ଆତଙ୍କବାଦ ବିରୋଧୀ ଅଭିଯାନ:ସେନାର ୩ ଅଙ୍ଗର କମାଣ୍ଡୋ ସାମିଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ସେନାବାହିନୀର ତିନୋଟି ଯାକ ଅଙ୍ଗର କମାଣ୍ଡୋଙ୍କୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ କରାଯାଉଛି । ଆଗରୁ କେବଳ ସ୍ଥଳସେନାର କମାଣ୍ଡୋମାନଙ୍କୁ ଏପରି ଅଭିଯାନରେ ନିୟୋଜିତ କରାଯାଉଥିଲା । ଏବେ ସେମାନଙ୍କ ସହିତ ହାତ ମିଳାଇବେ ବାୟୁସେନାର ଗରୁଡ ଏବଂ ନୌସେନାର ମାକ୍ରୋସ କମାଣ୍ଡୋ । ପୂର୍ବରୁ ବାୟୁସେନା ଏବଂ ନୌସେନାର ମାତ୍ର ଅଳ୍ପ କେଇ ଜଣ କମାଣ୍ଡୋଙ୍କୁ ଏଭଳି ଅପରେସନରେ ନିୟୋଜିତ କରାଯାଉଥିଲା । ବାୟୁସେନାର କିଛି କମାଣ୍ଡୋ ଏବେ କାଶ୍ମୀରର ହାଜିନ ଏବଂ ଲୋଲାବ ଅଞ୍ଚଳରେ ନିୟୋଜିତ ଥିଲାବେଳେ ନୌସେନାର କମାଣ୍ଡୋମାନେ ଉଲାର ହ୍ରଦ ଅଞ୍ଚଳରେ ମୁତୟନ ହୋଇଛନ୍ତି । କିନ୍ତୁ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଏହି କମାଣ୍ଡୋମାନଙ୍କୁ ଆତଙ୍କବାଦ ବିରୋଧୀ ଅପରେସନରେ ସାମିଲ କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପୂର୍ବରୁ ସେନାବାହିନୀର ତିନୋଟି ଯାକ ଅଙ୍ଗର କମାଣ୍ଡୋମାନଙ୍କୁ ନେଇ ଆର୍ମଡ ଫୋର୍ସେସ ସ୍ପେଶାଲ ଅପରେସନସ ଡିଭିଜନ ନାମରେ ଏକ ସ୍ୱତନ୍ତ୍ର ୟୁନିଟ ଗଠନ କରିଛି । ଏହି ଡିଭିଜନ ଅଧୀନରେ ଏବେ ତିନି ବାହିନୀର କମାଣ୍ଡୋମାନଙ୍କୁ କାଶ୍ମୀରରେ ମୁତୟନ କରାଯାଉଛି ।
ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି କି କାଶ୍ମୀରରେ ସେନାର ତିନି ଅଙ୍ଗର କମାଣ୍ଡୋଙ୍କୁ ମୁତୟନ କରାଯିବା ପଛରେ ଏକ ପ୍ରମୁଖ ଉଦେ୍ଧଶ୍ୟ ହେଉଛି ଯେ ସେମାନଙ୍କୁ ପରସ୍ପର ସହିତ ସମନ୍ୱୟ ରକ୍ଷା କରି ଅପରେସନ ଚଳାଇବାରେ ଅଭ୍ୟସ୍ତ କରିବା । ସ୍ପେଶାଲ ଅପରେସନସ ଡିଭିଜନ ଦ୍ୱାରା ଏଭଳି ସମନ୍ୱୟ ବୃଦ୍ଧି ସକାଶେ ପୂର୍ବରୁ ଦୁଇ ଥର ଯୁଦ୍ଧାଭ୍ୟାସ କରାଯାଇଛି । ପ୍ରଥମେ ଗୁଜରାଟର କଚ୍ଛ ଏବଂ ପରେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଏଭଳି ଯୁଦ୍ଧାଭ୍ୟାସ କରାଯାଇଥିଲା । ସେଥିରେ କମାଣ୍ଡୋମାନେ ଶତ୍ରୁ ଉପରେ ମିଳିତ ଭାବେ ଆକ୍ରମଣ କରିବା ଏବଂ ତା’ ଦ୍ୱାରା ଅଧିକୃତ ଅଞ୍ଚଳକୁ ମୁକ୍ତ କରିବାର ଅଭ୍ୟାସ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons