ରାୟଗଡ଼ା,(ବି.ବି.ନୁ୍ୟଜ): ଦୀର୍ଘ ୮ବର୍ଷ ହେଲା ଏଆଇସିସି ସର୍ଭେ ସରିଥିଲେ ମଧ୍ୟ ଏଥିରେ ତାଲିକାଭୁକ୍ତ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଆଜିଯାଏଁ ମିଳିନି ଆବାସ । ମୁନିଗୁଡ଼ା, କାଶୀପୁର, ଗୁଡ଼ାରୀ, କଲ୍ୟାଣସିଂହପୁର ବ୍ଲକର ଅନେକ ଗାଁ ସମ୍ପୂର୍ଣ୍ଣ ରୂପେ ବାଦପଡ଼ିଛି । ବାଦ୍ପଡ଼ିଥିବା ହିତାଧିକାରୀଙ୍କୁ କିଭଳି ଭାବେ ଯୋଡ଼ିହେବ ସେଥିପ୍ରତି ସମ୍ବେଦନଶୀଳ ହେବାକୁ ଆଜି ଜିଲ୍ଲାସ୍ତରୀୟ ଦିଶା ବୈଠକରେ ଏଭଳି ମତ ଦେଇଛନ୍ତି ଲୋକ ପ୍ରତିନିଧି ।
ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା)ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଅଧ୍ୟକ୍ଷତା କରିଥିଲେ । ସମସ୍ତ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗତ ୨୦୧୬-୧୭ରେ ଆରମ୍ଭ ହୋଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ସୁଦ୍ଧା ଜିଲ୍ଲାରେ ୪୦ ହଜାର ୮୧୩ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ସେଥିମଧ୍ୟରୁ ୩୭ ହଜାର ୮୪୬ଜଣଙ୍କ ପଞ୍ଜୀକରଣ ହୋଇଛି । ମାତ୍ର ୨୮ ହଜାର ୪୩୩ ଆବାସ ନିର୍ମାଣ ଶେଷ ହୋଇିବା ବୈଠକରେ ତଥ୍ୟା ଉପସ୍ଥାପନ କରାଯାଇଥିଲା । ୨୦୧୯-୨୦ ରେ ୧୧ ହଜାର ୯୮୯ ମଧ୍ୟରୁ ୮ହଜାର ୧୧୯ ଏବଂ ଚଳିତ ବର୍ଷ ୪ହଜାର ୧୧୬ ମଧ୍ୟରୁ ୩୫୧ ଟି ଆବାସ ଶେଷ ହୋଇଛି । କରୋନା କାଳରେ ଚଳିତବର୍ଷ ଗୃହ ନିର୍ମାଣ ଧିମେଇ ଯାଇଥିବା ସୂଚନା ଦିଆଯାଇଥିଲା । ବର୍ତ୍ତମାନ ହିତାଧିକାରୀମାନେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଡିସେମ୍ବର ସୁଦ୍ଧା ଅଧିକ ନିର୍ମାଣ ହେବ ବୋଲି ଡିଆରଡିଏ ପକ୍ଷରୁ କୁହାଯାଇଛି । ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ଓ ମନରେଗା ଯୋଜନା ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ରାୟଗଡ଼ା ଓ ଗୁଣପୁର ପୌର ପରିଷଦ ଏବଂ ଗୁଡ଼ାରୀ ଏନଏସିରେ ନିର୍ମାଣ କାର୍ଯ୍ୟ ତଦାରଖ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ମନରେଗାରେ ୬ ହଜାର ୫୦୦ ପରିବାର ଜିଲ୍ଲାରେ ୧୦୦ ଦିନ କାର୍ଯ୍ୟ ସମ୍ପନ୍ନ କରିଥିବା ବିଭାଗ କହିଛି । ଏଥିରେ ବିଭିନ୍ନ ଗାଁର ରାସ୍ତା ନିର୍ମାଣ, କଲଭର୍ଟ, ଗାଡର଼୍ୱାଲ ସହ ଅଙ୍ଗନବାଡ଼ିକେନ୍ଦ୍ର ଉନ୍ନତିକରଣ ହୋଇଥିବା ସୂଚନା ଦିଆଯାଇଥିଲା । ଆହୁରି କେତେକ ଶ୍ରମିକ କିଭଳି ୧୦୦ ଦିନ କାର୍ଯ୍ୟ କରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ସାଂସଦ ଶ୍ରୀ ଉଲ୍ଲାକା ପରାମର୍ଶ ଦେଇଥିଲେ । ଶ୍ରମିକମାନେ ଠିକ୍ ଭାବେ ମଜୁରି ସଂଗ୍ରହ କରିପାରୁ ନଥିବା ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା ଅଭିଯୋଗ କରିଥିଲେ । ବ୍ୟାଙ୍କଗୁଡିକରେ ଶ୍ରମିକଙ୍କୁ ହଇରାଣ କରିବା ସହ ଟଙ୍କା ଉଠାଣ ବେଳେ ବୁଲାଉଥିବା ସେ ଅଭିଯୋଗ ଆଣିଥିଲେ । ବ୍ୟାଙ୍କ କର୍ତ୍ତୃର୍ପକ୍ଷଙ୍କୁ ଏଥିରୁ ନିବୃତ ରହିବା ପାଇଁ ନିଦେ୍ର୍ଧଶ ଦେବାକୁ ମତ ପ୍ରକାଶ ପାଇଥିଲା । ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ମନରେଗା ଯୋଜନାରେ ଅତିରିକ୍ତ ନିର୍ମାଣ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଗରିବ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସେ ମତ ଦେଇଥିଲେ । ଏହି ବୈଠକରେ ପ୍ରଧାମନ୍ତ୍ରୀ ଗ୍ରାମସଡ଼କ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସର୍ବଶିକ୍ଷା ଅଭିଯାନ, ସମନ୍ୱିିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଓ ଜାତୀୟ ରାଜପଥ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ପ୍ରମୋଦକୁମାର ବେହେରା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଡିଆରଡିଏର ପ୍ରକଳ୍ପ ନିଦେ୍ର୍ଧଶକ ଅମୃତ ଋତୁରାଜଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ଏବଂ ଦିଶା କମିଟି ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.