ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସମେତ ସମଗ୍ର ଜମ୍ମୁ-କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ବହୁବର୍ଷ ପୂର୍ବରୁ ଭାରତର ସଂସଦରେ ଏ ସଂକ୍ରାନ୍ତ ସଙ୍କଳ୍ପନାମା ପାରିତ ହୋଇସାରିଛି । ସଂସଦ ଚାହିଁଲେ ପିଓକେ ନିଶ୍ଚିତ ଭାବେ ଭାରତ ଅଧୀନକୁ ଆସିପାରିବ । ଆମକୁ ଆଦେଶ ମିଳିଲେ ଆମେ ପିଓକେ ଦଖଲ କରିବୁ । ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଶନିବାର ଏଭଳି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ ଠାରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବର୍ତ୍ତମାନ ଯୁଦ୍ଧର ତରିକା ବଦଳିବାରେ ଲାଗିଛି । ଆଗାମୀ ଦିନରେ ଯୁଦ୍ଧ ନେଟୱର୍କ କୈନ୍ଦ୍ରିକ ଓ ଆଧୁନିକ ପ୍ରଯୁକ୍ତି କୌଶଳ ଆଧାରିତ ହେବ । ତେଣୁ ଭାରତୀୟ ସେନାକୁ ସେହି ଅନୁସାରେ ପ୍ରସ୍ତୁତି କରିବାକୁ ପଡିବ । ଚୀନ୍ ସେନା ସୀମାରେ ସାମରିକ ଭିତ୍ତିଭୂମି ଓ ଦକ୍ଷତା ବୃଦ୍ଧି କରିବା ଭାରତ ପାଇଁ ବଡ ଆହ୍ୱାନ ନୁହେଁ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ଭାରତର ଉତ୍ତର ସୀମାରେ ଯେକୌଣସି ଆହ୍ୱାନର ମୁକାବିଲା ଲାଗି ସେନା ପ୍ରସ୍ତୁତ ଅଛି । ସେନା ସେହି ଅଞ୍ଚଳରେ ଆଡଭାନ୍ସଡ ୱିପନ ସିଷ୍ଟମ ମୁତୟନ କରିବା ସହ ସେହି ଅନୁସାରେ ନିଜକୁ ପ୍ରସ୍ତୁତି କରୁଛି । ସେହିଭଳି ପାକିସ୍ତାନ ସଂଲଗ୍ନ ପଶ୍ଚିମ ସୀମାରେ ୬ଟି ସେନା ଆପାଚି ହେଲିକପ୍ଟର ନିୟୋଜିତ କରାଯିବ । ସେଠାରେ କାର୍ଯ୍ୟରତ ଯବାନଙ୍କୁ ଏହା ସହାୟତା କରିବ । ଯେଉଁ ଅଞ୍ଚଳରେ ସେନା ୟୁନିଟ୍ ପାଇଁ ଅଧିକ ବିପଦ ରହିଛି ସେଠାରେ ଏହି ହେଲିକପ୍ଟର ମୁତୟନ କରାଯିବ ବୋଲି ଜେନେରାଲ ନରବଣେ କହିଛନ୍ତି ।
ସେନାମୁଖ୍ୟ କହିଛନ୍ତି ଯେ ସେନାର ତିନି ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା ଓ ଏକତା ହିଁ ସବୁଠାରୁ ବଡ଼କଥା । ସେଥିପାଇଁ ଭାରତରେ ପ୍ରଥମ କରି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଗଠନ କରାଯାଇଛି । ସେହିଭଳି ସାମରିକ ବ୍ୟାପାର ବିଭାଗ ଖୋଲାଯିବା ଏ ଦିଗରେ ଆଉ ଏକ ବଡ ପଦକ୍ଷେପ । ଯେଉଁ ଉଦେ୍ଧଶ୍ୟରେ ଏହା ଗଠନ କରାଯାଇଛି ସେଥିରେ ଏହା ନିଶ୍ଚିତ ଭାବେ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଜେନେରାଲ ନରବଣେ ମଧ୍ୟ ସେନାର ଉଚ୍ଚ ପ୍ରଶଂସା କରିଛନ୍ତି । କହିଛନ୍ତି ଭାରତୀୟ ସେନା ଏକ ଅନୁଭବୀ ବାହିନୀ । ଏହା ବେଶ୍ ଅନୁଭବୀର ସହ କାର୍ଯ୍ୟ କରୁଛି । ଶାନ୍ତି ସମୟରେ ନୈତିକତାର ସହ କାର୍ଯ୍ୟ କରିଥାଏ ଏବଂ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ନିଜର ପରାକ୍ରମ ବି ଦେଖାଇଥାଏ ।
Comments are closed, but trackbacks and pingbacks are open.