ଆତ୍ମହତ୍ୟା ଧମକ ଦେଉଥିବା ଯୁବକ ଉଦ୍ଧାର

Get real time updates directly on you device, subscribe now.

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଆତ୍ମହତ୍ୟାର ଧମକ ଦେଉଥିବା ଯୁବକ ସୁବୋଧ କୁମାର ବାରିକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଚାକିରି ଗଲା ପରେ ସେ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଥିବା ଆଲୋଚନା ହେଉଛି।
ସୁବୋଧଙ୍କ ସମ୍ପର୍କୀୟ ନିର୍ମଳ ଚନ୍ଦ୍ର ସିଂଙ୍କ ଅଭିଯୋଗରୁ ପ୍ରକାଶ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ ୨୦୦୧ ମସିହାରେ ପୋଷ୍ଟାଲ୍‌ ଡିପାର୍ଟମେଣ୍ଟରେ ଚାକିରି ପାଇଥିଲେ। ସେ ମହୁ ଡାକ ଅଫିସ୍‌ରେ ଡାକ ବାହକ ଭାବେ ଚାକିରି ପାଇଥିଲେ। କିନ୍ତୁ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ସେଥିପାଇଁ ସେ ନିୟମିତ ଔଷଧ ଖାଉଥିଲେ। ତେବେ ବାହାଘର ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଠିକ୍‌ ଭାବେ ଔଷଧ ଖାଇବାକୁ ଦେଇନଥିବା ଅଭିଯୋଗ ହୋଇଛି। ତେଣୁ ଧୀରେ ଧୀରେ ତାଙ୍କର ମାନସିକ ସ୍ଥିତି ଆହୁରି ଖରାପ ହେଲା। ସେଥିପାଇଁ ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏ ସମ୍ପର୍କରେ ମଧ୍ୟ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଇଥିଲା।
ସୁବୋଧଙ୍କ ସ୍ଥାନରେ ଅନ୍ୟ ଜଣେ କାର୍ୟ୍ୟ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାଫଳରେ ପୋଷ୍ଟ ଅଫିସରେ କାମ ବନ୍ଦ ହୋଇଯାଇଥିଲା। ଏଥିପାଇଁ ଡାକ ବିଭାଗ ସୁବୋଧଙ୍କୁ କରଣ ଦର୍ଶାଅ ନୋଟିସ କରିଥିଲା। ମାତ୍ର ସୁବୋଧ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବାରୁ ଡାକ ବିଭାଗକୁ ଉତ୍ତର ଦେଇପାରିନଥିଲେ। ଯାହାଫଳରେ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। ତେବେ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଚାକିରି ଯିବା ଜାଣି ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। କେମିତି ପରିବାର ଚଳାଇବେ, ସେଥିପାଇଁ ଚିନ୍ତିତ ଥିଲେ ବୋଲି ସୁବୋଧଙ୍କ ସମ୍ପର୍କୀୟ ନିର୍ମଳ ଚନ୍ଦ୍ର କହିଛନ୍ତି।
ଚାକିରି ଫେରିପାଇବା ପାଇଁ ଭୁବନେଶ୍ୱରରେ ରହୁଥିବା ମାଉସୀଙ୍କ ଘରକୁ ଆସିଥିଲେ। ଏଠାରେ ରହି ପୋଷ୍ଟାଲ୍‌ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭେଟିବାକୁ ଯାଉଥିଲେ। ମାତ୍ର ସବୁଆଡୁ ନିରାଶ ହୋଇଥିଲେ। ଶେଷରେ ସବୁଆଡ଼ୁ ନିରାଶ ହେବା ପରେ ମାଉସୀଙ୍କ ଘରୁ ଫେରାର ହୋଇଯାଇଥିଲେ। ପରିବାର ଓ ବନ୍ଧୁବାନ୍ଧବ ସବୁଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।
ମାଉସୀଙ୍କ ଘରୁ ଚାଲି ଆସିବା ପରେ ସୁବୋଧ ବୁଲୁଥିବା ଦେଖି ପୁଲିସ ତାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଛାଡ଼ିଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ତେବେ ଦୁଇ ଦିନ ତଳେ ମିଶନ ଆଶ୍ରାର ପାଚେରୀ ଡେଇଁ ପଳାଇ ଯାଇଥିଲା।
ଆଜି ସୁବୋଧଙ୍କୁ ପରିଜା ଲାଇବ୍ରେରୀ ଛାତ ଉପରେ ଦେଖିବାକୁ ମିଳିଥିଲା। ସେ ଛାତ ଉପରେ ଆତ୍ମହତ୍ୟା କରିବାର ଧମକ ଦେଉଥିଲା। ଚାକିରି ଦେଲେ ତଳକୁ ଓହ୍ଲାଇବି ବୋଲି ଧମକ ଦେଉଥିଲେ। ଏହା ଦେଖିବା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଲୋକଙ୍କ ଭିଡ଼ ବଢ଼ିଥିଲା। ଶେଷରେ କମିଶନରେଟ୍‌ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଘଣ୍ଟାଏର ଅଧିକ ସମୟର ଅପରେଶନ୍‌ ପରେ ତାଙ୍କୁ ଛାତ ଉପରୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons