ଆମେଥି: ଲୋକସଭା ନିର୍ବାଚନରେ ନେହରୁ-ଗାନ୍ଧୀ ପରିବାରର ଗଡ ଭାବେ ପରିଚିତ ଉତ୍ତରପ୍ରଦେଶର ଆମେଥି ଆସନରୁ ପରାଜିତ ହେବା ପରେ ପ୍ରଥମ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଏଠାକୁ ପରିଦର୍ଶନରେ ଆସିଥିଲେ । ଏହି ଅବସରରେ ସେ ନିଜର ପରାଜୟ ପାଇଁ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ସେ ଦାୟୀ କରିଥିଲେ । କହିଥିଲେ ପରାଜୟ ସତ୍ତେ୍ୱ ସେ ଏଠାକୁ ନିୟମିତ ଗସ୍ତରେ ଆସିବେ ଓ ଲୋକଙ୍କ ଅଭାବ ଅସୁବିଧା ଶୁଣିବେ ।
ଆମେଥିରେ ପହଞ୍ôଚବା ପରେ ରାହୁଲ ପ୍ରଥମେ ଗୌରୀଗଞ୍ଜ ଯାଇଥିଲେ । ସେଠାରେ ସେ ଦଳର ତିଲୋଇ ବିଧାନସଭା କ୍ଷେତ୍ର ଇନ୍-ଚାର୍ଜ ମାତା ପ୍ରସାଦ ବୈଶଙ୍କୁ ଭେଟିଥିଲେ । ଦଳୀୟ ନେତା ଓ କର୍ମୀଙ୍କୁ ଭେଟିବା ସହିତ ଏକ ବୈଠକରେ ଯୋଗଦେଇଥିଲେ । ପରେ ନିର୍ମଳା ଦେବୀ ଏଜୁକେଶନାଲ ଇନ୍ଷ୍ଟିଚ୍ୟୁଟ୍ଠାରେ ଦଳର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏଥିରେ ଆମେଥି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୫ଟି ବିଧାନସଭା ଆସନ ସାଲୋନ, ଆମେଥି, ଗୌରୀଗଞ୍ଜ, ଜଗଦୀଶପୁର ଓ ତିଲୋଇ ଞ୍ଚଳରର କଂଗ୍ରେସର ବୁଥସ୍ତରୀୟ ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟିଥିଲେ । ନିର୍ବାଚନରେ ଦଳୀୟ କର୍ମୀମାନେ ତାଙ୍କ ପାଇଁ କଠୋର ପରିଶ୍ରମ କରିଥିବାରୁ ରାହୁଲ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । କହିଥିଲେ ଆମେଥି ସେ ଛାଡିବେ ନାହିଁ । ଏହା ତାଙ୍କ ଘର ଓ ପରିବାର । ତା’ଛଡା ଆମେଥିର ବିକାଶରେ କେବେ ବି ବାଧା ସୃଷ୍ଟି ହେବ ନାହିଁ । ସେ ବର୍ତ୍ତମାନ ୱାୟନାଡର ସାଂସଦ ଅଛନ୍ତି ସତ, କିନ୍ତୁ ଆମେଥି ସହିତ ତାଙ୍କର ସମ୍ପର୍କ ୩୦ ବର୍ଷ ତଳର । ଦିଲ୍ଲୀରେ ରହି ସେ ଏହି ଅଞ୍ଚଳର ବିକାଶ ପାଇଁ ଲଢ଼ିବେ ବୋଲି କହିଥିଲେ । କିନ୍ତୁ ସ୍ଥାନୀୟ ନେତାମାନେ ଲୋକଙ୍କ ପାଖକୁ ଗଲେ ନାହିଁଁ କିମ୍ବା ସେମାନଙ୍କ ସହ ସଶ୍ଛର୍କ ଯୋଡିଲେ ନାହିଁ । କିଛି ନେତା ବିଜେପି ସହିତ ହାତ ମିଳାଇଥିଲେ । ଫଳରେ ତାଙ୍କର ପରାଜୟ ଘଟିଲା ବୋଲି ରାହୁଲ କହିଥିଲେ ।
ପ୍ରାୟ ୫୦ ମିନିଟ୍ ଧରି ରାହୁଲ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ । ବୈଠକ ପରେ ରାହୁଲ ଛଟୋ ବ୍ଲକ୍ ଅଧୀନରେ ଥିବା ଦୁଇଟି ଗ୍ରାମ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଲକ୍ଷେ୍ନø ଓ ସେଠାରୁ ଦିଲ୍ଲୀ ଫେରିଯାଇଥିଲେ । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରାୟ ୫୨ ହଜାରରୁ ଅଧିକ ଭୋଟରେ ରାହୁଲଙ୍କୁ ହରାଇଥିଲେ । ରାହୁଲ ୧୯୯୯ ମସିହାରୁ ଏଠାରୁ ଲଗାତାର ଭାବେ ନିର୍ବାଚିତ ହୋଇଆସିଥିଲେ । କଂଗ୍ରେସ ମଧ୍ୟ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ । ଏହି କାରଣରୁ ରାହୁଲ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଅନୁକରଣ କରି ଆମେଥିରେ ତାଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ଦୁବେ ଓ କଂଗ୍ରେସ ଜିଲ୍ଲା ପ୍ରତିନିଧି ଯୋଗେନ୍ଦ୍ର ମିଶ୍ର ଇସ୍ତଫା ଦେଇଥିଲେ ।


Comments are closed, but trackbacks and pingbacks are open.