍କର ହେବା ଆଶା କରାଯାଉଛି । ବିଶ୍ୱକପ୍ରେ ୫ଟି ଶତକ ସହ ବିଶ୍ୱ ରେକର୍ଡ଼ ସ୍ଥାପନ କରିଥିବା ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତାଙ୍କ ବ୍ୟତୀତ ଧାୱନ, କୋହଲି, ରିଶଭ ପନ୍ତ ଓ ଲୋକେଶ ରାହୁଲ ମଧ୍ୟ ନଜରରେ ରହିବେ । ରାହୁଲ ୨୦୧୬ରେ ଲାଉଡରହିଲ ଗ୍ରାଉଣ୍ଡରେ ଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିଥିଲେ । ଇଣ୍ଡିଜ୍ ପେସ୍ ବୋଲର ଓସାନେ ଥୋମାସ, ସେଲଡନ କଟରେଲ ଓ ଭେଟେରାନ ସ୍ପିନର ସୁନିଲ ନାରାଏନ୍ଙ୍କ ସାମ୍ନାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅସଲ ପରୀକ୍ଷା ଦେବେ ।
କାର୍ଲୋସ ବ୍ରାଥୱେଟ୍ଙ୍କ ନେତୃତ୍ତ୍ୱାଧିନ ଇଣ୍ଡିଜ୍ ଦଳ ସମସ୍ତ ବିଭାଗରେ ଅପେକ୍ଷାକୃତ ଶକ୍ତିଶାଳୀ ରହିଛି । ଟି-ଟ୍ୱେଣ୍ଟି ଫର୍ମାଟରେ ଇଣ୍ଡିଜ୍ ସବୁଠୁ ଦୁର୍ଦ୍ଧର୍ଷ ଦଳ ଭାବେ ପରିଗଣିତ । ଦଳରେ ତାରକା ଓପନର ଏଭିନ୍ ଲୁଇସ୍, ସିମରନ ହେତମେୟାର, ନିକୋଲାସ ପୁରାନ, ଆନ୍ଦ୍ରେ ରସେଲ ଓ ବ୍ରାଥୱେଟ୍ଙ୍କ ଭଳି ବଡ଼ ହିଟର ରହିଛନ୍ତି । ଯେଉଁମାନଙ୍କ ପାଖରେ ଏକାକି ମ୍ୟାଚ୍ ପଲଟାଇବାର କ୍ଷମତା ରହିଛି । ଖାସ୍ କରି ଆହତ ସମସ୍ୟାରୁ ମୁକୁଳିଥିବା ରସେଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଭେଟେରାନ ଅଲରାଉଣ୍ଡର କିରେନ ପୋଲାର୍ଡ଼ ଓ ନାରାଏନଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅଧିକ ଦୃଢ଼ କରିଛି । ସମସ୍ତ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ପାଇଁ ବିପଦଜନକ ରହିଛନ୍ତି । ଭାରତର ଦୃଢ଼ ବ୍ୟାଟିଂ ବିଭାଗ ସାମ୍ନାରେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଶକ୍ତି ପରୀକ୍ଷା ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons