ଭୁବନେଶ୍ୱର,(ବି.ବି.ବୁ୍ୟରେ): ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କର । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କର । ଏସ୍ଆଇଟି ତଦନ୍ତ ପାଇଁ ଦିଅ ନିଦେ୍ର୍ଧଶ । ଆଜି ବିଧାନସଭାରେ ଏମିତି ଦାବିକୁ ଜୋରଦାର କରିଛନ୍ତି ବିରୋଧୀ । ବିରୋଧୀଙ୍କ ହୋ ହଲ୍ଲାରେ ବିଧାନସଭା କମ୍ପିଛି । ଗୃହ ଥରକୁ ଥର ମୁଲତବି ରହିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ହେଲେ ଘଟଣାର ଏସ୍ଆଇଟି ତଦନ୍ତ ହେବ ବୋଲି ବିବୃତି ରଖିବା ପରେ ମଧ୍ୟ ବିରୋଧୀ ଶାନ୍ତ ପଡ଼ିନଥିଲେ । ନିଜ ଜିଦରେ ଅଟଳ ରହିଲେ । ପୂର୍ବାହ୍ନ ଅଧିବେଶନର ବିରୋଧ ଅପରାହ୍ନ ଅଧିବେଶନରେ ଜାରି ରହିଲା । ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ବାଧ୍ୟହୋଇ ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଲେ ।
ଥମୁନି ତାତି । ‘ପରୀ’ ହତ୍ୟାକାଣ୍ଡକୁ ଧରି ଗତ ଦୁଇ ଦିନ ହେବ ବିଧାନସଭାରେ ଅଚଳାବସ୍ଥା । ଏ ସଂପର୍କରେ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଖୋଦ ମନ୍ତ୍ରୀ ଡ. ସାହୁ ଗୃହରେ ବିବୃତି ରଖିବା ପରେ ମଧ୍ୟ ବିରୋଧୀ ନିଜ ପ୍ରତିବାଦକୁ ଆହୁରି ତେଜିଛନ୍ତି । ଗୃହରେ ବହିଛି ପୂରା ଅଣଚାଶ ପବନ ।
ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ନାଲିଆଖି ଦେଖାଇଥିଲେ । ମନ୍ତ୍ରୀଙ୍କ ବହିଷ୍କାର ଓ ଇସ୍ତଫା ଦାବି କରି ସରକାରଙ୍କୁ ଘେରିଥିଲେ । ବିଜେପି ଓ କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ପାଟିତୁଣ୍ଡ କରିଥିଲେ । ବିଜେପି ସଭ୍ୟମାନେ ବ୍ୟାନର ପ୍ରଦର୍ଶନ କରି ସ୍ଲୋଗାନ ଛାଡ଼ିଲେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଆମର ଦାବି । ସରକାର ତୁମେ ଆମର ଦାବି ମାନିନିଅ । କଂଗ୍ରେସ ବି ନାରା ଦେଲା ଏସ୍ଆଇଟି ତଦନ୍ତ ଆମର ଦାବି । ବାଚସ୍ପତି ସଭ୍ୟମାନଙ୍କୁ ଶୃଙ୍ଖଳା ରକ୍ଷା କରିବାକୁ ଯେତେ ଅନୁରୋଧ କଲେ ମଧ୍ୟ କାଟୁ କଲାନି । ଏହାପରେ ସେ ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଲେ । ୧୧.୪୫ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଲେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏ ନେଇ ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଯେଉଁ ବିବୃତି ରଖିଛନ୍ତି ସେଥିରେ ଆମେ ସନ୍ତୁଷ୍ଟ ନୁହଁ । ଆମେ ଯେଉଁ ସବୁ ସଂପର୍କରେ ପ୍ରଶ୍ନ କରିଥିଲୁ ମନ୍ତ୍ରୀ ସେ ସଂପର୍କରେ ପଦୁଟିଏ କହିନାହାନ୍ତି ।
ଆମେ ଉଦ୍ବେଗ ପ୍ରକାଶ କରିଥିଲୁ ଯେ ସୁରକ୍ଷା ବଳୟ ଭାଙ୍ଗି କେମିତି ବିଧାନସଭା ଗେଟ୍ ନିକଟକୁ ଦମ୍ପତ୍ତି ଆସିଲେ? କେମିତି ସେମାନେ ନିଆଁ ଲଗାଇ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିଲେ? ପରୀ ମୃତୁ୍ୟ ଘଟଣାରେ ନୟାଗଡ଼ ପୁଲିସ୍ ଏତେ ମାସ ଯାଏ କ’ଣ କରୁଥିଲା । ମାତ୍ର ଏ ସଂପର୍କରେ ମନ୍ତ୍ରୀ କିଛି ସ୍ପଷ୍ଟୀକରଣ ରଖି ନାହାନ୍ତି । ବାଚସ୍ପତିଙ୍କ ନିଦେ୍ର୍ଧଶ ସତ୍ତେ୍ୱ ମନ୍ତ୍ରୀ ଏହାକୁ ମାନୁନାହାନ୍ତି । ବିରୋଧୀଙ୍କ ଦାବି ସଂପର୍କରେ ମନ୍ତ୍ରୀ କିଛି କହିଲେନି । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଛି । ହାଇକୋର୍ଟ ଜଜ୍ଙ୍କ ଦ୍ୱାରା ନିରପେକ୍ଷ ଏସଆଇଟି ତଦନ୍ତ ଆମେ ଦାବି କରିଥିଲୁ । ସରକାର ଏହାକୁ ଗ୍ରହଣ କରୁନାହାନ୍ତି । ସରକାର ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ମନ୍ତ୍ରୀ ଇସ୍ତଫା ନଦେଇ କହୁଛନ୍ତି ମୁଁ ନିଦେ୍ର୍ଧାଷ । ସେ ଦୋଷୀ କି ନିଦେ୍ର୍ଧାଷ ତାହା ତଦନ୍ତ ପରେ ଜଣାପଡ଼ିବ । ମନ୍ତ୍ରୀ ସରକାରରେ ରହି କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ତଦନ୍ତ ପ୍ରଭାବିତ ହେବ ବୋଲି ସାଧାରଣରେ ସନେ୍ଦହ ଉପୁଜିବ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଏ ଘଟଣାର ଏସଆଇଟି ତଦନ୍ତ କରାଯାଉ । ମାତ୍ର ସରକାର ଏ ନିଦେ୍ର୍ଧଶ ଦେଉନାହାନ୍ତି । ଗୃହକୁ ବିରୋଧୀ ଅଚଳ କରୁନାହାନ୍ତି, ବରଂ ସରକାର ନିଜେ ଅଚଳ କରୁଛନ୍ତି ।
ଏହାପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଲେ, ନୟାଗଡ଼ ଘଟଣା ଅତି ଦୁଭାର୍ଗ୍ୟଜନକ । ବିଧାନସଭା ଆଗରେ ନିଜ ଶିଶୁ କନ୍ୟାର ମୃତୁ୍ୟରେ ହତାଶ ହୋଇ ଦମ୍ପତି ଆତ୍ମାହୁତି ଦେବାକୁ ଆସିଲେ । ଏପଟେ ମନ୍ତ୍ରୀ ସେ ପଞ୍ଚାୟତର ସରପଞ୍ଚଙ୍କୁ ଟେଲିଫୋନରେ ଇଆଡ଼ୁ ସିଆଡୁ କହୁଛନ୍ତି । ଏ ଘଟଣାର ସିବିଆଇ ତଦନ୍ତ ହେଉ । ମନ୍ତ୍ରୀଙ୍କୁ ସରକାର ବହିଷ୍କାର କରନ୍ତୁ । ଶାସକ ଦଳ ପକ୍ଷରୁ ସଭ୍ୟ ଅତନୁ ସବ୍ୟସାଚୀ ନାୟକ କହିଲେ, ଏ ସଂପର୍କରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖି ସାରିଛନ୍ତି । ଆଜି ଗୃହ ବିଭାଗର ଖର୍ଚ୍ଚଦାବି ଅଛି । ବିରୋଧୀ ଏ ଆଲୋଚନା କାଳରେ ପ୍ରସଙ୍ଗ ଉଠାଇ ପାରିବେ । ବିରୋଧୀ କେବଳ ହୀନ ରାଜନୀତି କରୁଛନ୍ତି । ବିରୋଧୀ ଆଲୋଚନାକୁ ଆସନ୍ତୁ । ଗୃହକୁ ଅଚଳ କଲେ ଲାଭ କଣ? ଏହାପରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ବିରୋଧୀଙ୍କ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବେ ।
ଏହାପରେ ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ କହିଲେ, ମୋ ସରକାର ସବୁବେଳେ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସଂକଳ୍ପବଦ୍ଧ । ସମସ୍ତଙ୍କୁ ଯେପରି ନ୍ୟାୟ ମିଳୁ ତାହାକୁ ଆମେ ଗୁରୁତ୍ୱ ଦେଇ ଆସିଛୁ । ଏ ଘଟଣାରେ ଆବଶ୍ୟକ ହେଲେ ଏସଆଇଟି ତଦନ୍ତ ପାଇଁ ସରକାର ପଦକ୍ଷେପ ନେବେ । ଏ ଘଟଣାରେ ମୁଁ ଗଭୀର ଭାବେ ମର୍ମାହତ । ମୋ ସରକାର ସବୁବେଳେ ଆଇନ ଅନୁସାରେ ପଦକ୍ଷେପ ନିଏ । ସଭ୍ୟମାନଙ୍କୁ ଅନୁରୋଧ କରୁଛି ସମସ୍ତେ ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ ।
ମୁଖ୍ୟମନ୍ତ୍ରୀଙ୍କ ଏ ବିବୃତି ବିରୋଧୀଙ୍କୁ ଶାନ୍ତ କରିନଥିଲା । ସେମାନେ ପୁଣି ସ୍ଲୋଗାନ ଛାଡ଼ିଥିଲେ । ବାଚସ୍ପତି ଗୃହକୁ ଅପରାହ୍ନ ୩ ଟା ଯାଏ ମୁଲତବି ରଖିଲେ । ଅପରାହ୍ନରେ ଚିତ୍ର ସମାନ ରହିଲା । ବିରୋଧୀଦଳ ନେତା ଦାବି କଲେ, ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ ଦର୍ଶାଇଛନ୍ତି ଯେ ଆବଶ୍ୟକ ହେଲେ ଏସଆଇଟି ତଦନ୍ତ କରାଯିବ । ତେଣୁ ସରକାର ଏ ଯାଏ ଏ ଘଟଣାକୁ ଗୁରୁତ୍ୱ ଦେଇନାହାନ୍ତି ବୋଲି ଧରିବାକୁ ହେବ । ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ । ଘଟଣାର ସିବିଆଇ ତଦନ୍ତ ହେଉ ।
ଏହାପରେ ବିଜେପି ସଭ୍ୟମାନେ ପୁଣି ବାଚସ୍ପତିଙ୍କ ଆସନ ନିକଟରେ ସ୍ଲୋଗାନ ଛାଡ଼ିଲେ । ବାଚସ୍ପତି କହିଲେ, ମୁଖ୍ୟମନ୍ତ୍ରୀ ବିବୃତି ଦେଇ ସାରିଛନ୍ତି । ଏସଆଇଟି ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ତେଣୁ ଆପଣମାନେ ନିଜ ଆସନକୁ ଯାଆନ୍ତୁ । ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ । ମାତ୍ର ବିଜେପି ସଭ୍ୟମାନେ ପାଟିତୁଣ୍ଡ ଆହୁରି ଜୋର କରିଥିଲେ । ବାଚସ୍ପତି ଗୃହକୁ ୧୫ ମିନିଟ ମୁଲତବି ରଖିଲେ । ମାତ୍ର ପୁଣି ଗୃହ ଆରମ୍ଭ ହେବାମାତ୍ରେ ବିଜେପି ସ୍ଲୋଗାନକୁ ଆହୁରି ତେଜିଲା । ବାଚସ୍ପତି କହିଲେ, ଆଜିର ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାନି ଗିଲୋଟିନରେ ପାରିତ ହେବ । ଗୃହ ଶନିବାର ଯାଏ ମୁଲତବି ରହିଲା ।


Comments are closed, but trackbacks and pingbacks are open.