ଆନ୍ଧ୍ରରେ ମିଶିବାକୁ ଲାଉଗୁଡ଼ାବାସୀଙ୍କ ଧମକ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ଜମି ଓଡ଼ିଶାର । ହେଲେ ହାକିମ ଦେଖାଉଛି ଆନ୍ଧ୍ର । ଭୋଗ କରୁଛନ୍ତି ଆନ୍ଧ୍ରବାସୀ, କୁଲି ଖଟୁଛନ୍ତି ଓଡିଶାବାସୀ । ଏଭଳି ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି ସୀମାନ୍ତରେ । ଅସହାୟ ହୋଇ ପଡିଛନ୍ତି ଓଡିଶା ସୀମାନ୍ତବାସୀ । ସ୍ୱାଧୀନତା ପରଠୁ ପ୍ରଶାସନିକ ସ୍ଥାଣୁତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଅବହେଳିତ ହୋଇ ରହିଛନ୍ତି ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ ସୀମାନ୍ତ ଲାଉଗୁଡା ଗାଁର ୪୦ ଆଦିବାସୀ ପରିବାର । ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଆନ୍ଧ୍ର ମୁହାଁ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଗାଁ ଚାରିପଟେ ରହିଥିବା ଓଡିଶା ଜମି ଆନ୍ଧ୍ର ଜମିଦାରଙ୍କ କବଜାରେ ରହିଛି । ସ୍ଥାନୀୟ ଲୋକେ କେବଳ ଉକ୍ତ ଜମିରେ କୁଲି କାମ କରିବା ଛଡା ବିକଳ୍ପ ନାହିଁ ।
ଲାଉଗୁଡ଼ାର ଅଧିକାଂଶ ଲୋକ ଦିନମଜୁରିଆ । ତା ଛଡ଼ା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ବିତାଉଛନ୍ତି । ଗାଁରେ ରହିଛି ମାଳ ମାଳ ସମସ୍ୟା । ଦୀର୍ଘବର୍ଷ ଧରି ଗାଁକୁ ପକ୍କା ରାସ୍ତା ନଥିବାରୁ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ସବୁ କାମ ପାଇଁ ସେମାନେ ୨କିମି ଦୂରରେ ଥିବା ଆନ୍ଧ୍ରର ଏକ ଗାଁ ଉପରେ ନିର୍ଭର କରନ୍ତି । ଆବାସ ଯୋଜନାରେ ଘର ମିଳୁନି । ଏଭଳି ସ୍ଥିତିରେ ଗାଁକୁ ଲାଗିଥିବା ଓଡିଶାର ଶତାଧିକ ଏକର ଚାଷଜମିକୁ ଆନ୍ଧ୍ରର କିଛି ଲୋକ ନିଜ ଅକ୍ତିଆରରେ ରଖିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୀମା ବିବାଦ ପରେ କିଛିଦିନ ତଳେ ଲାଉଗୁଡା ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ସୂଚନା ଫଳକକୁ ମଧ୍ୟ କେହି ଦୁବୃର୍ତ୍ତ ଭାଙ୍ଗି ଦେଇଛି । ଏହାପରେ ପ୍ରଶାସନ ପକ୍ଷରୁ ସେଠାରେ ପୁନଃ ସୂଚନା ଫଳକ ନିର୍ମାଣ କାମ ଚାଲୁଛି ।
ଗାଁରେ ପ୍ରାଥମିକ ଶିକ୍ଷା ନିମନ୍ତେ ରହିଥିବା ସ୍କୁଲ ବନ୍ଦ ରହିଛି । ସ୍ୱାସ୍ଥ୍ୟ ପାଇଁ ଆନ୍ଧ୍ର ଉପରେ ଭରସା । ଏଭଳି ବିବିଧ ସମସ୍ୟାରେ ସନ୍ତଳି ହେଉଥିବା ଲାଉଗୁଡ଼ା ଗ୍ରାମବାସୀ ଆନ୍ଧ୍ରରେ ମିଶିବାକୁ ଆଗଭର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଓଡିଶାରେ ରହି ମଧ୍ୟ ଆନ୍ଧ୍ରର ଆଧାରା କାର୍ଡ, ରେସନ କାର୍ଡ ହାତେଇଛନ୍ତି । ଏ ସମ୍ପର୍କରେ ସେଠାକାର ସରପଞ୍ଚ ବିଜୟ ମାଣ୍ଡାଙ୍ଗିଙ୍କୁ ପଚାରିବାରୁ କହିଛନ୍ତି, ଓଡିଶାର ସମସ୍ତ ସୁଯୋଗ ପାଉଛନ୍ତି ଲାଉଗୁଡାବାସୀ । କେବଳ ଗାଁ ଚାରିପାଖରେ ଥିବା ଓଡ଼ିଶା ଜମି ଆନ୍ଧ୍ର ଲୋକଙ୍କ କବଜାରେ ଥିବାରୁ ସେମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons