ୱାଶିଂଟନ: ଆମେରିକାରେ ଘଟିଛି ନରସଂହାର । ୧୩ ଘଣ୍ଟା ଭିତରେ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଘଟି ୨୯ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ଅନ୍ୟ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଟେକ୍ସାସରେ ଜଣେ ବନ୍ଧୁକଧାରୀର ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଓହିଓର ଏକ ନାଇଟ କ୍ଲବରେ ଆତତାୟୀର ଗୁଳିମାଡ଼ରେ ୯ ଜଣ ପ୍ରାଣ ହରାଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଗୁଳିକାଣ୍ଡ ବିଷୟରେ ଅବଗତ କରାଯାଇଛି । ସେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଟେକ୍ସାସର ଏଲ୍ ପାସୋ ଠାରେ ଥିବା ୱାଲମାର୍ଟର୍ ସପିଂ ସେଣ୍ଟରରେ ଜଣେ ବ୍ୟକ୍ତି ଗୁଳିମାଡ଼ କରିବାରୁ ୨୦ ଜଣଙ୍କର ମୃତ୍ୟୁ ଘଟିବା ସହ ୨୬ ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡ ଖବର ପାଇ ପୁଲିସ ପହଞ୍ôଚ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ତେବେ ପୁଲିସକୁ ଦେଖିବା ପରେ ଅଭିଯୁକ୍ତ ଜଣକ ଆତ୍ମସମର୍ପଣ କରିଥିଲା । ତାକୁ ପୁଲିସ ଗିରଫ କରି ପଚରା ଉଚୁରା କରୁଛି । ତାର ନାମ ପ୍ୟାଟ୍ରିକ କ୍ରୁସିଅସ (୨୧) ଓ ସେ ଟେକ୍ସାସର ଆଲେନ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଗୁଳିକାଣ୍ଡ ବେଳେ ସେହି ସପିଂ ସେଣ୍ଟରରେ ପ୍ରାୟ ୧୦୦ ଜଣ କର୍ମଚାରୀ ଓ ୩ ହଜାର ଗ୍ରାହକ ଉପସ୍ଥିତ ଥିଲେ । ତେବେ ଗୁଳିକାଣ୍ଡର ୨୦ ମିନିଟ୍ ପୂର୍ବରୁ ଅଭିଯୁକ୍ତ ଜଣକ ଅନ୍ଲାଇନ ମେସେଜ ବୋର୍ଡ ‘୮ଚାନ୍’ରେ ୨,୩୦୦ ଶବ୍ଦ ବିଶିଷ୍ଟ ଏକ ବାର୍ତ୍ତା ଅପଲୋଡ କରିଥିଲା । ଯେଉଁଥିରେ ସେ ଉଲ୍ଲେଖ କରିଛି ସମ୍ଭବତଃ ଆଜି ମୁଁ ମରିବାକୁ ଯାଉଛି । ହିସ୍ପାନିକ ଦେଶାନ୍ତରୀ ଓ ଲାଟିନୋମାନେ ଆମ ଦେଶକୁ ଆସି ଆମର ସବୁ ଚାକିରି ନେଇଯାଉଛନ୍ତି । ଆମ ସଂସ୍କୃତିକୁ ଅପଭ୍ରଂଶ କରୁଛନ୍ତି । ଅଭିଯୁକ୍ତର ଏଭଳି ବାର୍ତ୍ତାକୁ ଦେଖିଲେ ଏହା ବର୍ଣ୍ଣବୈଷମ୍ୟ ଘଟଣା ବୋଲି ବିଶ୍ୱାସ କରାଯାଉଛି । ପୁଲିସ ଉଭୟ ବର୍ଣ୍ଣବୈଷମ୍ୟ ଓ ଆତଙ୍କବାଦ ଦିଗରେ ତଦନ୍ତ କରୁଛି ।
ସେହିଭଳି ରବିବାର ସକାଳ ୭ଟାରେ ଓହିଓ ପ୍ରଦେଶର ଓରେଗନ ଜିଲ୍ଲା ଡେଟନ ସହରରେ ଥିବା ଏକ ନାଇଟ୍ କ୍ଲବ୍ ‘ନେଡ୍ ପିପର୍ସ ବାର୍’ରେ ଜଣେ ବ୍ୟକ୍ତି ପ୍ରବେଶ କରିଥିଲା । ସେ ଶ୍ୱେତାଙ୍ଗ ହୋଇଥିଲା ବେଳେ କଳାପୋଷାକ ପରିଧାନ କରିଥିଲା । ହାତରେ ଥିଲା ପଏଣ୍ଟ ୨୨୩ କାଲିବର ରାଇଫଲ । କେହି କିଛି ବୁଝିବା ପୂର୍ବରୁ ସେ ବାର୍ର ବାହାରେ ବସିଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା । ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ସେ ଗୁଳିମାଡ଼ କରିଥିଲା । ମାତ୍ର ପରେ ବାର୍ ଭିତରକୁ ପ୍ରବେଶ ଉଦ୍ୟମ କରି ବିଫଳ ହୋଇଥିଲା । ଏହି ଗୁଳିମାଡ଼ରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨୬ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି । ଅନ୍ୟ ୧୧ ଜଣଙ୍କୁ ଚିକିତ୍ସା କରାଯାଉଥିଲା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଗୁଳିମାଡ଼ ସମ୍ପର୍କରେ ସୂଚନା ମିଳିବା ପରେ ସେଠାରେ ଉପସ୍ଥିତ ଥିବା ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଫଳରେ ଗୁଳିମାଡ଼ର ମାତ୍ର ୧ ମିନିଟ୍ ଭିତରେ ପୁଲିସର କାର୍ଯ୍ୟାନୁଷ୍ଠାନରେ ଆତତାୟୀର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ଆତତାୟୀ ଜଣକ କିଏ ଓ ସେ କାହିଁକି ଏଭଳି ଘଟଣା ଘଟାଇଥିଲା ତାହା ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ପୁଲିସ ଓ ଏଫବିଆଇ ଅଧିକାରୀ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.